
PDF MARKET
February 14, 2025 at 02:28 PM
|| ଛାଇ ୧୪ ||
© ସରୋଜ ବଳ
ଯାହାକୁ ପାଇଲା, ପ୍ରେମ କଲା ଏ ଯୌବନ;
ଠିକ୍ ଯେତେବେଳେ ବିଜ୍ଞାନ କହୁଥିଲା :
ପ୍ରେମ ବୋଲି କିଛି ନାହିଁ,
ସବୁ ରସାୟନ ।
ସୁଚରିତା ଅଫିସ୍ରେ ଯୌବନକୁ
ପାର୍ଟଟାଇମ୍ କରିବାକୁ ଛାଡ଼ିଥିଲି ମୁଁ,
ବାଣୀବିହାରର କୌଣସି ଏକ
ମୋରମ୍ ରାସ୍ତାରେ ମୋର ହଜିଯାଇଥିବା
ପାଦଚିହ୍ନ ଜାଣେ, ପ୍ରେମ କି କଷ୍ଟ ।
ଶଳା, ଅବିବାହିତ ପୂଜାରୀ ଟୋକାର
ନାଲିଆଖି ଏବେ ବି ମୋର ମନେଅଛି,
ଯିଏ - ମନ୍ଦିର ବେଢ଼ାରେ
ମୁଁ ଗୋଟେ ଗୋରୀ ଝିଅର ଗାଲରେ
ଓଠ ଛୁଏଁଇଲାବେଳେ ଦେଖିଥିଲା ।
ମନ୍ଦିରବେଢ଼ାରେ ପ୍ରେମ ହବନି ତ
ଆଉ କୋଉଠି ହବ?
ମନ୍ଦିର କାନ୍ଥରେ ମୈଥୁନ ଚାଲିଛି ସାରା ଭାରତରେ ଓ
ମୁଁ ବେଢ଼ାରେ ମୋର ଓଠକୁ କ୍ଷଣଟେ
ସ୍ୱାଧୀନତା ଦେଲି ବୋଲି ବେଦ ଅଶୁଦ୍ଧ!
ମୋର ଚୁପ୍ ରହିବା ଓ ପଳାତକ ହେବାର
ତରଳ ଦୁଃଖ ସେଦିନ
ସାରା କ୍ୟାମ୍ପସ୍କୁ ଓଦା କରିଥିବ;
ଯୌବନ ଜାଣେ ।
ଯୌବନ ଜାଣେ, କୌଣସି
ବଢ଼ିଲା ଝିଅର ଛାଇ ବି କେତେ ରୋମାଣ୍ଟିକ୍
ସେମାନଙ୍କ ହାତଲେଖା ଚିଠି
ଅସୁନ୍ଦର ହେଲେ ବି ବାସ୍ନାମୟ
ଲେଡ଼ିଜ୍ ହଷ୍ଟେଲ୍ ଛାତ ଉପରେ
ଶୁଖୁଥିବା କୌଣସି ମଇଳା ପ୍ୟାଣ୍ଟି ବି
ଯୌବନ ପାଇଁ ଚର୍ଚ୍ଚାର ବିଷୟ ।
ଯୌବନ ଜାଣେ,
କେମିତି ତରଳେ ନାଭିମୂଳ
କେମିତି କଥାକହେ ଲୁହ
କେମିତି ଶିହରଣ ଉଠେ, ଯେତେବେଳେ
କାଠବେଞ୍ଚରେ ଖୋଦେଇ ପ୍ରେମିକାର ନାଁକୁ
ତମେ ଅକସ୍ମାତ୍ ଛୁଅଁ ।
ଯୌବନ ଜାଣେ,
ବର୍ତ୍ତମାନ ଆଗରେ ଭବିଷ୍ୟତର ନକ୍ସା
କେତେ ତୁଚ୍ଛ ।
ବାସ୍ତବତା ଆଗରେ ଭାବପ୍ରବଣତା
କେତେ ଉଚ୍ଚ ।
ପ୍ରେମିକା ଦେଇଥିବା ମଉଲା ଫୁଲ ଆଗରେ
ସାରା ବଗିଚା କେମିତି ରଙ୍ଗହୀନ,
ନିଷ୍ପ୍ରଭ, ଶେତା।
ଯୌବନ ହିଁ ଜୀବନର ଗୀତା ।
ଯୌବନର ଗୀତାରେ
ଶ୍ରୀକୃଷ୍ଣ ନାହାଁନ୍ତି
କିଛି ଉପଦେଶ ନାହିଁ,
ଅର୍ଜୁନମାନେ ଭାଙ୍ଗିପଡ଼ିବାର ପରମ୍ପରା ନାଇଁ,
ଯୌବନର ଗୀତାରେ ତେଣୁ ଯୁଦ୍ଧ ନାଇଁ ।
ପାଗଳ ଭଅଁରର ଛାଇ ଭଳି ଯୌବନ;
ଉତ୍ତରା ପବନର ଘରପୋଡ଼ି ଭଳି ଯୌବନ;
ଯୌବନ ଜାଣେ,
ତାକୁ ଧରି ରଖିବା ସହଜ ନୁହେଁ
ଛାଇ ଭଳି ସେ
ଏଇ ଅଛି, ଏଇ ନାଇଁ ।
ଆଲୁଅ ଅନ୍ଧାରର କଳିତକରାଳ
ଯୌବନ ମାଗେ; କିନ୍ତୁ ପାଏ ନାଇଁ ।
ଯୌବନକୁ ଧରିବା ପାଇଁ ଯନ୍ତା ବସେଇଥିଲି;
ହେଲେ କି ନିର୍ବୋଧ ମୁଁ,
ସେ ଯେ ଛାଇ ଭଳି ନଚପଚ
କେମିତି ନଜାଣିଲି!
ଯୌବନକୁ ଆଙ୍କିବା ପାଇଁ କିଣିଥିଲି କ୍ୟାନ୍ଭାସ୍;
ଏବେ ଦେଖିଲାବେଳକୁ ରଙ୍ଗ ସବୁ ଗାଏବ୍
ବୟାଳିଶ ଡିଗ୍ରୀ ଖରାରେ ।
ଜାଲ ପକେଇ ଧରିହୁଏ ମାଛ
କିନ୍ତୁ ଯୌବନ ନୁହେଁ ।
ଏକଥା ବୁଝିବାବେଳକୁ
ଯୌବନ ନିଗିଡ଼ି ଯାଇଛି ସନ୍ତର୍ପଣରେ ।
ହୁଗୁଳା ନେଲ୍ପଲିସ୍ ଡବାରୁ ସ୍ପିରିଟ୍ ଉଡ଼ିଯାଇଛି,
କେବଳ ମୁଣ୍ଡାଏ ଶୁଖିଲା ଲାଲ୍ରକ୍ତ ଭଳି
ଯୌବନ ପଡ଼ିଛି ଶିଶିରେ ।
ଏ ଯୌବନ! ଉଠ୍ ଉଠ୍ ।
❤️
👍
😢
😂
😮
🙏
22