
Suryalok🌞
June 21, 2025 at 01:12 AM
*|| ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ ||*
👉 ଆଜି ପବିତ୍ର ଖଳିଲାଗି ଏକାଦଶୀରେ ଶ୍ରୀମନ୍ଦିରର ପରମ୍ପରା କ୍ରମେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି ଓ ଦଶମୂଳ ମୋଦକ ଲାଗି ନୀତି କରାଯାଇଥାଏ ।
👉 ଶ୍ରୀଜୀଉମାନେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ଜଳ ସ୍ନାନ କରି ଲୀଳା ମାଧ୍ୟମରେ ଜ୍ଜ୍ୱରରେ ପୀଡିତ ହୋଇ ସ୍ନାନ ବେଦୀରୁ ଅଣସର ପିଣ୍ଡିକୁ ଗୋଟି ପହଣ୍ଡିରେ କରି ନିରୋଧନ ଗୃହ ବା ଅଣସର ଗୃହରେ ୧୫ ଦିନ ନିମନ୍ତେ ଅବସ୍ଥାନ କରୁଛନ୍ତି ।
👉 ଗତକାଲି ଅଣସର ଦଶମୀରେ ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଚନ୍ଦନ କାଠରୁ ଘୋରିକି ଚନ୍ଦନ ପ୍ରସ୍ତୁତ କରି ଘଟୁଆରୀମାନେ ଗାରଦ ଘରେ ଜିମା ଦେଇଥାନ୍ତି ।
👉 ଦକ୍ଷିଣି ଘରେ କର୍ପୂର, ଚୁଆ, କସ୍ତୁରୀ, କୁଂକୁମ ବଟାଯାଇ ଚନ୍ଦନରେ ମିଶାଯାଏ । ଦଇତା ଓ ପତି ମହାପାତ୍ର ଉକ୍ତ ସୁବାସିତ ଦ୍ରବ୍ୟକୁ ଅଣସର ଗୃହକୁ ବିଜେ କରି ତିନି ବାଡରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି ।
👉 ହଡପ ନାଏକ ବିଡିଆ ମଣୋହି କରାଉଥାନ୍ତି ଏବଂ ରାଘବ ଦାସ ମଠ ପ୍ରଦତ୍ତ ୨୨ ହାଣ୍ଡି ଖଇ, କୋରା, କଦଳୀ, ପଣସ, ଆମ୍ବ ଇତ୍ୟାଦି ଭୋଗ ହୋଇଥାଏ ।
👉 ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି ସମୟରେ ବାହାରେ ପାଳିଆ ଖୁଣ୍ଟିଆ ମଣିମା ଡାକ ଦେଇଥାନ୍ତି ।
👉 ଗତକାଲି ଶ୍ରୀମନ୍ଦିରର ରାଜବୈଦ୍ୟ ସେବକ ମାନେ ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଦଶମୂଳ ମୋଦକ ପ୍ରସ୍ତୁତ କରି ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରିଥାନ୍ତି।
👉 ଏହି ଦଶମୂଳ ମୋଦକ ଆଜି ମହାପ୍ରଭୁଙ୍କୁ ଲାଗି ହୋଇଥାଏ।
👉 ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଆଜି ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟ ରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ଆରମ୍ଭ ହୋଇଥାଏ।
👉 ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗି ହୋଇଥାଏ। ଗହମ ଗୁଣ୍ଡକୁ ଶୁକ୍ଳ ବସ୍ତ୍ରରେ ଛଣାଯାଇ ଖଳି ପ୍ରସ୍ତୁତ ହୋଇଥାଏ। ସେହିପରି ଶଙ୍ଖ କୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରାଯାଏ। ଯାହାକୁ ଶ୍ରୀମନ୍ଦିର ଭାଷାରେ ଖଳିଲାଗି କୁହାଯାଏ ।
*ରାମକୃଷ୍ଣ ରାୟ*
