
PDF MARKET
February 13, 2025 at 03:27 PM
*ଉଠ କଙ୍କାଳ*
( ଗୋଦାବରୀଶ ମହାପାତ୍ର )
ଦୁର୍ଗମଗିରିଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି
ଡାକେ ତାନ୍ତ୍ରିକ ମନ୍ତ୍ରସାଧନେ—ଜାଗ୍ରତ ପୁରବାସୀ ।
ପୃଥ୍ୱୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ
ଖୋରଧାର ଶତ ସରଦାର ଶିର କର ଉନ୍ନତତର ।
ଉଠ କଂକାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ ମୃତ ଗୌରବରାଜି ।
ମେଘାସନତଳ ମନ୍ଦ୍ର ନିନାଦ ବାଜେ ଫୁଲଝର ବୁକେ
ରାଇବଣିଆର ରଣସଂଗୀତ ଗଞ୍ଜାମପଥେ ଡାକେ ।
ସିଂଭୂମି କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ
ସନ୍ତାନ ମୁଖେ,ଶମସାନ ବୁକେ ପ୍ରାଣ ସଂକେତ ନାହିଁ ।
ଉଠ ଦୁର୍ବଳ ଜାଗ କଂକାଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବରାଜି ।
ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ
ସମ୍ବଲପୁର ସମ୍ବଳବୀର ଦମ୍ଭ କି ନାହିଁ ଧରେ ?
ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ
ଶମସାମ ଆଜି, ମଡ଼ା ଦେଶ ଆଜି ଏହି ସେହି ଉତ୍କଳ !
ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଉଠ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ ମୃତ ଗୌରବରାଜି ।
ନିଜାମ ଭୁବନେ କୁଳବର୍ଗର ଅର୍ଗଳ ଏଡ଼ି ଦିନେ
ଗଜପତି ବୀର ' ବେରାର' ଭେଦିଲା ଜୟ ଗୌରବ ଗାନେ,
ଦୁର୍ବାର ଗଡ଼ ' ଦେବରକୋଣ୍ତା ' କହେ ଆଜି ସେହି କଥା
ବାରବାଟୀବୀର ଦେଇଥିଲା ତାର ରଣେ ଉନ୍ନତ ମଥା ,
ଛିଡ଼ୁ ଶୃଙ୍ଖଳ ଜାଗ କଙ୍କାଳ, ଉଠ ଦୁର୍ବାର ଆଜି
ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବରାଜି ।
ଖଣ୍ତାକୁଶଳ ଖଣ୍ତାୟତର ଦୁର୍ବାର କରବାଳେ
ଅଜେୟ ବଙ୍ଗ ବାହିନୀ ଶୋଇଲେ ଶତ ଗଡ଼ପ୍ରାନ୍ତରେ
ଗଉଡ଼ ଭୁବନ ହେଲା ପଦାନତ, ମଗଧ ପାଇଲା ଲୀନ
ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ,
ଜାଗ କଙ୍କାଳ ଜାଗ କଙ୍କାଳ ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବରାଜି ।
କଥା କହ, କଥା କହ କଙ୍କାଳ— ସେ କେତେ ଯୁଗର କଥା
ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା
ବିଜୟ ବିଜୟନଗର ମାଗିଲା ଶରଣ ଚରଣ ତଳେ
' ବାହାମନି' ପତି ଯବନ, ଶମନ—କାତରେ ଲୁଚିଲା ଘରେ
ଉଠ କଙ୍କାଳ ଉଠ ଦୁର୍ବଳ ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ ମୃତ ଗୌରବରାଜି ।
ହାଡ଼ ପାଶୁ ଆଜି ଭାଷା ବହିଆସୁ ଫୁଟୁ ମଡ଼ାମୁଖେ ହସ
ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ ।
ଶମଶାନଧୂଳି ଅଞ୍ଜଳିଭରି ନିଅ ପୁରବାସୀ ଜନ
ଲକ୍ଷ ଜୀବନ ସାକ୍ଷ୍ୟ ଦେବରେ ଗୌରବେ ମହୀୟାନ
ଉଠ କଙ୍କାଳ, ଭେଦି ମହାକାଳ ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ ମୃତ ଗୌରବରାଜି ।
ବେଳ ନାହିଁ ବେଳ ନାହିଁ କଙ୍କାଳ ଟେକ ଚଞ୍ଚଳ ମଥା
ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା
ବାଜି ଉଠୁବାରେ ମରଣ ବିଜୟୀ ବଂଶୀ ସେ ବୁକୁ ତଳେ
ଧୁର୍ଜ୍ଜଟୀ ଜଟା ଛୁଟୁ କମ୍ପାଇ ଯୌବନ କୁତୁହଳେ
ଉଠ କଙ୍କାଳ ଉଠ ଦୁର୍ବଳ ଜାଗ କଙ୍କାଳ ଆଜି,
ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବରାଜି ।
••••••••••••
❤️
🙏
👍
19