
Team AOAJ (Ame Odia Ama Jagannath)
June 3, 2025 at 08:52 AM
ଭକ୍ତର କେଉଁ ଗୁଣ ଭଗବାନଙ୍କୁ ପ୍ରିୟ ?
ଯେତେବେଳେ ଭଗବାନ ଶ୍ରୀରାମ ପିତୃସତ୍ୟ ପାଳନ କରି ପଂଚବଟୀରେ ବନବାସ ଜୀବନ ବ୍ୟତୀତ କରୁଥିଲେ , ସେତେବେଳେ ଦୁରାତ୍ମା ଲଙ୍କାପତି ରାବଣ ମାତା ଜାନକୀଙ୍କୁ ଅପହରଣ କରିନେଲା । ମାତା ସୀତାଙ୍କ ବିରହରେ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ସମଗ୍ର ବନପ୍ରଦେଶ ଅନ୍ଵେଷଣ କରି କରି କ୍ରମେ ମାତଙ୍ଗ ମୁନିଙ୍କ ପରମ ଶିଷ୍ୟା ତଥା ରାମଭକ୍ତିନୀ ମାତା ଶବରୀଙ୍କ କୁଟୀରରେ ପଦାର୍ପଣ କରିଥିଲେ ।
ଗୁରୁ ମାତଙ୍ଗଙ୍କ କଥାରେ ଭରସା କରି ମାତା ଶବରୀ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ନିମନ୍ତେ ଅନେକ ବର୍ଷ ପ୍ରତୀକ୍ଷା କରି ରହିଥିଲେ । ବ୍ୟାକୁଳତାର ସହିତ ପ୍ରଭୁଙ୍କ ଦର୍ଶନ ଅର୍ଥେ ମାତା ଶବରୀ କୁଟୀର ଦ୍ଵାରରେ ଅପେକ୍ଷା କରି କରି କ୍ରମେ ବାର୍ଦ୍ଧକ୍ୟକୁ ଉପନୀତ ହୋଇ ଯାଇଥିଲେ । ପ୍ରଭୁଙ୍କ ସ୍ଵାଗତ ପାଇଁ ମାତା ଶବରୀ ସବୁଦିନ ପ୍ରତ୍ୟୁଷରୁ ଉଠି ନିଜର କୁଟୀରକୁ ସଫାସୁତୁରା ରଖି ଗୋମୟରେ ଲିପାପୋଛା କରୁଥିଲେ । ପ୍ରଭୁ ଆସିଲାବେଳେ ଯେପରି ତାଙ୍କର ସୁକୋମଳ ଚରଣକୁ କଷ୍ଟ ନହେବ , ସେଥିପାଇଁ କୁଟୀରର ପ୍ରବେଶ ପଥକୁ ନାନାଦି ବନପୁଷ୍ପରେ ବିଛାଇ ରଖୁଥିଲେ । ଭଗବାନ ଶ୍ରୀରାମଙ୍କ ଭୋଜନ ନିମନ୍ତେ ନାନା ପ୍ରକାର ବନଜାତ ସୁମିଷ୍ଟ କନ୍ଦମୂଳ ସଂଗ୍ରହ କରି ରଖୁଥିଲେ । ପ୍ରଭୁଙ୍କ ପାଟିକୁ ରୁଚିକର ହେବା ପାଇଁ ମାତା ଶବରୀ ବଣରୁ ତୋଳି ଆଣୁଥବା କୋଳିସବୁକୁ ଚାଖିଚାଖି ( କେବଳ ମିଠାକୋଳି ) ରଖୁଥିଲେ ।
ଗୁରୁ ମାତଙ୍ଗ ହିମାଳୟରେ ତପସ୍ୟା ନିମନ୍ତେ ପ୍ରସ୍ଥାନ କରିବା ପୂର୍ବରୁ ମାତା ଶବରୀଙ୍କୁ ଆଶୀର୍ବାଦ କରି କହିଥିଲେ -
" ପୁତ୍ରୀ ଶବରୀ ! ତୋର ନିସ୍ଵାର୍ଥପର ସେବା ଓ ଗୁରୁଭକ୍ତିରେ ମୁଁ ଅତ୍ୟନ୍ତ ପ୍ରସନ୍ନ ! ମୁଁ ତୋତେ ଆଶୀର୍ବାଦ କରୁଛି ଯେ ତୁ ଯେଉଁ ମନୋରଥ ନେଇ ମୋ ଆଶ୍ରମକୁ ଆସିଥିଲୁ ତାହା ନିଶ୍ଚିତ ଫଳବତୀ ହେବ । ତୁ ମୋର ଆଶ୍ରମରେ ରହି ମନପ୍ରାଣ ଲଗାଇ ଈଶ୍ବରଙ୍କ ଭଜନସାଧନ କର । ତୁ ଭଗବାନଙ୍କୁ ଅନ୍ୟତ୍ର ଖୋଜି ବୁଲିବା ଆବଶ୍ୟକ ନାହିଁ । ବରଂ ସ୍ଵୟଂ ପ୍ରଭୁ ତ୍ରେତୟାଯୁଗରେ ଭଗବାନ ଶ୍ରୀହରି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରୂପରେ ଅବତାର ଗ୍ରହଣ କରିବାରେ । ପିତୃସତ୍ୟ ପାଳି ୧୪ ବର୍ଷ ପାଇଁ ବନବାସ କାଟିବେ । ରାବଣ ଦ୍ୱାରା ଅପହୃତ ନିଜର ପତ୍ନୀ ସୀତାଙ୍କୁ ଖୋଜିଖୋଜି ସେହି ଦଶରଥନନ୍ଦନ ପ୍ରଭୁ ଶ୍ରୀରାମ ସାନୁଜ ଲକ୍ଷ୍ମଣ ସହିତ ନିଶ୍ଚୟ ତୋରି କୁଟୀରକୁ ଆସିବେ । ଭଗବାନଙ୍କ କରୁଣାରୁ ସେହିଦିନ ତୋତେ ଜୀବନର ଚରମ ସିଦ୍ଧିପ୍ରାପ୍ତ ହେବ ।
ଏହାକହି ମାତଙ୍ଗ ଋଷି ତପସ୍ୟା ପାଇଁ ଚାଲିଗଲେ । ଭଗବାନ ତ ଆସିବେ କିନ୍ତୁ କେଉଁଦିନ ଆସିବେ ଏହା ଗୁରୁଙ୍କୁ ପଚାରିବାକୁ ମାତା ଶବରୀ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ତଥାପି ଗୁରୁଙ୍କ ଆଜ୍ଞା ଉପରେ ଅଖଣ୍ଡ ବିଶ୍ୱାସ କରି ମାତା ଶବରୀ ସେହିଦିନ ଠାରୁ ଭଗବାନଙ୍କୁ ଅପେକ୍ଷା କରି ରହିଲେ । ମାତା ଶବରୀ ପ୍ରତିଦିନ ନିଜର ଦିନଚର୍ଯ୍ୟାରେ କେବଳ ପ୍ରଭୁଙ୍କ ସେବାରେ ନିଜକୁ ସଦାବେଳେ ପ୍ରସ୍ତୁତ କରି ରଖୁଥିଲେ । କିନ୍ତୁ ଭଗବାନ କେବେ ଆସନ୍ତିନି । ଏଥିରେ ଶବରୀ ଧୈର୍ଯ୍ୟ ନ ହରାଇ ପୁଣି ପରବର୍ତ୍ତୀ ଦିନରେ ପ୍ରସ୍ତୁତି ଆରମ୍ଭ କରୁଥିଲେ । ତାଙ୍କର ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ ମୂହୁର୍ତ୍ତ କେବଳ ଭଗବାନ ଶ୍ରୀରାମଙ୍କ ଚିନ୍ତନରେ ବ୍ୟତୀତ ହେଉଥିଲା । କିନ୍ତୁ କେଉଁଦିନ ବି ଭଗବାନଙ୍କ କୃପା ହୁଏନି । ତଥାପି ମାତା ଶବରୀ କଦାପି ଧୈର୍ଯ୍ୟଚ୍ୟୁତ ନହୋଇ ଗୁରୁବଚନ ଓ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖି ନିରନ୍ତର ସାଧନା କରି ଚାଲନ୍ତି । ଜୀବନବ୍ୟାପୀ ଏମିତି ସାଧନା କରିକରି ମାତା ଶବରୀ ଦିନେ ବାର୍ଦ୍ଧକ୍ୟରେ ପହଞ୍ଚି ଗଲେ ।
ଯେତେବେଳେ ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣ ଶବରୀର କୁଟୀରଦ୍ଵାରରେ ଉପସ୍ଥିତ ହୋଇଗଲେ , ଶବରୀ ଅଜ୍ଞାନତା ବଶତଃ ପରିଚୟ ପଚାରିଲେ । ଯେତେବେଳେ ଭଗବାନ ନିଜର ପରିଚୟ ଦେଲେ ସେତେବେଳେ ମାତା ଶବରୀଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେ ପ୍ରେମ ପୁଲକିତ ହୋଇ ବାରମ୍ବାର ପ୍ରଭୁଙ୍କ ନବଦୁର୍ବାଦଳ ଘନଶ୍ୟାମ ବନବାସୀ ରୂପକୁ ସନ୍ଦର୍ଶନ କରି ରହୁଥିଲେ । ଦୀର୍ଘ ବର୍ଷ ପରେ ତପସ୍ୟାର ଫଳସ୍ଵରୁପ ଭଗବାନ ଶ୍ରୀରାମ ମାତା ଶବରୀ ସମ୍ମୁଖରେ ବିରାଜମାନ କରିଛନ୍ତି । ପରମ ପ୍ରେମରେ ତଲ୍ଲୀନ ହୋଇ ଶବରୀ ପ୍ରଭୁଙ୍କୁ ଆଦର ସହିତ ଗୃହ ଭିତରକୁ ପାଛୋଟି ନେଲେ । ନିଜର ଅଶ୍ରୁଜଳରେ ପ୍ରଭୁଙ୍କ ପାଦଧୌତ କରି ପ୍ରଣିପାତ କଲେ ଓ ବସିବା ପାଇଁ କୁଶାସନ ପ୍ରଦାନ କଲେ । ପୂର୍ବରୁ ବଣରୁ ତୋଳି ଆଣି ରଖିଥିବା କୋଳିସବୁକୁ ମାତା ଶବରୀ ଚାଖିଚାଖି ପ୍ରଭୁଙ୍କୁ ଖୁଆଇଲେ । ଭାବଗ୍ରାହୀ ପ୍ରଭୁ ଶ୍ରୀରାମ ମଧ୍ୟ ନିଜ ଭକ୍ତର ଭାବନାରେ ଦ୍ରବିତ ହୋଇ ସେହି ଅଇଁଠା କୋଳିକୁ ପରମାନନ୍ଦରେ ଗ୍ରହଣ କରୁଥିଲେ । ସେ ତ ଭାବର ଠାକୁର ! ବାସ୍ତବିକ ଭଗବାନ ଭକ୍ତର ଭାବ ଟିକିଏ ପାଇବା ପାଇଁ କଣ ନକରି ପାରନ୍ତି !
ମାତା ଶବରୀ ଭଗବାନ ଶ୍ରୀରାମଙ୍କୁ ନିବେଦନ କରି ବିନମ୍ରତା ସହିତ କହୁଛନ୍ତି -
କେହି ବିଧି ଅସ୍ତୁତି କରୌଁ ତୁମ୍ହାରୀ ।
ଅଧମ ଜାତି ମୈ ଜଡମତି ଭାରୀ ।।
ଅଧମ ତେ ଅଧମ ଅଧମ ଅତି ନାରୀ ।
ତିହ୍ନ ମହଁ ମୈ ମତିମନ୍ଦ ଅଘାରୀ ।।
( ମାନସ / ଅରଣ୍ୟକାଣ୍ଡ )
ଲୋତକପୂର୍ଣ୍ଣ ଚକ୍ଷୁ ଓ ବାଷ୍ପରୁଦ୍ଧ କଣ୍ଠରେ ପରମ ତପସ୍ଵିନୀ ମାତା ଶବରୀ ଭଗବାନ ଶ୍ରୀରାମଙ୍କୁ କହିଲେ - ହେ ପ୍ରଭୁ ! ମୁଁ ଆପଣଙ୍କୁ କିପରି ଉପାୟରେ ବନ୍ଦନା କରିବି ( ଅର୍ଥାତ୍ ମୁଁ ଆପଣଙ୍କ ଭକ୍ତି , ପୂଜାପାଠ , ମନ୍ତ୍ର ବିଧିନିୟମ କିଛି ଜାଣେନାହିଁ ) । ଏଥିପାଇଁ ମୋର କୌଣସି ବିଶେଷ ଯୋଗ୍ୟତା ନାହିଁ ।
" ହେ ରଘୁନନ୍ଦନ ! ମୁଁ ଜଣେ ପାପୀନି ଓ ମନ୍ଦବୁଦ୍ଧିଯୁକ୍ତା ନାରୀ ଅଟେ । କାରଣ ମୋର ଜନ୍ମ ଅତି ଅଧମ ଶବରକୁଳରେ ହୋଇଛି । ମୁଁ ଅଧମରୁ ଅଧମ ନାରୀମାନଙ୍କ ଠାରୁ ମଧ୍ୟ ଅଧମ ଅଟେ !
ବାସ୍ତବିକ ଏହା ହିଁ ତ ହେଉଛି ପ୍ରକୃତ ଭକ୍ତର ପ୍ରଭୁଙ୍କ ପ୍ରତି ବିନମ୍ରତା ଓ ଭାବାଆବେଗ ! ଭକ୍ତ କଦାପି ନିଜର ଆରାଧ୍ୟ ଭଗବାନଙ୍କ ନିକଟରେ ନିଜକୁ ଶ୍ରେଷ୍ଠ ( ଅହଙ୍କାର ) ପ୍ରତିପାଦିତ କରେନାହିଁ । ସବୁବେଳେ ଭଗବାନଙ୍କ ଚରଣକମଳ ତଳେ ରହି ପ୍ରଭୁଙ୍କ କୃପାକୈବଲ୍ୟ ଟିକିଏ ପ୍ରାପ୍ତ କରିବା ପାଇଁ ଭକ୍ତଟିଏ ଚାତକ ପକ୍ଷୀ ଭଳି ଚାହିଁ ବସିଥାଏ !
ଅନୁରୂପ ଭାବେ ଶ୍ରୀମଦ ଭାଗବତ ପୁରାଣରେ ବର୍ଣ୍ଣିତ ଭକ୍ତରାଜ ପ୍ରହ୍ଲାଦଙ୍କ ଜୀବନୀକୁ ଅବଲୋକନ କଲେ ଏହା ମଧ୍ୟ ଜଣାପଡେ କି ଭଗବାନଙ୍କ ପରମଭକ୍ତ ପ୍ରହଲ୍ଲାଦ ଭଗବାନ ନୃସିଂହଙ୍କୁ ସ୍ତବ କରି ସେଦିନ କହିଥିଲେ -
ମୁଁ ଛାର ଅସୁର ହୋଇଣ ।
କେହ୍ନେ ତୋଷିବି ନାରାୟଣ ।।
( ଭାଗବତ )
" ହେ ମହାପ୍ରଭୁ ! ହେ ପ୍ରହ୍ଲାଦେଶ ! ଯେଉଁଠି ସାତ୍ତ୍ଵିକ ଗୁଣଯୁକ୍ତ ସୃଷ୍ଟିକର୍ତ୍ତା ବ୍ରହ୍ମା , ଶଙ୍କର , ଇନ୍ଦ୍ରାଦି ଦେବତା ଓ ସିଦ୍ଧ ମୁନିଗଣମାନେ ମଧ୍ୟ ଆପଣଙ୍କ ସ୍ତୁତିକରି ସନ୍ତୁଷ୍ଟ କରି ପାରିଲେ ନାହିଁ , ସେପରି ସ୍ଥଳେ ମୋ ଭଳି ଜଣେ ନୀଚ ତମୋଗୁଣୀ ଅସୁର ଆପଣଙ୍କୁ କିପରି ଭାବରେ ସନ୍ତୁଷ୍ଟ କରି ପାରିବ ? ଅସୁରକୁଳରେ ଜନ୍ମ ହୋଇଥିବା କାରଣରୁ ମୋର ଶରୀର , ମନ , ବୁଦ୍ଧି , ମତି ସବୁ ଅପବିତ୍ର ତଥା ତମଗୁଣରେ ଦୂଷିତ ! ମୋର କଣ ବା ଯୋଗ୍ୟତା ଅଛି ଯେ ଆପଣଙ୍କ ଭଳି ପରମପୁରୁଷଙ୍କୁ ସନ୍ତୋଷବିଧାନ କରି ପାରିବି ?
🙏// ଜୟ ଶ୍ରୀରାମ //🙏
#odia_adhyatmika_katha #ame_odia_ama_jagannath
❤️
🙏
10