
SS Publication
June 4, 2025 at 06:30 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୫୮
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ମିସ୍ ଲିଲି ଏବଂ ଅରଣ୍ୟ ତୁରନ୍ତ ସେହି ଗୁମ୍ଫା ମଧ୍ୟରୁ ବାହାରିଗଲେ । କିଛି ରାସ୍ତା ଆସିବା ପରେ ସେ ଦେଖିଲେ ଯେ ଗୋଟିଏ ସ୍ଥାନରେ ଅନେକ ଯୁବତୀ ବନ୍ଦୀ ଅଛନ୍ତି । ସେମାନଙ୍କୁ ଦେଖି ଅରଣ୍ୟ ବାବୁଙ୍କ ଆଶଙ୍କା ଦୃଢୀଭୂତ ହେଲା । ସେ ତୁରନ୍ତ ସେଠାକୁ ଯିବା ସମୟରେ ସାମ୍ନାରୁ ଦିଲ୍ଲୀପ ଏବଂ ମାନସ ବାବୁ ଆସି ପହଞ୍ଚିଲେ ବ୍ୟlକପ ଟିମ୍ ସହିତ ।
ଅରଣ୍ୟ ତୁରନ୍ତ ମିସ୍ ଲିଲିଙ୍କୁ ,ମାନସ ବାବୁଙ୍କ ସହିତ ହୋଟେଲ ରୟାଲ ପ୍ୟାଲେଶ ଯିବାକୁ କହିଲେ ଏବଂ ସେ ବ୍ୟାକପ ଟିମ୍ ସହିତ ଭିତରକୁ ଚାଲିଗଲେ । କିଛି ରାସ୍ତା ଯିବା ପରେ ସାମ୍ନାରେ ରାସ୍ତା ଅବରୋଧ ହେଇଛି କିନ୍ତୁ ଧିମା ଗତିରେ କିଛି ଶବ୍ଦ ଶୁଭୁଛି।
ଅରଣ୍ୟ ଏବଂ ଦିଲ୍ଲୀପ ଟିମ୍ ସହିତ କିଛି ସମୟ ଚିନ୍ତା କରିବା ପରେ ଦିଲ୍ଲୀପ କହିଲେ ସାର ଏହି ଗୁମ୍ଫା କୁ ଡିନାମାଇଟ ଦ୍ଵାରା ଉଡ଼ାଇ ଦେବା କି ?ଯେଉଁମାନେ ଥିବେ ସମସ୍ତେ ସେ ଭିତରେ ମରିବେ । କିନ୍ତୁ ଅରଣ୍ୟ ବାବୁ କହିଲେ ନାଁ ଦିଲ୍ଲୀପ । ହୁଏତ ଆଗକୁ ଆମକୁ କିଛି ତଥ୍ୟ ମିଳିବ ଏବଂ ଏହି ଝିଅମlନେ ଏଠାରେ ଏମିତି ଏକାକୀ ରହିବାର ଉଦ୍ଦେଶ୍ୟ କିଛି ଜାଣି ହେଇନି କାରଣ ଶତ୍ରୁ ପକ୍ଷକୁ ସୂଚନା ଅବଶ୍ୟ ମିଳିଛି ଏବଂ ସେ ମଧ୍ୟ ଆମ ଭଳି ଚିନ୍ତାକରି ଆମ ସାମ୍ନାରେ, ଆମ ପାଇଁ ଜାଲ ବିଛାଇ ରଖିଛନ୍ତି ଆମର ସ୍ୱାହା କରିବାକୁ , ତେଣୁ ଆମକୁ ଚିନ୍ତାକରି ପାଦ ପକାଇବାକୁ ପଡ଼ିବ ।
ଅରଣ୍ୟ କିଛି ସମୟ ଚିନ୍ତା କରିବା ସମୟରେ ଜଣେ ସାଥୀ ସେଠାରେ ଥିବା ଗୋଟେ ପଥର ଉପରେ ଜୋର ଜୋର ରେ ଗୋଇଠା ମାରିବାକୁ ଲାଗିଲା ରାଗରେ । ସାଥୀ ଜଣଙ୍କ ଗୋଡ଼ ର ପ୍ରହାର ରେ ଆସ୍ତେ ଆସ୍ତେ ସେଠାର ମାଟି ଫାଟିବାକୁ ଲାଗିଲା ଏବଂ କିଛି ସମୟ ମଧ୍ୟରେ ଏକ ପଦ୍ମ ଫୁଲ ଦେଖିବାକୁ ମିଳିଲା । ଅରଣ୍ୟ ଯେମିତି ସେହି ପଦ୍ମ ଉପରେ ଗୋଟେ ପଥର ପକାଇଲେ ଠିକ୍ ସେହି ସମୟରେ ସେଠାରେ ଏକ ଲୌହ ନିର୍ମିତ ଦ୍ଵାର ଧୀରେ ଧୀରେ ଖୋଲିବାକୁ ଲାଗିଲା । ଅରଣ୍ୟ , ଦିଲୀପ ତଥା ସାଥୀମାନେ ସମସ୍ତେ ସଚେତନ ହେଇ ସେହି ରାସ୍ତାରେ ଯିବାକୁ ଲାଗିଲେ । କିଛି ବାଟ ଯିବାପରେ ଗୋଟିଏ ସୁଡଙ୍ଗ ଦେଖିବାକୁ ମିଳିଲା ଯାହା ପାଣି ରେ ପୂର୍ଣ୍ଣ ।
ଅରଣ୍ୟ ଏବଂ ସାଥୀମାନେ ଧୀରେ ଧୀରେ ତାରି ମଧ୍ୟରେ ଟର୍ଚ୍ଚ ଲାଇଟ ଜଳାଇ ଆଗକୁ ପାଦ ବଢାଇଲେ । କିଛି ରାସ୍ତା ଏମିତି କଟିଗଲା ଏବଂ ଆସ୍ତେ ଆସ୍ତେ ସୁଡ଼ଙ୍ଗ ମଧ୍ୟରେ ପାଣିର ପ୍ରବାହ ପ୍ରଖର ସହିତ ବଢ଼ିବାକୁ ଲାଗିଲା । ଅରଣ୍ୟ ତୁରନ୍ତ ସମସ୍ତଙ୍କୁ ଚେତାବନୀ ଦେଇ କହିଲେ ଯେ ତୁମେ ମାନେ ଯଦି ଆସିବାକୁ ଚାହୁଁଛ ତେବେ ଆସ ନଚେତ ଏଠାରୁ ଫେରି ଯାଆ । ଆଗକୁ କଣ ଅଛି କିଛି ଜଣାନାହିଁ । କିନ୍ତୁ ଏହି ପାଣି ପ୍ରବାହ ଦେଖି ଏମିତି ଲାଗୁଚି ଯେ ଏହି ପାଣି ବୁଢ଼ା ବଳଙ୍ଗ ନଦୀର ପାଣି ଭଳି କାରଣ ଏହି ନଦୀର ସ୍ରୋତ ଖୁବ୍ ପ୍ରଖର । ତାପରେ ଏହି ନଦୀରେ ଅନେକ ପ୍ରକାର ପ୍ରଜାତିର ସାପ ଥାଇ ପାରନ୍ତି ଏବଂ କୁମ୍ଭୀର ମଧ୍ୟ ।
ଅରଣ୍ୟ ବାବୁଙ୍କ କଥା ଶୁଣିବା ପରେ କିଛି ସାଥିଙ୍କ ମନରେ ଭୟ ଏବଂ ଆଶଙ୍କା ଜନ୍ମ ନେଉଥିବା ବେଳେ କିଛି ସାଥୀ ଭାବୁଛନ୍ତି ଯେ ଏଇ ଟାସ୍କ ଏତେ ସାଧାରଣ ନୁହେଁ କିନ୍ତୁ ଅସାଧାରଣ ମଧ୍ୟ ନୁହେଁ କାରଣ ଏହି ରାସ୍ତାରେ କେହି ନାଁ କେହି ଯାଇଛନ୍ତି ବାହାରକୁ ତେଣୁ ଏହା ବିପଦପୂର୍ଣ୍ଣ ନହୋଇପାରେ। ସାଥୀ ମାନଙ୍କ ଏଭଳି ମନୋବଳ ଦେଖି ଅରଣ୍ୟ ବାବୁ କହିଲେ ଆପଣ ମାନଙ୍କ ଅନୁମାନ ଠିକ୍ ତେଣୁ ମୁଁ ଆଗକୁ ବଢୁଛି କିନ୍ତୁ ଏହା ମଧ୍ୟ ହେଇପାରେ ଯେ ଆଗକୁ ବିପଦ ମୁକ୍ତ ନୁହେଁ । ତଥାପି ସମସ୍ତେ ସତର୍କ ରହି ଆଗକୁ ବଢ । ପାଖରେ ଥିବା ନାଇଫ୍ କୁ ହାତରେ ରଖ । ବିପଦ ଆସିଲେ ତୁରନ୍ତ ତାର ମୁକାବିଲା କରିବାକୁ ସହାୟ ହେବ ।
ଏପଟେ ମିସ୍ ଲିଲିଙ୍କୁ ନେଇ ମାନସ ବାବୁ , ପହଞ୍ଚିଲେ ହୋଟେଲ ରୟାଲ ପ୍ୟାଲେସ। ସେଠାରେ ଯାଇ ଦେଖିଲେ ଯେ ଅନନ୍ୟା ଖୁବ୍ ନିଦରେ ଶୋଇ ଅରଣ୍ୟ ଅରଣ୍ୟ ହେଇ ଭଡ଼ ଭଡ୍ ହେଉଛନ୍ତି । ମାନସ ବାବୁ ତୁରନ୍ତ ତାଙ୍କୁ ଉଠାଇ କହିଲେ ଭାଉଜ , ଉଠନ୍ତୁ। ଏଇ ଦେଖନ୍ତୁ ଆପଣଙ୍କ ସାଙ୍ଗ ମିସ୍ ଲିଲି ଆସିଗଲେ । ଯାହା ହେଉ ଭଗବାନ ଙ୍କ ଲକ୍ଷ ଲକ୍ଷ ଧନ୍ୟବାଦ ଯେ ତାଙ୍କର କିଛି ହୋଇନାହିଁ । କିନ୍ତୁ ଆପଣ ଟିକେ ସଜାଗ ରୁହନ୍ତୁ । ଏମିତିରେ ଭୟ କରିବାର କିଛି ନାହି କାରଣ ଏଠାରେ ଅନେକ ସିକୁରିଟ୍ ଗାର୍ଡ ଅଛନ୍ତି ,ଯେଉଁମାନେ ଆପଣଙ୍କ ଜୀବନ ବଞ୍ଚାଇବାକୁ ହେଲେ ନିଜ ଜୀବନ ବlଜୀ ଲଗାଇ ଦେବେ । ତାପରେ ମୁଁ ମଧ୍ୟ ଏଠାରେ ରହିଛି ।
ମାନସ ବାବୁଙ୍କ କଥାରେ ଅନନ୍ୟା ତାଙ୍କୁ , ପ୍ରଶ୍ନିଲ ଆଖିରେ ଚାହିଁବା ପରେ ମାନସ ବାବୁ କହିଲେ ଅରଣ୍ୟ ବାବୁ ଆସୁଛନ୍ତି । ଆଗକୁ କିଛି ଅଳିଆ ଥିଲା ତେଣୁ ତାକୁ ସଫା ନକରି ଆସିବେ କିପରି । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।
ମିସ୍ ଲିଲି ଏବଂ ଅନନ୍ୟା ଦୁହେଁ ଦୁହିଁଙ୍କୁ ପାଇ ବେଶ୍ ଖୁସି ଅନୁଭବ କରିବା ସମୟରେ ,ମିସ୍ ଲିଲି କହିଲେ ବୁଝିଲ ସାଙ୍ଗ ତୁମ ସ୍ବାମୀ ଖୁବ୍ ଚାଲାକ ମଣିଷ । ମୁଁ ଅନେକ ପ୍ରୟାସ କରିଲି ତାଙ୍କୁ ମୋ ପ୍ରେମରେ ଫସାଇବା ପାଇଁ କିନ୍ତୁ ତୁମ କହିବା ଅନୁସାରେ ସତରେ ସେ ହିଟଲର। ତାପରେ ଆଜି ଯାହା ମୁଁ ଦେଖିଲି ତାକୁ....! ମିସ୍ ଲିଲି ଏତିକି କହି ଚୁପ ହେଇଗଲେ । ଅନନ୍ୟା ମଧ୍ୟ ତାଙ୍କର କଥାକୁ ମାପି ନେଇ କହିଲେ କଣ ଦେଖିଲ ଲିଲି । ମୋ ଅରଣ୍ୟ ଙ୍କ ବାହାଦୂରୀ । ସତରେ ସେ ବହୁତ ବଡ଼ ଛିପରୁସ୍ତମ୍ । ଏଇ ଯେମିତି ହାତୀ ର ଖାଇବା ଦାନ୍ତ ଗୋଟାଏ ଏବଂ ଦେଖାଇବା ଦାନ୍ତ କିଛି ଅଲଗା ।
ଦୁଇ ବାନ୍ଧବୀ କିଛି ସମୟ ପାଇଁ ସବୁକିଛି ଭୁଲି ଗଲେ ଏବଂ ହସିବାକୁ ଲାଗିଲେ । ଏପଟେ ଅନ୍ୟ ଏକ ଟେବୁଲ୍ ପାଖରେ ବସିଛନ୍ତି ମାନସ ବାବୁ । ସେ ଏହି ଦୁଇଜଣଙ୍କ କଥାର ପ୍ରତ୍ୟେକଟି ଶବ୍ଦକୁ ଖୁବ ଆଗ୍ରହର ସହିତ ଶୁଣି କେବଳ ଚାହୁଁଥିଲେ ମିସ୍ ଲିଲି ଙ୍କୁ । ଏକଥା ଯେତେବେଳେ ଜାଣିଲେ ଅନନ୍ୟା ସେ ତୁରନ୍ତ ମାନସ ବାବୁଙ୍କୁ ଡାକି କହିଲେ ଆଛା ମାନସ ବାବୁ ଏଇ ମୋର ସାଙ୍ଗ ମିସ୍ ଲିଲି । ସେ ଲିଲି ଖାଲି ନୁହନ୍ତି । ସେ ସିଲି ମଧ୍ୟ ବହୁତ ।
ମାନସ ଏବଂ ମିସ୍ ଲିଲିଙ୍କୁ ପରିଚିତ କରାଇବା ପରେ ଅନନ୍ୟା କହିଲେ ଆଛା ମାନସ ବାବୁ ମୋ ସାଙ୍ଗ ଆପଣକୁ କିପରି ଲାଗୁଛି? ଆଇ ମିନ ମୁଁ ସୁନ୍ଦର ନା ସେ ବହୁତ ସୁନ୍ଦର । କିନ୍ତୁ ତାଙ୍କ କଥାରେ କଣ କହିବେ ମାନସ ବାବୁ । " ଏଣୁ ମାଇଲେ ଗୋ ହତ୍ୟା , ତେଣୁ ମାଇଲେ ବ୍ରହ୍ମ ହତ୍ୟା "। ବିଚରା ତାଙ୍କ ପ୍ରଶ୍ନରେ ଫସିଗଲେ ଏବଂ କହିଲେ ବୁଝିଲ ଭାଉଜ ତୁମେ ଯଦି ସଦ୍ୟ ପ୍ରସ୍ତୁଟିତ ଗୋଲାପ ତେବେ ସେ ତୁମର ବାସ୍ନା । ସେ ଯଦି ହରିଣ ତେବେ ତୁମେ ତାଙ୍କର ନୟନ । କେହି କାହାଠାରୁ କମ ନୁହେଁ । ତେଣୁ କାହାକୁ କହିବି ସୁନ୍ଦର ଏବଂ କିଏ କମ୍ । ଜୀବନରେ ଯଦି ଗୋଟିଏ ଭଲ ମଣିଷର ସାଥି ମିଳିଯାଏ ତାହେଲେ ଜୀବନ ବହୁତ ସୁନ୍ଦର ହୋଇଯାଏ ,କିନ୍ତୁ ଯଦି ଗୋଟିଏ ଖରାପ ଆଉ ମତଲବୀ ମଣିଷ ମିଳିଯାଏ ତାହେଲେ ଜୀବନ ପୁରାପୁରି ବରର୍ବାଦ ହୋଇଯାଏ ll*
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।