
SS Publication
May 23, 2025 at 04:25 PM
ଶେଷପତ୍ର.....!!!
ଅଭିନାଶ...
ଆଉ ପାରୁନି ମୁଁ , ଜୀବନ ଯୁଦ୍ଧରେ ଔଷଧ କୁ ଅସ୍ତ୍ର କରି ମୁଁ ଆଜି ହାରି ଯାଇଛି। ହାରି ଯାଇଛି ମୁଁ ଅଭିନାଶ ...ହାରି ଯାଇଛି। ପାରୁଛ ଯଦି ମତେ ତୁମେ କ୍ଷମା କରିଦେବ। ଆଜି ଏ ହସ୍ପିଟାଲ କୁ ତୁମ ଆସିବା ପୂର୍ବ ରୁ ମୁଁ ଏଠାରୁ ଚାଲି ଯାଉଛି।
କୁହ ଆଉ କେତେ ଦିନ...?
କେତେ ଦିନ ଏମିତି ରୋଗଶଯ୍ୟାରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଥିବି...ଆଉ କେତେ ଦିନ ତୁମେ ମୋ ପାଇଁ ଏମିତି ସନ୍ତୁଳି ହେଉଥିବ , ରାତି ଦିନ ଏକ କରି ଝାଳ ବୁହାଇ ଔଷଧ କିଣୁଥିବ ...
କୁହ ଆଉ କେତେ ଦିନ....?
କହିଲ ଦେଖି କ୍ୟାନ୍ସର ରୋଗୀ କ'ଣ କେବେ କେଉଁଠି ବଞ୍ଚିଲାଣି ଯେ ମୁଁ ବଞ୍ଚିବି । ଡାକ୍ତରଙ୍କ ମିଛ ଆଶ୍ୱାସନା ଶୁଣି ଶୁଣି ମୁଁ ଥକ୍କିଗଲେଣି। ଆଉ ପାରୁନି ବାବୁ ...ତୁମ ଉଦାସ ମୁହଁ ମୁଁ ଆଉ ଦେଖିପାରୁନି।
ଚାଲିଯାଅ ତୁମେ ଅଭିନାଶ ଚାଲିଯାଅ ...
ମୋ ପରି ଗୋଟେ ରୋଗିଣା ସ୍ତ୍ରୀ ଆଉ ତୁମର କେଉଁ କାମକୁ ଯେ'। ବିବାହ ପରଠାରୁ ସୁଖ ଟିକେ ତୁମକୁ ମୁଁ ଦେଇପାରିନି କି ଶାନ୍ତି ରେ ଟିକେ ରଖେଇ ଦେଇନି।
ସେଥିପାଇଁ ଆଜି ଏଠାରୁ ମୁଁ ଚାଲି ଯାଉଛି। ମୋ ରାଣ ଅଭିନାଶ ମତେ ଆଉ ଖୋଜିବନି କେବେ। ତୁମେ ମୋ ପାଇଁ ବହୁତ କଲଣି, ବାପା ମାଁ ଙ୍କ ଠାରୁ ବି ଅଧିକା। ଏମିତି ସଂସାର ରେ କେହି କ'ଣ ସ୍ବାମୀ ଥିବେ ଯିଏ ତୁମପରି ଏତେ ପ୍ରେମ ଭଲପାଇବା ଦେଇ ମୋର ଯତ୍ନ ନେଉଥିବେ।
ମୁଁ ନିଶ୍ଚୟ ଭାଗ୍ୟବତୀ ଅଭିନାଶ ନହେଲେ ତୁମ ଭଳି ଦେବତାଙ୍କୁ ପାଇ ନଥାନ୍ତି କିନ୍ତୁ ଭାଗ୍ୟର ବିଡମ୍ବନା, ମୁଁ ତୁମର ପୂଜାରିଣୀ ହେଇ ପାରିଲି ନାହିଁ। ସ୍ତ୍ରୀ ହେଇ ତୁମ ପ୍ରତି ଥିବା ମତ ମୋର କର୍ତ୍ତବ୍ୟ ମଧ୍ୟ ଠିକ୍ ରେ କରି ପାରିନି । ଅବଶୋଷ ଅଭିନାଶ ଘୋର ଅବଶୋଷ ଏ ଜନ୍ମ ପାଇଁ ଏ ଜୀବନ ପାଇଁ,
ତୁମ ସହିତ ଦୁନିଆ ବଗିଚାରେ ଖେଳି ବୁଲିଵାର ସ୍ଵପ୍ନ ଯେ ଅଚାନକ ଏମିତି ଭାଙ୍ଗିଯିବ ମୁଁ କେବେ ବିଶ୍ବାସ କରି ନଥିଲି। ସତରେ ଏ ନିୟତି ଭାରି ନିଷ୍ଠୁର। ଆମ ପ୍ରେମ ଭଲପାଇବା ସହି ପାରିଲାନି ବୋଧେ... ମୃତ୍ୟୁ ସମ ଯନ୍ତ୍ରଣା ଯାଚି ଦେଲା ମତେ।
ଜାଣିଛ ଅଭିନାଶ , ମୋର ଭାରି ଇଚ୍ଛା ଥିଲା ତୁମ ସହିତ ଅନେକ ବର୍ଷ ବଞ୍ଚିବାକୁ । ଝିଅ ପୁଅର ବିଭାଘର କରି ଖୁସିରେ ରହିବାକୁ।ପାଚିଲା କେଶ ରେ ସିନ୍ଦୂର ମେଞ୍ଚେ ଲଗେଇବାକୁ । କୋଳରେ ନାତି ନାତୁଣୀ ମାନଙ୍କୁ ଧରି ଖେଳେଇବାକୁ । ତୁମ ହାତରେ ବଙ୍କୁଲି ବାଡିଟିଏ ଧରେଇ ବୁଢା ବୟସକୁ ଟିକେ ଦେଖିବାକୁ। ଅଭାଗିନୀ ମୁଁ କପାଳ ଜୁଟିଲାନି ଏତେ ସୁଖ।
ମୋ ପାଇଁ ମନଦୁଃଖ କରିବ ନାହିଁ ଅଭିନାଶ। ଦୁଃସ୍ୱପ୍ନ ଭାବି ଭୂଲିଯିବ। ନୂଆ କରି ଆଉ ଥରେ ସଂସାର କରିବ। ମୋ ସ୍ଵପ୍ନ କୁ ତୁମ ବୁଢାପଣରେ ସାକାର କରିବ। ତୁମେ ଖୁସି ରେ ରହିଲେ ମୋ ଆତ୍ମା ମଧ୍ୟ ଖୁସି ହେବ। ଦେଖିବ ସେଦିନ ଆକାଶଟା କେମିତି ନୀଳିମାର ନୀଳ ରଙ୍ଗରେ ଝଲସୁଥିବ। ଆମ ପ୍ରେମର ପ୍ରତୀକ ହେଇ ତାରାଫୁଲ ଗୁଡିକ ପେନ୍ଥା ପେନ୍ଥା ହେଇ ହସୁଥିବ। ଚିଠି ପାଇ ଜୋଛନା ହାତରେ ମୋ ପାଖକୁ ଚିଠିଟିଏ ଲେଖିବ ....
ରହିଲି .....
ତୁମର ନୀଳିମା ....