
PDF MARKET
February 19, 2025 at 03:00 PM
ମୁଁ ଏକା ହିଁ ଯଥେଷ୍ଟ
© ସରୋଜ ବଳ
ଖାଲି କହିଦିଅ ଯେ
ତମେ ଆସୁନାହଁ ମୋ ସହିତ
ବାସ୍
ମୁଁ ନିଜକୁ ଆଉଟିକେ
କଠିନ କରି ଗଢ଼ିନେବି
ଦିଗୁଣା କରିଦେବି ନିଷ୍ଠାର କାର୍ବୋହାଇଡ୍ରେଟ୍ସ
ପ୍ରେମର ପ୍ରୋଟିନ୍, ଫୁତ୍କାରର ଫ୍ୟାଟ୍ସ
ଯାଚିବି ନିଜକୁ କେଇ ଆଞ୍ଜୁଳା ଅଧିକ ସୂର୍ଯ୍ୟାଲୋକ
ପ୍ରତିଟି ସେଲରେ ପହଁରେଇବି ଇଚ୍ଛାକୁ ମୋର
ତରକା ଲାଲ୍ମାଛ ପରି
ରକ୍ତରେ ବଢ଼େଇଦେବି ହେମୋଗ୍ଲୋବିନ୍
ପ୍ରତିଟି ପ୍ରତ୍ୟଙ୍ଗରେ ପହଞ୍ଚେଇଦେବି
ଆତ୍ମବିଶ୍ୱାସର ଅମ୍ଳଜାନ
ନେବି ଲମ୍ବା ନିଶ୍ୱାସ ଆଖି ବୁଜି
ବାଁ ଛାତିରେ ହାତ ରଖି କହିବି- ଅଲ୍ ଇଜ୍ ୱେଲ୍
ଖାଲି କହିଦିଅ ଯେ
ତୁମେ ଆଉ ମୋ ସହିତ ନାହଁ
ବାସ୍
ଦେଖ କେମିତି ମୁଁ ନିଜ
ବୟସକୁ ବାରୁଦ ବନାଉଛି
ଅୟସକୁ ଆଇନା କରି ଟାଙ୍ଗୁଛି
କାକୁସ୍ଥ କାନ୍ଥରେ
ଲିଭିଯାଇଥିବା ମହମବତିକୁ କୋରି, ଠୁଳେଇ
ପୁଣି ମାରୁଛି ଦିଆସିଲ୍
ଖାଲି କହିଦିଅ ଯେ
ତୁମେ ବଦଳେଇଦେଲ ବାଟ
ଯୋଉ ବାଟରେ ଗଲେ ପଡ଼ିବନି ମୋ ଠିକଣା
ପଡ଼ିବନି ଚା ଦୋକାନର ଗୁମୁଟି
ବରଗଛ ଛାଇରେ ନାଲିକନା ପିନ୍ଧି ଘୁମଉଥିବା ଈଶ୍ଵର
ସକାଳବୁଲାର ମୁହଁଢଙ୍କା ତରୁଣୀ ଝିଅର ସମ୍ମୋହନ
ଖୁଞ୍ଚ ଲାଗି ଚିରିଯାଇଥିବା ଶାଢ଼ି ସେପାଖରେ
କେଇଟି ଜୁଳୁଜୁଳୁ ଆଖି...
ବାସ୍
ମୁଁ ନିଜର ଓଜନକୁ ଖୁଚୁରା ପଇସା ପରି
ଝଣ୍କରି ଗଳେଇଦେଇ ମାଡ଼ିଯିବି ଆଗକୁ
କିଛି ନଜାଣିଲା ପରି
କିଛି ନକହି ତମେ ନିରବ ରହିବ ତ?
ଆଡ଼େଇ ଚାଲିଯିବ ତ ଅଲଗା ରାସ୍ତାରେ?
କଣ ଭାବିଛ? ମୁଁ ଛୋଟପିଲା?
ଠଉରେଇ ପାରୁନି ତମ ଛଦ୍ମବେଶ?
ତୁମେ ବୋଧେ ଜାଣିନ
ମୋ ଅଭିଜ୍ଞ ଏକ୍ସରେ ଆଖିରେ
ତୁମର ଅନ୍ତନାଳୀ ଯାଏଁ ଦିଶୁଛି
ତୁମ ପ୍ରତିଟି କ୍ଷତର ବିବରଣୀ ମୋ
ଅକ୍ଷତ ଡାଏରୀରେ ଅଛି
ଦିନେକେବେ କୁଞ୍ଚ ଧରିଥିଲ ବୋଲି ଭାବନାଇଁ ଯେ
ଧୋତିପିନ୍ଧା ମୋତେ ଜଣାନାଇଁ
ଥରେ ନିଜକୁ ପିନ୍ଧିବା ଶିଖିଗଲା ପରେ
ଏ କୁଞ୍ଚର ପ୍ରପଞ୍ଚ ଏକ ମଲାନଈ
ଯାଅ ଯାଅ
ବାପ ମୋର ନୀଳକଣ୍ଠ, ପିଇଜାଣେ ବିଷ
ମୁଁ ଜାଣେ କେମିତି ଅମୃତ ବନେଇବାକୁ ହୁଏ
ହଳାହଳକୁ ଛାଣି ଚା’ଛଙ୍କାରେ
ଭିଡ଼ର ବେକକାଟି ନିରବତା ନାଇହୁଏ ଗଳାରେ
ଯାଅ ଯାଅ
ମୋ ଶିଙ୍ଗ ତାଡ଼ିଜାଣେ ମାଟି
ମୋ ଲିଙ୍ଗ ଫାଡ଼ିଜାଣେ ତାଟି
ମୋ ରଙ୍ଗ ଲେପିଜାଣେ ଆକାଶ
ମୋ ଢଙ୍ଗ ଖେପିଜାଣେ ବତାସ
ମୁଁ ନିଜେ ହିଁ ଆନନ୍ଦ, ନିଜେ ହିଁ କଷ୍ଟ
ନିଜେ ହିଁ ନଷ୍ଟ, ନିଜେ ହିଁ ଈଷ୍ଟ
ନିଜପାଇଁ ମୁଁ
ଏକା ହିଁ ଯଥେଷ୍ଟ ।
..................................................................
❤️
👍
🙏
14