
SS Publication
June 2, 2025 at 04:33 PM
ଆଇଡିଆ ବକ୍ସ ଥିମ୍ _ ଧାନ ରୁଆ ପର୍ବ
ଗଳ୍ପ ଶୀର୍ଷକ _ "ରୂପା ପାଉଁଜି"
ରୁମି ଲୋ ହେ ... ରୁମି ।
ଆଲୋ କୁଆଡେ ଗଲୁ । କେତେ ଡାକୁଛି କିନ୍ତୁ ତୋର ଦେଖା ଦରଶନ ନାହିଁ । ଆଲୋ ହେ ରୂମି...! ଟିକେ ସଅଳ ଆସେ । ଭାତ ଦିମୁଠା ଦେବାକୁ କେତେ ଡେରି କରୁଛୁ। କାଲି ରାତିର ରାଗ କଣ ତୋ' ମନରୁ ଯାଇନି ଏପର୍ଯ୍ୟନ୍ତ ।
ଗୋବିନ୍ଦ ସେମିତି ଡାକ ଛାଡ଼ି ଛାଡ଼ି ରାଗରେ ମୁଣ୍ଡରେ ତଲେଇ ଟାଣି କାଳିଆ ଓ ବଳିଆ କୁ ନେଇ ବର୍ଷlରେ ଚାଲିଗଲା ବିଲକୁ। ବର୍ଷା ଢୁ .. ଢୁ ହେଉଛି । ଗାଁ ଦାଣ୍ଡରେ ପାହାଡି ପାଣି ଗୁଡାକ ସୁଅ ଟାଣି ଯାଉଛି କିନ୍ତୁ ଗୋବିନ୍ଦର ଗୋଟିଏ କଥା ଆଜି ସଅଳ ଧାନ ରୁଆ କାମ ସରିଲେ ସେ ବାବୁଙ୍କ ଆଗରେ ମୁହଁ ଦେଖାଇବ ।
ସକାଳ ୬ ଟା ବେଳକୁ ଘମା ଘୋଟିଆ ବର୍ଷା , ପାଣି ପବନରେ ସମସ୍ତେ କାକୁସ୍ଥ ହେଇଗଲାଣି । କେତେ ଯେ ହଳୁଆ ନିଜ ଜମିବାଡ଼ି ଛାଡ଼ି ଘରକୁ ଫେରିଲେଣି କିନ୍ତୁ ଗୋବିନ୍ଦ ଚାଲିଗଲା ଏକା ବିଲକୁ। କାଳିଆ ଓ ବଲିଆ ଦେହରେ ଗୋଟିଏ ଲେଖାଏଁ ପଖିଆ ବାନ୍ଧି ନିଜ ମୁଣ୍ଡରେ ତଲେଇବାନ୍ଧି ହଳଯୋତି, ପାଞ୍ଚ ପା.. ଜମି କୁ ଏକା ଏକା କାଦୁଅ କରି ମହି ପକାଇଦେଲା ।ବାକି ରହିଲା କେବଳ "ଧାନ ରୁଆ ପର୍ବ "।
ଗୋବିନ୍ଦ ମନରେ ଦୁଃଖ ଏଥିପାଇଁ ନୁହେଁ ଯେ ରୁମି ତାକୁ ସକାଳୁ ସକାଳୁ ପଖାଳ ଭାତ ସହିତ ବୋରଗ ଶୁଖୁଆ ଭଜା , ଲୁଣ ଆଉ ବାଡି ବରକୋଳିଆ ମରିଚ ଦେଲା ନାହିଁ । ଦୁଃଖ ତାର ଏତିକି ଯେ ସେ , ଘରୁ ବାହାରି ଆସିବା ବେଳେ ରୁମି ଘର କବାଟ ଫାଙ୍କରେ ତାକୁ ଲୁଚି ଲୁଚି ଦେଖିବାକୁ ଆଜି ଆସିଲା ନାହିଁ । ହଁ କଣ ପାଇଁ ବା' ଆସିବ । ଆଜି ଶୀତଳ ଷଷ୍ଠୀରେ ଗାଁ ସାରା ଲୋକ ପ୍ରଭୁ ମୁକ୍ତେଶ୍ଵରଙ୍କ ବିବାହ ଉତ୍ସବରେ ସାମିଲ ଥିବା ବେଳେ ଗୋବିନ୍ଦ ଏବଂ ରୁମି ଦୁହେଁ ନିଜ ଗରିବ ଅବସ୍ଥା ପାଇଁ ପାଟି ତୁଣ୍ଡ ହେଉଥିଲେ । ରୁମି କହୁଥିଲା ବୁଝିଲ କୁନି ବାପା , ବିବାହର ୧୫ ବରଷ ପୁରିଗଲା ତୁମକୁ କିଛି ମାଗି ନାହିଁ । ଆଜି କାହିଁକି କେଜାଣି ମୋର ମନହେଇଛି ପାଉଁଜିହଳେ ଲଗାଇବା ପାଇଁ । ରୂପାର ନହେଲେ ନାହିଁ ହଳେ ଗ୍ୟାରେଣ୍ଟି ପାଉଁଜି ଆଣି ଦିଅ । ଆଉ ଟଙ୍କା କୋଡ଼ିଏଟାର ପାଣି କାଚ ମୁଠାଏ । କିନ୍ତୁ ଗୋବିନ୍ଦ ଅବସ୍ଥା ଯାହା କହିଲେ ନସରେ ।
ଜୀବନରେ ଅସୁବିଧା ନିଶ୍ଚିତ ଆସିବ, ମନକୁ ଶାନ୍ତ ରଖିଲେ ଜ୍ଞାନ ଓ ବିବେକ ବଢ଼ିବ ଆଉ ବେଶି ଉତ୍ତେଜନା ହେଲେ ନିଜ ଶରୀରକୁ ବହନ କରିବା କଠିନ ହୋଇପଡିବ। ତେଣୁ ଗୋବିନ୍ଦ ଆଉ କିଛି ନଭାବି ମନଟାକୁ ହାଲକା କରି " ଧାନ ରୁଆ ପର୍ବ" ରେ ମାତି ଗଲା । ତୁହାକୁ ତୁହା ବର୍ଷା ସହିତ ଘଡଘଡି ବିଜୁଳି ଚମକୁଛି । ବାହାରେ କାଉ କୋଇଲି ଟିଏ ମଧ୍ୟ ଦେଖା ଯାଉନାହାଁନ୍ତି। କିନ୍ତୁ ଗୋବିନ୍ଦ ଆଖିରେ ଆଖିଏ ଲୁହ। ସେ ଆଜି ରୁମୀ ପାଇଁ ପାଉଁଜି ହଲେ ଆଣିବାକୁ ଅସମର୍ଥ । ସେ କାଲି ରାତିରେ ଦେଖିଛି ରୂମୀ ଆଖିର ଲୁହ। ଏମିତି ଅନେକ କଥା ଭାବିଲା ବେଳକୁ କାଳିଆ ଓ ବଳିଆ ଦୁଇଜଣ ଶୀତରେ ଥରୁଛନ୍ତି।ତେଣୁ ଗୋବିନ୍ଦ ତାଙ୍କୁ ଯେମିତି ଫିଟାଇ ଦେଲା ସେମାନେ ଘରକୁ ଯିବା ପରିବର୍ତ୍ତେ ନିଜ ମାଲିକ ପାଖରେ ହମ୍ବlଳି ହମ୍ବlଳି ଠିଆ ହେଲେ । କାଳିଆ, ବଳିଆଙ୍କ ଏଭଳି ସ୍ଥିତି ଦେଖି ଗୋବିନ୍ଦ ରାଗରେ କହିଲା ଆରେ ତୁମେ ଦୁଇଜଣ ଘରକୁ ଯାଆ । ମେଘ ପବନ ହେଉଛି । ବତାସ ବାଆ ର ଠିକଣା ନାହିଁ । ଆଜି ଇନ୍ଦ୍ରଦେବ କୋପ କରିଛନ୍ତି ଯେପରି । ଭଗବାନ ନକରନ୍ତୁ ଯେପରି କାହାର ପ୍ରାଣ ବାୟୁ ଏହି ଘଡ଼ଘଡି ଚଡ ଚଡି ରେ ନଯାଉ । ମୋର ଆଉ ଘରକୁ ଯିବାର ନାହିଁ । କଣ ପାଇଁ ଯିବି , କାହା ମୁହଁ ଦେଖିବାକୁ ଯିବି । ଯାହାର ମୁଁହ ଦେଖି ନିଇତି ଆସେ ସେ ଆଜି ମୋ ଉପରେ ଋଷି ଶୋଇଛି।
ଗୋବିନ୍ଦ କଥା ଶୁଣି ,କାଳିଆ ଓ ବଳିଆ ଦୁହେଁ ଆଖିରୁ ଲୁହ ଝରାଇ ଅନେଇ ରହିଲେ ମାଲିକ ଗୋବିନ୍ଦକୁ କିନ୍ତୁ ଗୋବିନ୍ଦ ତାଙ୍କୁ ଧମକ ଦେଇ ଜମିରୁ ଘରକୁ ଓଡେଇ ପଠାଇ ଦେଲା । ଯେମିତି କାଳିଆ ବଳିଆ ବିଲରୁ ଗୋଡ଼ କାଢି ଛନ୍ତି ଠିକ୍ ସେହି ସମୟରେ ପ୍ରବଳ ମାତ୍ରାରେ ଘଡଘଡି ଓ ବିଜୁଳି ମାରିଲା ଏବଂ ଗୋବିନ୍ର ବଳିଷ୍ଠ ଶରୀର ଟା' ହଠାତ ଭୂମିରେ ଲୋଟିଗଲା।
ଗୋବିନ୍ଦ ର ଏଭଳି ଦଶା ଦେଖି କାଳିଆ ଓ ବଳିଆ ଦୁହେଁ ଖୁବ୍ ଜୋର ରେ ହମ୍ବାଳି ଛାଡ଼ିଲେ । ପଶୁ ହେଲେ ମଧ୍ୟ ସେ ବୁଝୁଛନ୍ତି ଏଇ ଗରିବ ମଣିଷର ଦୁଃଖକଷ୍ଟ କୁ । ଭଗବାନ କହିଛନ୍ତି ତୁମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖର ଆଶା ରଖ ନାହିଁ, ଆଉ ଯଦି କାହାକୁ ମୂହୁର୍ତ୍ତକ ପାଇଁ ଖୁସି ଦେଇଛ ତେବେ ତୁମେ ତୁମ ଦୁଃଖର ଚିନ୍ତା କରନାହିଁ। ତେବେ ଏହି ମୁକ ପଶୁ ଏହି ବାଣୀ ଭୁଲିବେ କିପରି ?
କାଳିଆ ଓ ବଳିଆ ନିଜ ମାଲିକ କୁ ଛାଡ଼ି ଯିବେ କିପରି ? ଠିକ୍ ସେହି ସମୟରେ କାଳିଆ , ବଳିଆ କୁ ମୁଣ୍ଡରେ ଠାର ଦେଇ ଘର ମୁହଁ ହେଇ ଦୌଡ଼ି ଗଲା । ଘରେ ପହଂଚିବା ପରେ କାଳିଆ , ତାର ମାଲିକାଣୀ ରୁମି ଲୁଗାକୁ କାମୁଡି ବିଲକୁ ଯିବାକୁ ଟାଣିଲା । କିନ୍ତୁ ରୁମି କିଛି ବୁଝିନପାରି କାଳିଆ ପଛରେ ପଛରେ ବିଲକୁ ଦୌଡିଲା ଯେଉଁଠି ଗୋବିନ୍ଦର ଶରୀର ପଡ଼ିଛି।
ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଆଉ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ, ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ । କିନ୍ତୁ ଆଜି ଗୋବିନ୍ଦର ଏହି ଦଶା ପାଇଁ ଦାୟୀ କିଏ ?
ଗୋବିନ୍ଦ ନା ତାର ଗରିବ ପଣିଆ ?
ଗୋବିନ୍ଦ ନା ତାର ଭାରିଯା ରୁମି ର ଇଚ୍ଛା ?
ରୁମି ଯାଇ ପହଁଚିଗଲା ଗୋବିନ୍ଦ ପାଖରେ । ଗୋବିନ୍ଦର ମର ଶରୀର ଦେଖି ରୁମି କଇଁ କଇଁ ହେଇ କାନ୍ଦିଲା ଏବଂ କହିଲା କୁନି ବାପା ତୁମେ ଆଜି ହଳେ "ରୂପା ପାଉଁଜି" ପାଇଁ ମୋ ଜୀବନର ସବୁ ପରବ ଛଡ଼ାଇ ନେଇ ଚାଲିଗଲ । ମୋ କଥାରେ ଅଭିମାନ କରି ତୁମେ ଆଜି ଏଇ କାଦୁଅ ମାଟିରେ ଶୋଇ ପଡିଛ । ଉଠ କୁନି ବାପା ଦରକାର ନାହିଁ ମୋର "ରୂପା ପାଉଁଜି" । ମୋର ତୁମେ ଦରକାର କୁନି ବାପା । ମୋ ଉପରେ ତୁମେ ଏମିତି ଅଭିମାନ କରି ଛାଡ଼ି ଯାଆନି। ମୁଁ ତୁମକୁ ରାଗରେ ପଦେ କହିଥିଲି ଯେ ତୁମ ମୁହଁ ଚାହିବି ନାହିଁ ବୋଲି , କଣ ତୁମେ ସତରେ ମୋ ମୁହଁ କୁ ଚାହିଁବ ନାହିଁ । ମୋତେ କ୍ଷମା କର କୁନି ବାପା । ମୋର ସର୍ବ ସୁଖ ତୁମେ । ତୁମେ ମୋର ଶଙ୍ଖା , ତୁମେ ସିନ୍ଦୂର ଓ ତୁମର ହସ ହସ କଥା ମୋ ପାଇଁ "ରୂପା ପାଉଁଜି" । ତୁମେ ଫେରିଆସ କୁନି ବାପା ମୋର କିଛି ଆବଶ୍ୟକ ନାହିଁ । ଚାଲ ଘରକୁ ଚାଲ । ସବୁଦିନ ଭଳି ବୋରାଗ ଶୁଖୁଆ ଭଜା ଆଉ ବାଡି ବରକୋଳିଆ ମରିଚ ଆଣି ପଖାଳ କଂସାଏ ଖାଇବ । ଏମିତି ଉପାସରେ କିଏ ଶୋଇଛି କହିବ ?
କିନ୍ତୁ ...ରୁମିର୍ ବୁକୁ ଫଟା କାନ୍ଦରେ, ଗୋବିନ୍ଦ ଭୂମିରୁ ଉଠୁଛି କି କଥା କହୁଛି। ନାଁ ତାର ଭାରିଜା ରୁମି ର କଥା ଶୁଣି ସେ ମୁହଁ ଫେରେଇ ରୁମି କୁ ଚାହୁଁଛି !
।ସମାପ୍ତ ।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ମୋ_୯୦୨୩୭୭୫୨୩୮