
PDF MARKET
February 9, 2025 at 02:47 PM
ଆଜି 'ସମାଜ' ସମ୍ପାଦକୀୟ ପୃଷ୍ଠାରେ
ସକ୍ରେଟିସଙ୍କ ବହି
ପରଂବ୍ରହ୍ମ ତ୍ରିପାଠୀ
ଛୋଟିଆ ପ୍ରଶ୍ନଟିଏରୁ ଆରମ୍ଭ କରିବା। ଗ୍ରୀକ ଦାର୍ଶନିକ ସକ୍ରେଟିସ କେତେଖଣ୍ଡ ବହି ଲେଖିଛନ୍ତି? ଦଶ ଖଣ୍ଡ, ପଚାଶ ଖଣ୍ଡ, ଶହେ ଖଣ୍ଡ? ହଁ, ସିଏ ପରା ପାଶ୍ଚାତ୍ୟ ଦର୍ଶନର ଜନକ, ଶହେ କଣ ତାଠାରୁ ଅଧିକ ବହି ଲେଖିଥିବେ। ହେଲେ ସତ୍ୟଟି ହେଉଛି ବହି ତ ଦୂରର କଥା, ସକ୍ରେଟିସ ତାଙ୍କ ଜୀବନ କାଳରେ ଶବ୍ଦଟିଏ ମଧ୍ୟ ଲେଖିନଥିଲେ। କାରଣ ସକ୍ରେଟିସ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ ଯେ ଲେଖିଦେଲେ ଭାବନା ନିଜ ତରଳତା ହରାଏ, ଜମାଟ ବାନ୍ଧିବାକୁ ଆରମ୍ଭ କରେ, ଏବଂ ଭାବନାର ବିବର୍ତ୍ତନ ପ୍ରକ୍ରିୟା ବନ୍ଦ ହୋଇଯାଏ। ଲେଖିବା ବଦଳରେ ପାରସ୍ପରିକ ସମ୍ବାଦ ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ। ଆଉ ଏ ସମ୍ବାଦର ମୂଳପିଣ୍ଡ ଥିଲା ପ୍ରଶ୍ନ ଓ ଉତ୍ତର। ସକ୍ରେଟିସ ନିଜ ସମେତ ସାରା ବିଶ୍ୱକୁ ପ୍ରଶ୍ନ କରିବାକୁ ଓ ସାରା ବିଶ୍ୱ ତାଙ୍କୁ ପ୍ରଶ୍ନ କରିବା ଉପରେ ଗୁରୁତ୍ୱ ଦେଉଥିଲେ। ପ୍ରଶ୍ନାକୁଳତା ତାଙ୍କ ପାଇଁ କୌଣସି ପ୍ରୟୋଗ ନଥିଲା, ବରଂ ଏହା ଥିଲା ତାଙ୍କ ପାଇଁ ଜୀବନ ଶୈଳୀ। ତାଙ୍କ ପରେ ତାଙ୍କ ଶିଷ୍ୟ ଓ ବିଶ୍ୱର ଅନ୍ୟତମ ମହାନ ଦାର୍ଶନିକ ପ୍ଲାଟୋ ସକ୍ରେଟିସଙ୍କ ଦର୍ଶନକୁ ଲିପିବଦ୍ଧ କରିଥିଲେ। ମାତ୍ର ସକ୍ରେଟିସ ଆଜୀବନ ଭାବନାର ପ୍ରବାହ ଓ ପ୍ରଶ୍ନର ଶକ୍ତି ଉପରେ ବିଶ୍ୱାସ ରଖିଥିଲେ, ଭାବନାକୁ ଲିଖିତ ରୂପ ଦେବା ଉପରେ ନୁହେଁ।
ସମସ୍ତ ପ୍ରାଚୀନ ମାନବ ସଭ୍ୟତା ଭିତରୁ ଉଭୟ ଭାରତୀୟ ଓ ଗ୍ରୀକ ସଭ୍ୟତାରେ ପ୍ରଶ୍ନ ପଚାରିବାର ପରମ୍ପରା ଅତି ପୁରୁଣା। ଗ୍ରୀକ ସଭ୍ୟତାରେ ଦାର୍ଶନିକ ଥିଲେ, ଆମ ପାଖରେ ଥିଲେ ଆମ ଋଷିକୁଳ, ଯେଉଁମାନଙ୍କ ବେଦ ଏବଂ ଉପନିଷଦ ଜୀବନ, ଏହାର ଅସ୍ତିତ୍ୱ ଓ ପରିପ୍ରକାଶ ସମ୍ବନ୍ଧୀୟ ପ୍ରଶ୍ନାକୁଳତାରେ ପରିପୂର୍ଣ୍ଣ ଥିଲା। ଭାରତୀୟ ପରମ୍ପରାରେ ଶାସ୍ତ୍ରାର୍ଥର ପରିଷ୍ଫୁଟନ ହୋଇଥିଲା, ଏହି ପରମ୍ପରାରେ ସତ୍ୟର ଅନୁସନ୍ଧାନ ପାଇଁ ଅସଂଖ୍ୟ ବିଦ୍ୱାନ ପ୍ରଶ୍ନକୁ ଶସ୍ତ୍ର ଭାବେ ଗ୍ରହଣ କରିଥିଲେ। ରାମାୟଣ ଠାରୁ ନେଇ ମହାଭାରତ ଯାଏ ସମ୍ବାଦ ବା ପ୍ରଶ୍ନ କରିବାର ପରମ୍ପରାର ଉଦାହରଣ ଯାହାକୁ ଯେତେ। ଋକବେଦର ନିଶାଦୀୟ ସୂକ୍ତି ତ ଏସବୁ ଠାରୁ ପାଦେ ଆଗେଇ ଯାଇ ବ୍ରହ୍ମାଣ୍ଡ ଉତ୍ପତ୍ତିକୁ ପ୍ରଶ୍ନ କରିଛି ଆଉ ଏହି ନିଷ୍କର୍ଷରେ ପହଁଚିଛି ଯେ 'ଭଗବାନ ବୋଧେ ଜାଣି ନାହାନ୍ତି'। ସେହି ପରମ୍ପରାର ଦାୟାଦ ହୋଇ ଆଜି ଆମେ କରୁଛେ କଣ? ପ୍ରଶ୍ନାକୁଳତାର ସେ ସମ୍ଭ୍ରାନ୍ତ ପରମ୍ପରା ଓ ସଂସ୍କୃତି କେମିତି ଆଜି 'ଜି ହଜୁରୀ' ଆଉ ଅଯଥା ସମ୍ମତିର କ୍ରୀତଦାସତ୍ୱରେ ପରିଣତ ହେଲା? ଆମେ ଯେ ତର୍କ କରୁନେ ସେକଥା କହିବା ଭୁଲ। କିନ୍ତୁ ଆମେ ତର୍କ ସତ୍ୟର ଅନ୍ୱେଷଣ ପାଇଁ ନୁହେଁ ବରଂ ପ୍ରତିପକ୍ଷକୁ ଭୁଲ ବୋଲି ପ୍ରମାଣିତ କରିବା ପାଇଁ ହିଁ କରୁଛୁ। ସେଇଥିପାଇଁ ପ୍ରଶ୍ନ କରିବା ବଦଳେ ଆମେ ନିଜେ ବିଶ୍ୱାସ କରୁଥିବା ଜିନିଷ ସହ ଖାପ ଖାଉଥିବା କଥା, ଉତ୍ତର ବା ଗଳ୍ପତ୍ମକତା (ନ୍ୟାରେଟିଭ) ପାଇଁ ଅଧିକ ଉତ୍ସାହୀ, ଅଧିକ ଆଗ୍ରହୀ।
ଆମେ ଏକ ଅଭୂତପୂର୍ବ ସମୟରେ ବଞ୍ଚୁଛେ। ସୂଚନା ଓ ତଥ୍ୟ କେବେ ବି ମଣିଷ ପାଇଁ ଏତିକି ଅଭିଗମ ନଥିଲା, ଯାହା ଏବେ ଅଛି। ସୂଚନା ପାଇବାର ପ୍ରଚୁର ଅବସର, ସୂଚନା ସତ କି ମିଛ ପରୀକ୍ଷା କରିବା ପାଇଁ ଏକାଧିକ ସାଧନ ଓ ମଞ୍ଚ ଥାଇ ମଧ୍ୟ ଆମେ ଆମ ନିଜ ପକ୍ଷପାତିତା ଓ ଏକପାଖିଆ ମନୋଭାବର ଶିକାର। ଡିଜିଟାଲ ଯୁଗରେ ପୁଷ୍ଟିକରଣ ପୁର୍ବାଗ୍ରହ(କନଫର୍ମେସନ ବାୟସ ) ଏବେ ଆମ ଭିତରୁ ସଂଖ୍ୟାଧିକଙ୍କର ବିଶେଷତ୍ୱ ପାଲଟିଛି। କୌଣସି ସୂଚନା, ତଥ୍ୟ ବା ବିଷୟବସ୍ତୁକୁ ନିଜ ପୂର୍ବ ବିଶ୍ୱାସ ବା ଧାରଣା ଅନୁସାରେ ସମର୍ଥନ ବା ବିରୋଧ କରିବାକୁ ପୁଷ୍ଟିକରଣ ପୁର୍ବାଗ୍ରହ କୁହାଯାଏ। ମଣିଷମାନଙ୍କ ଏହି ପ୍ରକୃତି ସହ ତାଳ ଦେଇ ବା ତାଠୁ ଦ୍ରୁତ ଗତିରେ ବଦଳୁଛି ଆଜି ଆମର ଜୀବନରେଖାରେ ଓ ବ୍ୟକ୍ତିତ୍ୱର ମୁଖ୍ୟ ପରିଚୟ ପାଲଟିଥିବା ସାମାଜିକ ଗଣମାଧ୍ୟମର ଆଲଗୋରିଦିମ। ଆପଣ ଯାହା ପସନ୍ଦ କରୁଛନ୍ତି, ଯାହା ଶୁଣିବାକୁ ଚାହୁଁଛନ୍ତି, ଯାହା ଦେଖିବାକୁ ଚାହୁଁଛନ୍ତି, ଆପଣ ଯେପରି କେବଳ ସେଇଆ ହିଁ, ଦେଖିବେ, ଶୁଣିବେ ଓ ଭାବିବେ, ତାହା ସୁନିଶ୍ଚିତ କରୁଛି ପ୍ରତିଟି ସାମାଜିକ ଗଣମାଧ୍ୟମର ଆଲଗୋରିଦିମ। ଯେଉଁ ତଥ୍ୟ, ସୂଚନା କିମ୍ବା ଭାବନା ଆମ ନିଜ ପୁର୍ବାଗ୍ରହର ପରିପନ୍ଥୀ, ସେଗୁଡିକ ସହ ଆମର ବହୁତ କମ ସାକ୍ଷାତ ହେଉଛି। ସୀମିତତାର ଏହି ଖୋସା ଆମକୁ ନିଜ ଭାବନା ରାଜ୍ୟର ରାଜା କରିଥାଇ ପାରେ କିନ୍ତୁ ସାମଗ୍ରିକ ବୌଦ୍ଧିକତା ଦୃଷ୍ଟିରୁ ଆମକୁ ଦିନକୁ ଦିନ ଅଧିକ ବାଙ୍ଗରା କରୁଛି।
ମୋଟାମୋଟି ଆମେ ବର୍ତ୍ତମାନ ନିଜ ସମୟର ହିଁ ଶିକାର ପାଲଟିଛେ। ଛୋଟିଆ ଉଦାହରଣଟିଏ ଦେଖନ୍ତୁ। ହ୍ଵାଟ୍ସଆପ ବିନା ଏବେ ଆମ ଜୀବନ ଓ କାମ ଅଚଳ କହିଲେ ଚଳେ। ହେଲେ ହ୍ଵାଟ୍ସଆପରେ ଆସୁଥିବା ଫରୱାର୍ଡ଼ ସନ୍ଦେଶ ଗୁଡିକର ସତ୍ୟାସତ୍ୟ ଆମ ଭିତରୁ କେତେ ଜଣ ପରୀକ୍ଷା କରନ୍ତି? ହ୍ଵାଟ୍ସଆପରେ ଆସିଲା 'ଜନ ଗଣ ମନ'କୁ ବିଶ୍ୱର ଶ୍ରେଷ୍ଠ ଜାତୀୟ ସଙ୍ଗୀତର ମାନ୍ୟତା ମିଳିଲା, ଆମେ ଖାଲି ବିଶ୍ୱାସ କଲେନି ବରଂ କାଳ ବିଳମ୍ବ ନକରି ନିଜ ଚିହ୍ନା ପରିଚୟଙ୍କୁ ଫରୱାର୍ଡ଼ ମଧ୍ୟ କଲେ। ହ୍ଵାଟ୍ସଆପରେ ଆସିଲା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଆତଙ୍କବାଦୀ। ଆମ ଆଖପାଖରେ ସେ ସମ୍ପ୍ରଦାୟର କେହି ନଥାଉ ପଛେ କିମ୍ବା ସେହି ସମ୍ପ୍ରଦାୟର କେହି ଆମର କିଛି ବ୍ୟକ୍ତିଗତ କ୍ଷତି କରି ନଥାଉ ପଛକେ, ଆମେ ସମୁଦାୟ ସମ୍ପ୍ରଦାୟ ପ୍ରତି ଘୃଣାପୋଷଣ ଆରମ୍ଭ କଲେ। ଉଦାହରଣ ଅନେକ। ହେଲେ ଭୁଲ ତଥ୍ୟ ବା ସୂଚନା ସେତେବଡ଼ ସମସ୍ୟା ନୁହେଁ। ବରଂ ପ୍ରକୃତ ସମସ୍ୟାଟି ହେଉଛି ଭୁଲ ତଥ୍ୟ ଓ ସୂଚନାକୁ ଆଦରିନେବା ପାଇଁ ଆମ ବ୍ୟଗ୍ରତା। ଯଦି କୌଣସି ତଥ୍ୟ ଆମ ରାଜନୈତିକ, ଧାର୍ମିକ, ଆଞ୍ଚଳିକ ଦୃଷ୍ଟିଭଙ୍ଗୀ ସହ ସାମାନ୍ୟ ମେଳ ଖାଇଲା, ତାହାଲେ ତାର ପ୍ରାମାଣିକତା ପରୀକ୍ଷା କରିବା ବା ପ୍ରାମାଣିକତାକୁ ପ୍ରଶ୍ନ କରିବା ପାଇଁ ନା ଆମ ପାଖରେ ଅଛି ଧୈର୍ଯ୍ୟ ନା ଅଛି ମାନସିକତା।
ସାମାଜିକ ଗଣମାଧ୍ୟମ ଯୁଗରେ ଆମ ଭିତରୁ ଅଧିକାଂଶ ଏବେ ଇକୋ(ପ୍ରତଧ୍ୱନି) ଚାମ୍ବର ପ୍ରଭାବର ଶିକାର। ଆମେ ଠିକ ନିଜ ଭଳି ଭାବୁଥିବା, ନିଜ ଭଳି ପ୍ରତିକ୍ରିୟା ପ୍ରକାଶ କରୁଥିବା ଭିଡ଼ ଭିତରେ ଦିନକୁ ଦିନ ଅଧିକ ସଂଗଠିତ ହେବାକୁ ଚେଷ୍ଟା କରୁଛେ। ଏହା ହୁଏତ ଆମ ନିଜ ଭାବନାର ଦୃଢ଼ୀକରଣ ପାଇଁ ଭଲ ହୋଇପାରେ, ମାତ୍ର ଏହା ଆମକୁ ବିରୋଧଭାସ ପାଇଁ ଦିନକୁ ଦିନ ଅଧିକରୁ ଅଧିକ ଅସହିଷ୍ଣୁ କରୁଛି। ଏକବିଂଶ ଶତାବ୍ଦୀର ଭାରତ ଏହି ଇକୋ ଚାମ୍ବର ପ୍ରଭାବର ନମୁନା ଅଧ୍ୟୟନ ବା କେଶ ଷ୍ଟଡି ପାଲଟିଛି। ଖବରକାଗଜ, ଖବର ଚ୍ୟାନେଲ, ସାମାଜିକ ଗଣମାଧ୍ୟମ, ଏସମସ୍ତେ ଆମର ପୁର୍ବାଗ୍ରହକୁ ଅଧିକ ପରିପୁଷ୍ଟ କରିବା, ଧୃଵୀକୃତ କରିବା ଓ ସେହି ଅନୁସାରେ ଆମର ଦୈନନ୍ଦିନ ଜୀବନ ଶୈଳୀ ସ୍ଥିର କରିବା ଦିଗରେ ଆମକୁ ପ୍ରୋତ୍ସାହିତ କରିବା ନିମିତ୍ତ ଅକଥ ପରିଶ୍ରମ ଓ ପ୍ରଚେଷ୍ଟା କରୁଛନ୍ତି। ଆଉ ତାରି ଭିତରେ କୋଳାହଳ ଏବଂ ଅଶାନ୍ତ ଉଦଗୀରଣ ଧୀରେ ଧୀରେ ଆମ ପାଇଁ ଦେହସୁହା ହୋଇ ଚାଲିଛି ଓ ବିବିଧତାକୁ ସମ୍ମାନ ଏବଂ ପ୍ରଶୟ ଦେବାର ପ୍ରବୃତ୍ତି ଆମ ଭିତରୁ ସରି ସରି ଯାଉଛି।
ଏପରି ସଂଦିକ୍ଷଣରେ ଭାରତ ଭଳି ଏକ ଐତିହ୍ୟ ଓ ବିବିଧତା ସମ୍ପନ୍ନ ଦେଶ ପାଇଁ ପ୍ରଶ୍ନ ପଚାରିବା ପ୍ରବୃତ୍ତିର ପ୍ରଚାର ଓ ପ୍ରସାର କେବଳ ଏକ ବୌଦ୍ଧିକ ବିଳାସ ନୁହେଁ, ବରଂ ଏକ ଆବଶ୍ୟକତା। ଆମ ପ୍ରଶ୍ନ ପଚାରିବାର ପ୍ରବୃତ୍ତି ମରିଗଲେ ଆମର ପୁଷ୍ଟିକରଣ ପୁର୍ବାଗ୍ରହ ଆମକୁ ଏକଛତ୍ରବାଦର ଜାଲରେ ପଡ଼ିବା ଦିଗରେ ପ୍ରେରିତ କରିବ ଓ ଗୋଟିଏ ନ୍ୟରେଟିଭ ହିଁ ନିଜର ପ୍ରାଧାନ୍ୟ ଦେଖାଇବ। ଏଦିଗରେ ଆମ ଶିକ୍ଷା ବ୍ୟବସ୍ଥାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାନକୁ ଭଲ ଶୁଣା ଯାଉ କି ନଯାଉ, ଏହା ହିଁ ଅପ୍ରିୟ ସତ୍ୟ ଯେ ଭାରତୀୟ ବିଦ୍ୟାଳୟ ମାନଙ୍କରେ ପିଲାଙ୍କ ଭିତରେ ପ୍ରଶ୍ନ ପଚାରିବାର ପ୍ରବୃତ୍ତିକୁ ନିରୁତ୍ସାହିତ କରାଯାଉଛି। ଆମ ପିଲାମାନେ 'କଣ'କୁ ଘୋଷି ପକେଇବାରେ ଏତେ ବ୍ୟସ୍ତ ଓ ବ୍ୟଗ୍ର ଯେ, 'କାହିଁକି' ଶବ୍ଦଟି ଧୀରେ ଧୀରେ ସେମାନଙ୍କ ପାଇଁ ଅପରିଚିତ ଓ ଅପହଞ୍ଚ ହେବାରେ ଲାଗିଛି। ଏପରି ହେଲେ ଆମେ ଏମିତି ଗୋଟେ ପିଢ଼ି ତିଆରି କରିବା ଯିଏ ସ୍ଥିତାବସ୍ଥାକୁ ପ୍ରଶ୍ନ କରିବାକୁ, ସତ୍ୟର ସନ୍ଧାନ କରିବାକୁ ଡରିବ। ଗୋଟିଏ ପିଢ଼ି ଏପରି ହୋଇଗଲେ କିଛି ହାତଗଣତି ଶାସକ, ପ୍ରଶାସକ ଓ ବଣିକ ଗୋଷ୍ଠୀ ହୁଏତ ଲାଭବାନ ହୋଇ ପାରନ୍ତି, କିନ୍ତୁ ଭାରତୀୟ ସମାଜ ସାମୁହିକ ପକ୍ଷାଘାତର ଶିକାର ହେବ।
ପ୍ରଶ୍ନ ପଚାରିବାର ପବିତ୍ରତା ରକ୍ଷା ପାଇଁ ସକ୍ରେଟିସ ନିଜ ଭାବନାକୁ ଲିପିବଦ୍ଧ କରିବାର ବିରୋଧୀ ଥିଲେ। ଏହି ଲେଖକ ଲେଖିବା ବିରୋଧୀ ନୁହେଁ, ବରଂ ନିଜ ଚିନ୍ତନ ଓ ଲେଖନରେ ଅନ୍ୱେଷଣ ଓ ଅନୁସନ୍ଧିତ୍ସା ବଜାୟ ରଖିବା, ନିଜ ପୂର୍ବାଗ୍ରହ ସହ ଲଢ଼ିବା, ନିଜ ଚେତନାକୁ ଆହ୍ୱାନ ଦେଉଥିବା ଭାବନା ପାଇଁ ଗବାକ୍ଷ ଖୋଲିବା, ନିଜର ବିପରୀତ ମନୋଭାବ ରଖୁଥିବା ବ୍ୟକ୍ତିଙ୍କ ସହ ସମ୍ବାଦ କରିବାର ସପକ୍ଷବାଦୀ। ଆଉ ଏସମସ୍ତ ଜିନିଷ କୌଣସି ନୂଆ କଥା ନୁହେଁ, ବରଂ ମହାନ ଭାରତୀୟ ସଂସ୍କୃତି ଓ ଚେତନାର ନିହାତି କ୍ଷୁଦ୍ର ଅଂଶଟିଏ ମାତ୍ର।
❤️
😮
3