
SS Publication
June 10, 2025 at 06:23 AM
କାହାଣୀ: "ରହି ଯାଇଥିବା ଚିଠି"
"ରିନି…ରିନି…! କୁଆଡେ ରହିଗଲୁ ଯେ!" ଡାକ ଦେଲେ ଶାବିତ୍ରୀ ଦେବୀ। ଶାବିତ୍ରୀ ଦେବୀଙ୍କ ସହ ଯୋଡି ହେଇ ଡାକ ପକେଇଲା ଦଶ ବର୍ଷର ଝିଅ ଭୂମି, "ମମି! ମମି! କୁଆଡେ ଗଲ ଯେ! ଆଈ ଡାକୁଛନ୍ତି ପରା ତମକୁ।" ଚଞ୍ଚଳ ପାଦରେ ଆଗେଇ ଆସି ରିନି କହିଲେ, "ଆଈ ନାତୁଣୀ ରଖେଇ ଦେଉନ ମୋତେ। କଣ ହେଲା କୁହ।"
ଶାବିତ୍ରୀ ଦେବୀ କହିଲେ, "ସେଇ ପୁରୁଣା ଟ୍ରଙ୍କରେ ତୋର ସବୁ ପୁରୁଣା କାଗଜପତ୍ର ଅଛି। ତାକୁ ଦେଖେ, ଯାହା ଦରକାର ନଥିବ ଫୋପାଡ଼ି ଦେବୁ। ଏବେ ଠାରୁ ନିଜ ନିଜ ଜିନିଷ ନିଜେ ରଖ। ମୁଁ ବୁଢ଼ୀ ଲୋକ ଆଉ ସମ୍ଭାଳି ପାରିବିନି।" ରିନି କହିଲେ, "ହଉ ମୁଁ ଦେଖିବି। ଏବେ କିନ୍ତୁ ରାତି ଅଧରେ ନୁହେଁ। ତମେ ଦୁହେଁ ଚାଲ ଖାଇକରି ଶୋଇଯାଆ, ବାକି ସବୁ କାଲି ହେବ।"
ରିନି ହେଉଛନ୍ତି ଶାବିତ୍ରୀ ଦେବୀ ଓ ଶଶାଙ୍କ ବାବୁଙ୍କ ବଡ଼ ଝିଅ। ବୟସ ଆସି ପଇଁତିରିଶ ହେଲାଣି। ରିନି ଠାରୁ ଦୁଇବର୍ଷ ସାନ ତାଙ୍କ ସାନ ଭଉଣୀ କୁନି। ଶଶାଙ୍କ ବାବୁ ନିଜ ଚାକିରୀରୁ ଅବସର ନେଲେ ତେଣୁ ସମସ୍ତ ପରିବାର ଆସିଥିଲେ ଯୋଗ ଦେବାକୁ। ଶଶାଙ୍କ ବାବୁ ସେହି ସହରରେ ଘରଟିଏ କିଣିଥିଲେ ତେଣୁ ସବୁ ଜିନିଷ ପତ୍ର ତାଙ୍କ କ୍ବାଟରରୁ ଘରକୁ ନେବାରେ ଦୁଇ ଜୋଇଁ ସାହାଯ୍ୟ କଲେ। ରିନି ଓ କୁନି ମଧ୍ୟ ସବୁ ସଜଡ଼ା ସଜଡି କରିଦେଇ ଯିବେ ବୋଲି ନିଶ୍ଚିତ କଲେ।
ଦିନସାରା ଲାଗି ରିନି ଓ କୁନି ସବୁ ସଜାଡି ଦେଇଛନ୍ତି। ଆଉ ଶାବିତ୍ରୀ ଦେବୀଙ୍କୁ କଷ୍ଟ କରିବାକୁ ପଡିବ ନାହିଁ। ରାତି ଖାଇବା ଖାଇସାରି ବିଛଣାରେ ଗଡୁଗଡୁ ସମସ୍ତଙ୍କୁ ନିଦ ହେଇଗଲା। ଦିନସାରାର ପରିଶ୍ରମରେ ସମସ୍ତେ ଥକି ଯାଇଥିଲେ।
ପରଦିନ ସକାଳୁ ଶାବିତ୍ରୀ ଦେବୀ ପୁଣି ଥରେ ମନେ କରି ଦେଇଥିଲେ ରିନିଙ୍କୁ, "ଟ୍ରଙ୍କ ଭିତର କାଗଜ ପତ୍ର ଦେଖିନେବୁ। ଗୋଟେ ଯୁଗ ଥିଲା ସେହି ଛୋଟିଆ ବାକ୍ସକୁ ଧରି ବସୁଥିଲୁ, ଏବେ କହି କହି ଥକି ଗଲିଣି କିନ୍ତୁ ଯାଇ ଦେଖୁନୁ।" ଭୂମି ଆସି ରିନିଙ୍କ ହାତ ଧରି କହିଲା, "ମମି! ଚାଲ ନା ଦେଖିବା କଣ ରଖିଛ!" କୁନି କହିଲେ, "ତୁ ଗଲୁ ଅପା, ବୋଉର ଏବେ ଦିନ ସାରା ସେହି ଗୋଟିଏ କଥା ଚାଲିଥିବ ନହେଲେ।"
ରିନି ଶୋଇବା ଘରେ ଥିବା ନାଲି ଟ୍ରଙ୍କର ତାଲା ଖୋଲି ଦେବା ମାତ୍ରେ ପୁରୁଣା ବହିର ବାସ୍ନା ଖେଳେଇ ଗଲା ଚାରିଆଡେ। ଧୀରେ ଧୀରେ ସବୁ ଜିନିଷ ସେଥିରୁ କାଢ଼ିଲେ ରିନି। ଝିଅ ଭୂମି ଉତ୍ସାହରେ ସବୁ ଦେଖୁଥାଏ। ପନ୍ଦର ବର୍ଷ ପରେ ଦେଖୁଥାନ୍ତି ସବୁ ଜିନିଷ ରିନି। କଲେଜ ସରୁ ସରୁ ଚାକିରୀ ହେଇଗଲା ତାଙ୍କର ପାଖ ସହରରେ, ତେଣୁ ସବୁ ଜିନିଷ ସେ ଏହି ଟ୍ରଙ୍କରେ ପୁରେଇ ଦେଇଥିଲେ। ସୁନ୍ଦର ରଙ୍ଗୀନ ବହିସବୁ ଦେଖି ଭୂମି ପଚାରିଲା, "ଏସବୁ କଣ!" ରିନି କହିଲେ, "ଜହ୍ନ ମାମୁଁ। ଏଥିରେ ବହୁତ ଗପ ଥାଏ। ତୋ କୁନି ମାଉସୀ ଓ ମୁଁ ଝଗଡା ହେଇଯାଉ କିଏ ଆଗେ ପଢିବ ବୋଲି।"
ଭୂମି ଖାଲି ଯାହା ଚିତ୍ର ଦେଖି ପାରୁଥାଏ। ଅନ୍ୟ ରାଜ୍ୟରେ ରହୁଥିବାରୁ ହିନ୍ଦୀ ଓ ଇଂରାଜୀ ପଢେ। ଓଡ଼ିଆ ପଢି ଆସେନି ତାକୁ। ରିନି କହିଲେ, "ନେଇଯାଆ, ଆଈ ପଢି ଶୁଣେଇ ଦେବ ତୋତେ।" ଭୂମି ସବୁ ଗପବହି ଜାବୁଡି ଧରି କହିଲା, "ଆଉ କଣ ସବୁ ଅଛି!" ରିନି କହିଲେ, "ଏସବୁ ହେଉଛି ସ୍କୁଲ କଲେଜରେ ମୋ ସାଙ୍ଗ ମାନେ ଦେଇଥିବା ଉପହାର ଓ ଚିଠି। ଉପହାର ସବୁ ଆମେ ସନ୍ଧ୍ୟାରେ ବୈଠକରେ ଥିବା ଥାକରେ ସଜେଇ ଦେବା।"
ଭୂମି ହଉ କହି ଚାଲିଗଲା। ଧୀରେ ଧୀରେ ପୁରୁଣା ଚିଠି ସବୁ ବାହାର କରୁଥାନ୍ତି ରିନି। ଏସବୁ ହେଉଛି ରିନିଙ୍କର ମୋବାଇଲ ଧରିବା ପୂର୍ବ ସମୟର ସନ୍ତକ । ସବୁ ବାହାର କଲା ବେଳେ ରିନିଙ୍କ ହାତରେ ପଡିଥିଲା ଗୋଟିଏ ନୀଳ ଲଫାପା। ସେଇଟି ଯେତେବେଳେ ହାତରେ ଉଠେଇଲେ ସେ, ଆଖି ଆଗରେ ନାଚି ଉଠିଥିଲା ଅତୀତ। ସ୍ମୃତି ପେଡି ଭିତରୁ କେତେ ସବୁ ଛୋଟ ବଡ଼ ସ୍ମୃତି ମୁଣ୍ଡ ଟେକି ଚାହିଁ ରହିଲେ ରିନିଙ୍କୁ।
ଅଠର ବର୍ଷ ତଳେ… ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଂରାଜୀରେ ଅନର୍ସ କରିବାକୁ ନିଷ୍ପତ୍ତି ନେଇଥିଲେ ରିନି। ସେଥିପାଇଁ ଶଶାଙ୍କ ବାବୁ ମଧ୍ୟ ସହମତି ଜଣେଇଥିଲେ। କଲେଜ ଯିବାକୁ ନୂଆ ସ୍କୁଟି ସହ ଷ୍ଟୁଡେଣ୍ଟ ଲାଇସେନ୍ସ କରେଇ ଦେଇଥିଲେ ଶଶାଙ୍କ ବାବୁ। ରିନିଙ୍କ ମନ ଖୁସିରେ ନାଚି ଉଠିଥିଲା। ନୂଆ କଲେଜ, ନୂଆ ଗାଡି, ସବୁ ନୂଆ।
ପ୍ରଥମ ଦିନ କଲେଜରେ ଡେରିରେ ପହଞ୍ଚିବାକୁ ଚାହୁଁ ନଥିଲେ ରିନି। ତେଣୁ ଆଗରୁ ବାହାରି ଗଲେ। ଶଶାଙ୍କ ବାବୁ ମଧ୍ୟ କଲେଜ ଯାଏ ଝିଅକୁ ଛାଡିବାକୁ ଗଲେ। ବିନା ଅସୁବିଧାରେ ମଧ୍ୟାନ ଭୋଜନ ଯାଏ ସମୟ ବିତିଗଲା। ମିତା ନାମକ ଝିଅ ସହ ବନ୍ଧୁତା ହେଇଗଲା ରିନିଙ୍କର। ଝିଅଙ୍କର କମନ ରୁମରେ ଖାଇସାରି ମିତା ଓ ରିନି ନିଜ କ୍ଲାସ ରୁମକୁ ଆଗେଇଗଲେ। ସିଡି ଚଢି ଉପର ମହଲାରେ ପାଦ ଦେଇଛନ୍ତି କି ଭିଡ଼ ଜମା ଥିଲା ସେଠି। ଭିଡ଼ ଦେଖି ଦୁହିଁଙ୍କର ଭୟ ବଢିଗଲା। ସେଠି କଣ ଚାଲିଛି ଦୁହେଁ ବୁଝି ପାରିଥିଲେ।
ଜଣେ ସିନିଅର ଦୁହିଁଙ୍କୁ ତାଙ୍କର ନାଆଁ ପଚାରିଲେ। ରିନି କହିବା ବେଳେ ମୁଣ୍ଡ ଟେକି ଚାହିଁ ଦେଲା କି ସିନିଅର ପିଲାଟି ଆଖି ଦେଖେଇ କହିଲା, "ସିନିଅରକୁ କଣ ମୁଣ୍ଡ ଟେକି ଦେଖୁଛ!" ପିଲାଟି ହାତ ଉଠେଇବାକୁ ଯାଉଥିଲା କି ପଛରେ ଛିଡା ହେଇଥିବା ଅନ୍ୟ ଜଣେ ପିଲା ଶକ୍ତ କଣ୍ଠରେ କହିଲା, "ଦୂରରୁ, ନହେଲେ ଅସୁବିଧାରେ ପଡ଼ିବୁ।"
ରିନି ସେହି ପିଲାଟିକୁ ଦେଖିବାକୁ ଚାହୁଁଥିଲେ ମଧ୍ୟ ଭୟରେ ଆଉ ଚାହିଁ ପାରିଲା ନାହିଁ। କିନ୍ତୁ ସେହି ପିଲାଟିର ସ୍ୱର ଯେମିତି ତାର ମନରେ ବାନ୍ଧି ହେଇ ରହିଗଲା। ଦିନେ କ୍ଲାସ ରୁମକୁ ଆସିବା ସମୟରେ ସେହି ସ୍ୱର ଶୁଣି ରିନି ଧୀରେ ବୁଲି ଚାହିଁଲା। ମିତା କହିଲା, "ଏହି ପିଲାଟି ତୋତେ ସେଦିନ ବଞ୍ଚେଇ ଥିଲା।" ରିନି କହିଲା, "ତୁ କେମିତି ଜାଣିଲୁ!" ମିତା କହିଲା, "ମୁଁ ଚୁପ କରି ଦେଖି ନେଇଥିଲି। ହ୍ୟାଣ୍ଡସମ ଅଛି।" ରିନି କହିଲା, "ଜଲଦି ଚାଲେ, କେହି ଦେଖିଲେ ପୁଣି ଏଇଠି କ୍ଲାସ କରିବେ।"
ଏତିକିବେଳେ ପଛରୁ ଶୁଭିଲା, "ପ୍ରଥମ ବର୍ଷ ଝିଅ ଦୁଇଜଣ ରୁହ।" ରିନି ଚାପ ସ୍ୱରରେ ମିତାକୁ କହିଲା, "ଦେଖିଲୁ ନା!" ଜଣେ ପିଲା ଆଗକୁ ଆସି କହିଲା, "କୁଆଡେ ବୁଲୁଛ ଦୁଇଜଣ!" ମିତା ଧୀରେ କହିଲା, "ମ୍ୟାମଙ୍କୁ ଦେଖା କରିବାକୁ ଯାଇଥିଲୁ ସାର।" ପିଲାଟି ଅନ୍ୟ ପିଲାକୁ ଚାହିଁଲା ଯେମିତି କି ଆଗକୁ କଣ କରିବାକୁ ହେବ ଆଦେଶର ଅପେକ୍ଷାରେ ଅଛି। ପଛରୁ ପିଲାଟି ଠାରରେ କଣ କହିଲା କେଜାଣି, ସାମ୍ନାରେ ଥିବା ପିଲାଟି ଦୁହିଁଙ୍କୁ ଯିବାକୁ କହିଲା।
ରିନି ଓ ମିତା ଆଗେଇ ଚାଲିଲେ କ୍ଲାସ ରୁମ ଦିଗରେ। ସବୁଠାରୁ ଶେଷରେ ତାଙ୍କ କ୍ଲାସ ରୁମ। ରିନି ସାହସ କରି ବୁଲି ଚାହିଁଥିଲା ସେହି ପିଲାଟିକୁ। ସେହି ପିଲାଟି କିଛି ଗୋଟିଏ କହୁଥିଲା ଅନ୍ୟ ପିଲାଟିକୁ। କିନ୍ତୁ ରିନି ଭାବିନଥିଲା ଯେ ପିଲାଟି ମଧ୍ୟ ସେମାନଙ୍କ ଆଡେ ଚାହିଁଦେଵ। ପିଲାଟିର ଆଖି ରିନି ଆଖିରେ ମିଶିବା କ୍ଷଣି ପିଲାଟି ବଡ଼ ବଡ଼ ଆଖିରେ ଚାହିଁ ଯିବାକୁ ଠାରିଲା। ରିନି ଡରରେ ଏକ ମୁହାଁ ହେଇ କ୍ଲାସ ରୁମରେ ପଶିଗଲା।
ଦିନ ଆଗେଇ ଚାଲିଥାଏ। ରିନି ସେହି ପିଲାଟିକୁ ପ୍ରାୟ ସମୟ କଲେଜରେ ଦେଖେ କିନ୍ତୁ ସେ କେଉଁ କ୍ଲାସର, କଣ ତାର ନାଆଁ କିଛି ଜାଣି ପାରିନଥିଲା। ଚାହୁଁ ଚାହୁଁ ଡିସେମ୍ବର ମାସ ଆସି ଯାଇଥିଲା। କଲେଜରେ ସମସ୍ତେ ପିକନିକ ଯିବାକୁ ପ୍ଲାନ କରିବା ଆରମ୍ଭ କରିଦେଇଥିଲେ। ରିନି ମଧ୍ୟ ଘରେ ପଚାରି ନେଇଥିଲା। ଶଶାଙ୍କ ବାବୁଙ୍କର ଏସବୁରେ ଆକଟ ନଥିଲା। ତେଣୁ ରିନିକୁ ଅନୁମତି ମିଳିଗଲା। ରିନି ଯାଉଥିବାରୁ ମିତାକୁ ମଧ୍ୟ ତାଙ୍କ ଘରେ ଅନୁମତି ମିଳିଗଲା। ଏହା ଭିତରେ ରିନି ଓ ମିତାର ଭଲ ମିତ୍ରତା ହେଇ ଯାଇଥିଲା। ଦୁଇ ବାନ୍ଧବୀ ଖୁସି ଥିଲେ ପିକନିକ ଯିବେ କହି।
ପିକନିକ ଦିନ ନାଚଗୀତ ହସମଜା ଭିତରେ ସମସ୍ତେ ବସରେ ଯାଇ ନିର୍ଦ୍ଧାରିତ ସ୍ଥାନରେ ପହଁଚିଲେ। ପାଖରେ ଝରଣା ଟିଏ ଥାଏ। ଝରଣାର ପାଣିରେ ହାତ ଦେଇ ସେହି ଶୀତଳତାକୁ ଅନୁଭଵ କରୁଥାଏ ରିନି, କି ହଠାତ ଝରଣାର ଅନ୍ୟ ପାର୍ଶ୍ଵରେ ତାକୁ ସେହି ସିନିଅର ପିଲାଟି ଦିଶିଲା। ରିନି ମନକୁ ମନ ଭାବିଲା, "ମୁଁ ଏହାଙ୍କ ବିଷୟରେ କଣ ଏତେ ଭାବୁଛି ଯେ ମୋତେ ସେ ଦିସୁଛନ୍ତି!" ନିଜକୁ ଚିମୁଟି ଦେଇ କଷ୍ଟରେ ରିନି ସେହି ପିଲାକୁ ଚାହିଁଲା କି ପିଲାଟି ସେପଟୁ ହସିଦେଲା। ଏତିକିବେଳେ କେହି ତାକୁ ପଛରୁ ଡାକ ଦେଲା, "ଅଭିଜିତ! ଶୁଣିଲୁ!" ରିନି ମନକୁ ମନ କହିଲା, "ଓଃ, ଅଭିଜିତ ନାଆଁ ତାଙ୍କର।"
ରିନି ନିଜ ସହପାଠୀଙ୍କ ପାଖକୁ ଫେରି ଆସିଲା ତ ଜଣେ କହିଲା, "ଅଭିଜିତ ଭାଇ, ତାଙ୍କ ଭାଇ ମାନଙ୍କ ସହ ଏଠାକୁ ପିକନିକରେ ଆସିଛନ୍ତି।" ରିନି ଅଧିକ ଜାଣିବା ପାଇଁ ପଚାରିଲା, "ଅଭିଜିତ କିଏ!" ଆଉ ଜଣେ ସହପାଠୀ କହିଲା, "ସେ ଗଣିତ ବିଭାଗର ତୃତୀୟ ବର୍ଷର ଛାତ୍ର।" ଆମ କ୍ଲାସ ରୁମ ଯେଉଁ ମହଲାରେ ଅଛି ସେଇଠି ତାଙ୍କର ମଧ୍ୟ କ୍ଲାସ ହୁଏ ନା। ସିଡି ପାଖ ରୁମଟି।"
ଅଭିଜିତକୁ ସେଠାରେ ଦେଖି ମିତା ଧୀରେ କରି ରିନିକୁ କହିଲା, "ତୋତେ ଦେଖିବାକୁ ହିଁ ସେ ଆସିଛନ୍ତି।" ରିନି କହିଲା, "ମୋତେ କାହିଁକି ଦେଖିବେ ଯେ!" ମିତା କହିଲା, "ତୋତେ ଦିସୁନି କି! ସେ ତୋତେ ହିଁ ଦେଖୁଥାନ୍ତି।" ରିନି ମନରେ ଧୀରେ ଧୀରେ ଅଭିଜିତ ପ୍ରତି ଭାବନା ଆସିବାରେ ଲାଗିଲା। ଦେଖିବାକୁ ବି ଅଭିଜିତ ଭଲ। ଥରେ ଚାହିଁଲେ ଆଖି ଫେରେଇ ହେବ ନାହିଁ।
ଆଗକୁ ଭାଲେଣ୍ଟାଇନ ଡେ' ରେ ମିତା ରାଜି କରେଇ ନେଇଥିଲା ରିନିକୁ ଯେ ସେ ଅଭିଜିତକୁ ନିଜ ମନ କଥା କହିବ। ରିନି ମନରେ ସାହାସ ବାନ୍ଧିଥିଲା ସତ କିନ୍ତୁ କେମିତି କହିବ ବୁଝି ପାରୁନଥାଏ। ଶେଷରେ ନିଜ ମନ କଥା ଗୋଟିଏ ଚିଠିରେ ଲେଖିଥିଲା ସେ। ଯତ୍ନର ସହ ତାକୁ ଗୋଟିଏ ନୀଳ ଲଫାପାରେ ପୁରେଇ ବ୍ୟାଗରେ ରଖିଲା, ଅଭିଜିତ କୁ ଦେଖୁ ଦେଖୁ ଦେଇଦେଵ ଯେମିତି।
ସିଡିରେ ଉଠି ସାରି ମିତା ଓ ରିନି ଦେଖିଲେ ଅଭିଜିତ ଏକୁଟିଆ ଛିଡା ହେଇଛି ସେଠି। ମିତା କହିଲା, "କେହି ନାହାଁନ୍ତି। ଭଲ ସୁଯୋଗ। ଦେଇ ଦେ।" ମିତା କ୍ଲାସ ରୁମ ଦିଗରେ ଆଗେଇ ଗଲା। ରିନି ସାହସ କରି ଅଭିଜିତକୁ କହିଲା, "ଅଭିଜିତ ସାର!" ଅଭିଜିତ ବୁଲି ରିନିକୁ ଚାହିଁ କହିଲା, "କଣ ହେଲା!" ରିନି ସେହି ନୀଳ ଲଫାପା ଅଭିଜିତ ହାତକୁ ବଢ଼େଇ କହିଲା, "ଏଇଟା ଆପଣଙ୍କ ପାଇଁ।" ଅଭିଜିତ ପଚାରିଲା, "ଏଇଟା କଣ!" ଅଭିଜିତର କଡା ସ୍ୱରରେ ଭୟଭୀତ ହେଇ ରିନି ଇତସ୍ତତଃ ହେଇ କହିଲା, "ମୁଁ ଆପଣଙ୍କୁ…!"
ଅଭିଜିତ ରିନି କଥାକୁ ଅଧାରେ ଅଟକେଇ କହିଲା, "ମୋ ବିଷୟରେ କିଛି ଜାଣିଛ ତମେ!" ରିନି କହିଲା, "ନା।" ଅଭିଜିତ କହିଲା, "ତାହେଲେ…! ଆମ ସମ୍ପର୍କ ସମ୍ଭବ ନୁହେଁ। ନିଜ ପଢ଼ାରେ ଧ୍ୟାନ ଦିଅ। କ୍ଲାସକୁ ଯିବ ଯାଆ।" ନିଜ ପ୍ରଥମ ପ୍ରେମକୁ ଏଭଳି ଅସଫଳ ହେବା ଦେଖି ରିନି ମନ ଦୁଃଖ ହେଇଗଲା। କିନ୍ତୁ ନିଜକୁ ସମ୍ଭାଳି ନେଇଥିଲା ସେ। କିନ୍ତୁ ସେହି ନୀଳ ଲଫାପାକୁ ନଷ୍ଟ ମଧ୍ୟ କରି ପାରିନଥିଲା ସେ। ରହିଯାଇଥିଲା ତାହା ସେହି ଟ୍ରଙ୍କ ଭିତରେ ଯାହା କେବେ ଖୋଲା ହେଇନଥିଲା। କିଛି ମାସ ପରେ ତୃତୀୟ ବର୍ଷର କ୍ଲାସ ସରିବା ପରେ ଅଭିଜିତକୁ ଆଉ ଦେଖିବାକୁ ପାଇନଥିଲା ରିନି।
ବର୍ତ୍ତମାନ…
ଝିଅ ଭିତରକୁ ଆସୁ ଆସୁ କହିଲା, "ପାପା! ଦେଖ ମମି ଏଇଠି ବସିଛନ୍ତି।" ସ୍ୱାମୀଙ୍କ ଆଡେ ଦେଖି ନୀଳ ଲଫାପା ବଢ଼େଇ ଦେଇ ସ୍ମିତ ହାସ ସହ ରିନି କହିଲେ, "ଏଇ ନିଅ ତୁମ ଚିଠି।" ଅଭିଜିତ ହସି କହିଲେ, "ଏଇଟା ରଖିଛ ତମେ! ଦେଖିବା କଣ ଲେଖିଥିଲ!" ଅଭିଜିତ ଲଫାପାକୁ ଯତ୍ନରେ ଖୋଲି ଚିଠିଟି ପଢିବାରେ ଲାଗିଲେ।
[ଅଭିଜିତର ବଡ଼ବାପା ଓ ରିନିଙ୍କ ବାପା ଦୁହେଁ ଗୋଟିଏ ଅଫିସରେ କାମ କରୁଥିଲେ ଯାହା ରିନି ଜାଣି ନଥିଲା। ରିନିର ଆଡ଼ମିସନ କଥା ନିଜ ବନ୍ଧୁଙ୍କୁ କହିଥିଲେ ଶଶାଙ୍କ ବାବୁ। ଗୋଟିଏ ଜାତି ହେଇଥିବାରୁ ବନ୍ଧୁ ପତ୍ନୀ, ରିନିକୁ ବୋହୁ କରିବାକୁ ମନରେ ଆଶା ରଖିଥିଲେ। ନିଜ ପୁତୁରାକୁ ସେ କହିଥିଲେ, "ଦେଖ ଅଭି! ତୋ ଭାଇ ପାଇଁ ମୁଁ ଝିଅଟିଏ ଦେଖିଛି। ତୋରି କଲେଜରେ ଇଂରାଜୀ ବିଭାଗରେ ପଢିବ ସେ। ତାକୁ କେହି ହଇରାଣ ନକରନ୍ତି ଧ୍ୟାନ ଦେବୁ।"
କିନ୍ତୁ ପରେ ଅଭିଜିତର ବଡ଼ବାପା ପୁଅ ଭାଇ ନିଜ ଜଣେ ଷ୍ଟାଫକୁ ପ୍ରେମ ବିବାହ କରିଥିବାରୁ ରିନିକୁ ଏସବୁ ର ସତ ଜଣା ପଡିନଥିଲା। ଦିନେ ଅଭିଜିତର ବଡ଼ମାଆ, ଅଭିଜିତ ମାଆକୁ କହିଲେ, "ଶଶାଙ୍କ ବାବୁଙ୍କ ଝିଅଟି ବହୁତ ଭଲ। ଅଭି ପାଇଁ ଦେଖୁନୁ!" ତାପରେ ଅଭିଜିତର ପ୍ରସ୍ତାବ ପଡିଥିଲା ରିନି ସହ। ରିନି କହିଦେଇଥିଲା ବାପାଙ୍କ ପସନ୍ଦରେ ବାହା ହେବ।
ଝିଅ ଦେଖିବାକୁ ଆସିଥିଲେ ଅଭିଜିତ। ପୁଅ ଝିଅ କଥା ହୁଅନ୍ତୁ କହି ସମସ୍ତେ ତାଙ୍କୁ ଏକୁଟିଆ ଛାଡି ଦେଇଥିଲେ ବେଳେ ଅଭିଜିତ କହିଥିଲେ, "ତମ ନାଆଁ ତାହେଲେ ରିନି।" ଏତେ ବେଳ ଯାଏ ମୁଣ୍ଡ ତଳକୁ କରିଥିବା ରିନି ମୁଣ୍ଡ ଟେକି ଅଭିଜିତଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇ କହିଲେ, "ଆପଣ!" ଅଭିଜିତ ସ୍ମିତ ହାସ ସହ କହିଲେ, "ହଁ, ମୁଁ।" ରିନି ଅଭିମାନରେ କହିଥିଲେ, "ଆମ ସମ୍ପର୍କ ତ ସମ୍ଭବ ନୁହେଁ କହିଥିଲେ। ଆଜି କାହିଁକି ଆସିଛନ୍ତି!" ଅଭିଜିତ କହିଲେ, "ଏତେ ରାଗ ମୋ ଉପରେ! ସତ ହେଲା ଭାଇଙ୍କ ପାଇଁ ତମକୁ ଦେଖୁଥିଲେ ତେଣୁ ମୁଁ କେମିତି ହଁ କହିଥାନ୍ତି!" ସବୁ କଥା କହିଥିଲେ ଅଭିଜିତ। ଦୁଇ ପରିବାର ସହମତିରେ ରିନି ଓ ଅଭିଜିତ ପରସ୍ପରର ଜୀବନ ସାଥି ହେଇ ଯାଇଥିଲେ।]
ଅଭିଜିତ ଚିଠି ପଢ଼ିସାରି ପୁଣି ଲଫାପା ଭିତରେ ରଖି ରିନିଙ୍କୁ କହିଲେ, "କେଉଁ କାହାଣୀ କେବେ ଆରମ୍ଭ ହେବ ତାହା ଭଗବାନ ଠିକ କରିଥାନ୍ତି। ଆମ ପ୍ରେମ କାହାଣୀ ଆମ ବିବାହରୁ ଆରମ୍ଭ ହେବାର ଥିଲା ବୋଧେ।" ଟ୍ରଙ୍କ ବନ୍ଦ କରୁ କରୁ ରିନି କହିଲେ, "ତମକୁ ମୋ ପାଖକୁ ହିଁ ଆସିବାର ଥିଲା। ଅଠର ବର୍ଷ ଆଗରୁ ନହେଲେ ନାଇ ତାହାର କିଛି ବର୍ଷ ପରେ ଆସିଲ।" ରିନି ଉଠି ରୁମରୁ ବାହାରିଲେ।
ରିନିଙ୍କ ପଛରେ ଯାଉ ଯାଉ ଅଭିଜିତ ସ୍ମିତ ହାସ ସହ ମନକୁ ମନ କହିଲେ, "ତମକୁ କଲେଜରେ ପସିବା ବେଳେ ଦେଖି କରି ମୋ ମନ ତମ ପ୍ରତି ଢଳି ଯାଇଥିଲା। କିନ୍ତୁ ଭାଇ ସହ ପ୍ରସ୍ତାବ ପଡିଥିବା ଝିଅଟି ତମେ ବୋଲି ଜାଣିବା ପରେ ନିଜ ମନକୁ ମାରି ନେଇଥିଲି। ସେଦିନ ଏହି ଚିଠି ଯେତେବେଳେ ଦେଉଥିଲ, ତମକୁ ନାଁ କହି ମୋ ମନ କଷ୍ଟରେ ଭରି ଯାଇଥିଲା। ଆଉ ମୁଁ ଏକଥା ଆଜି ଯାଏ ତମକୁ କହି ପାରିନି। କିନ୍ତୁ ପ୍ରେମ ତ ହେବାର ଥିଲା, ହେଇଗଲା।" ନୀଳ ଲଫାପାକୁ ଯତ୍ନର ସହ ନିଜ ଲାପଟପ ବ୍ୟାଗରେ ପୁରେଇଦେଲେ ଅଭିଜିତ।
___ ସମାପ୍ତ ___