
SS Publication
June 10, 2025 at 08:11 AM
ଫୁଲ ପାଇଁ ଚିଠି ଟିଏ
ସେଦିନ ଚା ପିଉଥିଲା ବେଳେ ଦୋକାନ ପାଖ ଅଳିଆ ଗଦା ରେ ହଟାତ ତୋତେ ଦେଖି ବହୁତ ଖରାପ ଲାଗିଲା, କଷ୍ଟ ବି ଲାଗିଲା l ଷ୍ଟାଫ୍ ମାନଙ୍କ ସାଙ୍ଗରେ ଥିଲି ବୋଲି ଅଣଦେଖା କରି ସିନା ଚାଲିଆସିଲି ହେଲେ ରାତିରେ କାହିଁକି ତୋ ବିଷୟରେ ଭାବି ମନ ଟା ଭାରି ଆଉଟୁ ପାଉଟୁ ହେଲା, ତୁ ମୋତେ ଦେଖି ମୁହଁ ଟାକୁ ତଳକୁ କରିନେଲୁ ସିନା, ହେଲେ ମୁଁ ତୋତେ ଠିକ ଚିହ୍ନି ପାରିଥିଲି l ସକାଳୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମାଡାମ ଙ୍କ ଗଳାମଣ୍ଡନ କରିଥିବା ସହର ର ସବୁଠୁ ଦାମିକା ଫୁଲ ମାଳା ସନ୍ଧ୍ୟା ରେ ଅଳିଆ ଗଦା l
ତୋତେ କଷ୍ଟ ହେବ କଣ ମୋତେ ତ ଭାରି କଷ୍ଟ ହେଉଛି l
ଏଣୁ ଟିକେ ଆଶ୍ୱାସନା ଦେବା ପାଇଁ ଭାବିଲି ଚିଠି ଟେ ଲେଖିବି ତୋ ଉଦ୍ଦେଶ୍ୟ ରେ l
ସ୍ନେହର ଫୁଲ,
କଳିଯୁଗ ର ଏ ଦୁନିଆ ବାବୁରେ
ବିନା ମତଲବ ରେ କିଛି ହୁଏନି
ସତ ପ୍ରେମ ଏଠି ସ୍ୱପ୍ନ ରେ ମିଳେରେ
ପ୍ରେମ ମୁଲ କେହି ବୁଝେନି ll
ହଁ ଲୋ ଫୁଲ ଆଜିର ଦୁନିଆ ଟା ଏଇଭଳିଆ l ସିଗାରେଟ ଧରିଲେ ଟାଣି ଦେଲେ, ଭକ୍ ଭକ୍ ଧୂଆଁ ଛାଡିଦେଲେ ବାସ୍ ତାପରେ ଫିଙ୍ଗିଦେଲେ ଯାହା ଆଜି ତୋ ଅବସ୍ଥା ହୋଇଛି l
କାଲିର କଥା ଭାବିଲା ବେଳକୁ ମୋତେ ତ କେମିତି କେମିତି ଲାଗିଯାଉଛି, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମହୋଦୟ ଗସ୍ତ ରେ ଆସିବେ ବୋଲି ପାଞ୍ଚ ଦିନ ଆଗରୁ ଯୋଜନା, ସେଭିତରେ ତୋତେ ବି ଆଣିବା ପାଇଁ ଆମର ଗୋଟେ ସ୍ପେଶାଲ ଟିମ ହୋଇଥିଲା l ତୁ କଣ ଜାଣିନଥିବୁ, 70km ଦୂର ସହରକୁ ଯାଇ ସ୍ପେଶାଲ ଅର୍ଡର କରି ଇନୋଭା କାର ରେ ତୋତେ ଅଣାଗଲା, ପୁଣି ରାତିରେ କାଳେ ଶୁଖିଯିବୁ ଫ୍ରୀଜ଼ ଭିତରେ ଦାମୀ ଅତର ସ୍ପ୍ରେ କରି ରଖାଗଲା l ବାପରେ କି ପ୍ରେଷ୍ଟିଜ୍ ତୋତେ l ତୁ ବି କମ୍ ଫୁଲେଇ ହେଉଥିଲୁ କି l ତୋପାଖ କେହି ଭିଡି ପାରୁନଥିଲେ, ବାପରେ ବାପ ସିକୁରିଟି ଗାର୍ଡ ବି ଜଗିଥିଲେ ତୋତେ l ଆଉ ତା ପରଦିନ, କଣ କହିବି କହ ସୁବର୍ଣ୍ଣ ଥାଳି ରେ ଧୂପ ସୁଗନ୍ଧ ଅତର ସହ ଓଡିଶା ର ଓଲିଉଡ଼ ଜଗତର ସେଲିବ୍ରିଟି ଷ୍ଟାର ଅର୍ଚିତା ପ୍ରିୟଦର୍ଶିନୀ ହସ୍ତ ମଣ୍ଡନ ରେ ମହାମହିମ ଙ୍କ ଗଳା ମଣ୍ଡନ କଲୁ ସେ ପୁଣି ସଂଗୀତ ବାଦନ ଓ ନୃତ୍ୟ ତାଳେ ତାଳେ l
ଅବଶ୍ୟ ଏବେ ଏ କଥା ଶୁଣିଲା ବେଳକୁ ବେଳକୁ ତୋତେ କଟା ଘା ରେ ଚୂନ ଲାଗିଲା ଭଳିଆ ଲାଗୁଥିବ l ହେଲେ କଣ କରିବା କହ ତୁ ତ ଫୁଲ, ତମ ଫୁଲ ଜୀବନରେ ଏମିତି ତ ନିତି ଦିନ ହେଉଛି,
ଅବଶ୍ୟ ତୋତେ ଘରେ ବା ଅଫିସ ରେ କିଛି ଦିନ ରଖିପାରିଥାନ୍ତେ, ଡାଇରେକ୍ଟ ଅଳିଆ ଗଦା ରେ ଫିଙ୍ଗିବା ଟା ଠିକ ହେଲାଣି l
ଛାଡ଼ ମନ ଦୁଃଖ କରନି ରେ ଫୁଲ, ଆରେ ତୋ ଜୀବନ କଣ ଆମ ମଣିଷ ମାନଙ୍କ ଜୀବନ ରେ ବି ଏମିତି ଅନେକ ସମୟରେ ଦେଖିବାକୁ ମିଳୁଛି ରେ l ଏଠି ପ୍ରତିମୁହୂର୍ତ୍ତ ରେ ପ୍ରତି ଘରେ ଘରେ ମହାଭାରତ ଚାଲିଛି l "ବୈକୁଣ୍ଠ ସମାନ ଅଟେ ଏହି ଘର" ଏ ଶବ୍ଦ ଟି ଆଜି ବହି ଭିତରେ ଆବଦ୍ଧ ହୋଇଯାଇଛି ରେ l କେଉଁଠି ପୁଅ ବାପା କୁ ମାରୁଛି ତ କେଉଁଠି ଭାଇ ଭାଇ ଭିତରେ ଯୁଦ୍ଧ ଚାଲୁଛି l କେଉଁଠି ବାପା ମା ନିଜ ସ୍ଵାର୍ଥ ପୂରଣ କରିବାକୁ ଯାଇ ବିଚରା ନିରୀହ ଝିଅ କୁ ଇଛା ବିରୁଦ୍ଧରେ ବାହା କରେଇ ଦେଉଛନ୍ତି ଆଉ ବିଚାରୀ ଟା କଷ୍ଟ ଯନ୍ତ୍ରଣା ସହି ସହି ଜୀବନ୍ତ ଶବ ପାଲଟି ଯାଉଛି, ପୁଣି କେଉଁଠି ପ୍ରେମ ପାଇଁ ରକ୍ତ ର ନଦୀ ବହୁଛି l
ହଁ ରେ ଫୁଲ ଏ ଦୁନିଆ ଟା ମତଲବି l ତୁ ନିଜେ ଦେଖ କାମ ସରିବା ପୂର୍ବରୁ ତୋତେ କେତେ ପ୍ରେଷ୍ଟିଜ୍ ଦିଆଯାଉଥିଲା, କାମ ସରିଲା ବାସ ତୋ ଜଗା ଏସି ରୁମ ଛାଡି ଅଳିଆ ଗଦା ହୋଇଗଲା l ଗୋଟେ ଓଡ଼ିଆ ର ଢଗ ଶୁଣିଥିବୁ ବାହାଘର ପରେ ବେଦୀ ମୁହଁ ପୋଡା, ବାସ୍ ଆଜିର ଦୁନିଆ ଟା ଏଇଭଳିଆ ରେ l ବାପା ମା ବୁଢ଼ା ହୋଇଗଲେ କାମ କରିପାରୁନାହାନ୍ତି, ଅନାଥ ଆଶ୍ରମ ରେ ଛାଡି ଦେଉଛନ୍ତି ତ ପୁଣି କେଉଁଠି ଦୁଇ ଭାଇ କିଏ କାହିଁ ବେଶୀ ଖର୍ଚ୍ଚାନ୍ତ ହେବେ ବାପା ମା ଙ୍କୁ ଭାଗ କରି ଖାଇବାକୁ ଦେଉଛନ୍ତି, ପୁଣି ଦେହ ଖରାପ ହେଲେ ବୁଢ଼ା, ବୁଢ଼ୀ ହେଲେଣି ଆଉ କେତେ ଦିନ ବଂଚିବେ କାହିଁକି ଏତେ ପଇସା ଖର୍ଚ୍ଚ କରିବା, ଖାଲିଟାରେ କାହିଁକି କଷ୍ଟ ପାଇବେ ସେ ଶାନ୍ତିରେ ଚାଲିଯାଆନ୍ତୁ l ବିଶ୍ୱାସ କରିବୁନି ଫୁଲ ଡାକ୍ତର ଖାନା ରେ ସିଧା ଡାକ୍ତର ଙ୍କୁ ଏଇଭଳିଆ କହିଦେଉଛନ୍ତି l ବିଶ୍ୱାସ, ଭଲପାଇବା ସବୁ ଯେମିତି ଏ ଦୁନିଆ ରେ ପ୍ରହସନ ପାଲଟିଛି l ଆରେ ଠାକୁର ଙ୍କ ପାଖରେ ବି ଏମିତି କହୁଛନ୍ତି
" ପ୍ରଭୁ ମୁଁ ଏ କେଶ ଜିତିଗଲେ ତୋତେ ସୁନା ପଦକ ଦେବି,
ପ୍ରଭୁ ମୋ ପୁଅ ଚାକିରୀ ପାଇଲେ ଭୋଗ ଲଗେଇବି, ପ୍ରଭୁ ସେ ଝିଅ ସହ ମୋର ବାହାଘର ହୋଇଗଲେ ତୋ ପାଖକୁ ଆସି ଭୋଗ ଲଗେଇବି, ମୁଁ କୋଟିଏ ଜିତିଗଲେ ତୋ ପାଇଁ ଗୋଟେ ମନ୍ଦିର କରିଦେବି l ମୁଁ କଣ କହୁଛି ବୁଝିପାରୁଛୁ ନା, ଡ଼ିଲ୍ ଡିଲ୍
ମଣିଷ ଭଗବାନ ଙ୍କ ସହ ଡ଼ିଲ କରିବାକୁ ଛାଡ଼ୁନି ଆଉ ତୋ କଥା କିଏ ପଚାରେ ଲୋ ଭଉଣୀ l
ଆରେ ତମ ଫୁଲ ଜୀବନ ଟା ତ ଦେଖିବାକୁ ଗଲେ ବହୁତ ଭଲ, ତମେ ମାନେ ସିନା ଧୋକା ଖାଅ ହେଲେ କାହାକୁ ଦିଅନି, ଆମର ଏ ମଣିଷ ମାନେ ତ ଧୋକା ଦେବାରେ ମାହିର, ସତେ ତାଙ୍କ ରକ୍ତରେ ଲେଖା ଯେମିତି l ଯେବେ ଦେବ ଗଳା ହାର ହୋଇ ଶୋଭା ପାଉ ସତେ କେତେ ସୁନ୍ଦର ଲାଗୁ ତୁ, ମନ ପ୍ରାଣ ପୁରି ଯାଏ l ତା ପର ଦିନ ତୁ କୁଆଡେ ବାସି ହୋଇଯାଉ ବୋଲି ତୋତେ ଜଳ ବିସର୍ଜନ ନେବାକୁ ପଡେ, ହେଲେ ଆମ ମଣିଷ ତାଙ୍କର ଦେବଗଳା ହାର ତୁଲ୍ୟ ସନ୍ତାନ ସନ୍ତତି କୁ ଗଳାରେ ଧରି ବେଶ୍ ଉତଫୁଲ୍ଲିତ ହୋଇଯାଆନ୍ତି, ତୁ ସିନା ବାସି ହୋଇ ବିସର୍ଜନ ହୋଇଯାଉ ହେଲେ ଆମ ଏ ମଣିଷ ରୁପି ଦେବ ଗଳା ହାର ବାସି ତ ହୁଏନି ବରଂ ଦେବ ନିଜେ ବାସି ହୋଇ ବିସର୍ଜନ ନେବାପାଇଁ ଗଳାହାର ତାର ବାଧ୍ୟ କରିଦିଏ l ଅବଶ୍ୟ ମୁଁ ସମସ୍ତଙ୍କ କଥା କହୁନି ଲୋ ଫୁଲ, ଏମିତି ବହୁତ ଆମ ସମାଜ ରେ ଘଟୁଛି l
ଆଉ ଗୋଟେ କଥା କହିବି ଫୁଲ ଖରାପ ଭାବିବୁନି l ଆମ ମଣିଷ ତୋତେ ଘରେ, ବାଲକୋନୀ ରେ, ନିଜ ବଗିଚା ରେ କେତେ ଯତ୍ନ କରି ବଢ଼ାଉଛି, ହେଲେ ସେଇ ମଣିଷ ତାଙ୍କ ଗେଟ ପାଖରେ ତୋର କିଛି ଅଲଗା ପ୍ରଜାତିର ଗଛ ହାଣି ସଫା କରିଦେଉଛି l ସବୁଥିରେ ସ୍ୱାର୍ଥ ଲୋ ଫୁଲ, ସବୁଥିରେ ସ୍ୱାର୍ଥ, ଯେଉଁଟା ସୌନ୍ଦର୍ଯ୍ୟ ଦେଇପାରିବ, ଯେଉଁଟା ସୁରଭି ଦେଇପାରିବ,ଯେଉଁଟା ଦେବ ଗଳା ହାର ହୋଇପାରିବ, ଯେଉଁଟା ବିକ୍ରିକଲେ ଦି ପଇସା ହେବ ସେଇମାନଙ୍କର ମଣିଷ ସହ ରହିବାର ଅଧିକାର ଅଛି ଆଉ ରାସ୍ତା କଡରେ ବଢୁଥିବା ତୋର କିଛି ପ୍ରଜାତି ଫୁଟୁଛନ୍ତି ଆଉ ଝରି ପଡୁଛନ୍ତି l
ଆଉ ଗୋଟେ ମଜା କଥା ଶୁଣ,
ପୁଅ ଟେ ଗୋଟେ ଝିଅ କୁ ଭଲ ପାଉଥିଲା, ତୋର ଗୋଲାପ ପ୍ରଜାତି ର ଗୋଟେ ଫୁଲ ବନ୍ଧୁ କୁ ନେଇ ସେ ଝିଅ ଟିକୁ ଦେଲା, କଣ ହେଲା କେଜାଣି ତାଙ୍କ ଭିତରେ ଝିଅ ଟା ପୁଅ କୁ ଗୋଟେ ବ୍ରହ୍ମ ଚାପୁଡ଼ା ଦେଲା ଆଉ ତୋ ଗୋଲାପ ବନ୍ଧୁ କୁ ପାଦରେ ଦଳି ଦେଲା l ମାନେ ମୁଁ ଯାହା ବୁଝିଲି ଯିଏ ଯାହା କରୁ ତୋର ବଳି ପଡିବା ଟା ନିଶ୍ଚିତ l
ଅବଶ୍ୟ ଏହି ପଂକ୍ତି ରେ ତୁ ମୋତେ କହିପାରିବୁ କି "ମଣିଷ ଭାଇ ତମ ଭିତରେ ଏମିତି ବି ପ୍ରେମିକ ପ୍ରେମିକା ଅଛନ୍ତି ଯିଏ କି ମୋତେ ବର୍ଷ ବର୍ଷ ଧରି ନିଜ ଡ଼ାଇରୀ ରେ ସାଇତି ରଖୁଛନ୍ତି l"
ସତ ସତ ଫୁଲ ଭଉଣି, କିଛି ଜଣ ଅଛନ୍ତି ଡ଼ାଇରୀ ଭିତରେ ତୋତେ ସାଇତି ରଖୁଛନ୍ତି କାରଣ ସେମାନେ ପ୍ରେମ ର ପୂଜାରୀ, ସେମାନେ ପ୍ରେମ ର ମୂଲ୍ୟ ବୁଝନ୍ତି ଫୁଲ ର ମୂଲ୍ୟ ବୁଝନ୍ତି ସେମାନେ ପ୍ରକୃତି ଭିତରେ ବି ପ୍ରେମକୁ ଖୋଜନ୍ତି, ହେଲେ ଜାଣିଛୁ ସମାଜ ତାଙ୍କୁ ଆଖ୍ୟା ଦିଏ ପାଗଳ ଟା l ସେଇଥି ପାଇଁ କହୁଛି ହେ ଫୁଲ ଭଉଣୀ ଏ ମଣିଷ ହେଲେ ବହୁରଙ୍ଗୀ, ଅବଶ୍ୟ ତୁ ବି ବହୁରଙ୍ଗୀ ନାଲି ନେଳି ଧଳା ଗୋଲାପୀ ହେଲେ ତମ ସମସ୍ତଙ୍କ ହୃଦୟ ଏକ, ସୌନ୍ଦର୍ଯ୍ୟ ସୁରଭି ପ୍ରଦାନ କରି ନିଜକୁ ତ୍ୟାଗ କରିଦିଅ ଆଉ ତ୍ୟାଗ ର ଆନନ୍ଦ ଅନୁଭବ କର, ଭୂମିରେ ପତିତ ହେଲେ ବି କାହାକୁ କଷ୍ଟ ଦିଅନି, ହେଲେ ମଣିଷ ବାହାରେ ବି ବହୁରଙ୍ଗୀ ଆଉ ଭିତରେ ବି l
ଛାଡ଼ କହୁ କହୁ ବହୁତ କହିଦେଲିନି, ଖରାପ ଭାବିବୁନି l ତୁ ବହୁତ କଷ୍ଟ ରେ ଥିଲୁ ବୋଲି ଟିକେ ଆଶ୍ୱାସନା ପୂର୍ବକ ଲେଖିଦେଲି l ହଉ ତୁ ମନ ଖରାପ କରନି l ମୁଁ କାଲି ଭୋର ଯାଇ ତୋତେ ସେଠୁ ଉଠେଇ ଆଣି ଘରେ ପାଣି ଫାଣୀ ସ୍ପ୍ରେ କରିକି ରଖିବି, ତୋତେ ଯେତେବେଳେ ସନ୍ଧ୍ୟା ବେଳେ ଦେଖିଲି ଉଠେଇ ଆଣିଥାନ୍ତି ହେଲେ ଆମ ଷ୍ଟାଫ ମାନେ ଥିଲେ ପରା, ତୁ ଜାଣିନୁ କି ଏ ମଣିଷ ମାନଙ୍କୁ ମୁଁ ଯଦି ସମସ୍ତଙ୍କ ଆଗରେ ଉଠେଇଥାନ୍ତି, ସବୁ ମୋତେ ତାଚ୍ଛଲ୍ୟ କରିଥାନ୍ତେ କମେଣ୍ଟ ମାରିଥାନ୍ତେ କହିଥାନ୍ତେ ଦେଖରେ କଂଜୂସ ଅଳିଆ ଗଦା ରେ ଫୁଲ ଟାକୁ ଉଠେଇ ଆଉ କେଉଁଠି କାମ ଚଲଳେଇଦେବ l ସେଇଥି ପାଇଁ ମନ ଥିଲେ ବି ତୋତେ ଉଠେଇ ପାରିଲିନି, କ୍ଷମା କରିଦେବୁ ଭଉଣୀ,
କାଲି ନିଶ୍ଚୟ କିନ୍ତୁ ତୋତେ ସେଠୁ ଉଦ୍ଧାର କରିବି l ଆରେ ହେ ଯଦି କେହି ବୁଲା ଗାଈ ଗୋରୁ ତୋତେ ଉଦରସ୍ଥ କରିଦେବେ, କୁକୁର ଯଦି ମଳ ମୂତ୍ର ବିସର୍ଜନ, ନା ନା ଏବେ ଯାଉଛି ତୋତେ ନେଇ ଆସିବି l
ଏ ହେ ସମୟ ରାତି ଗୋଟେ ହେଲାଣି, ଅଳିଆ ଗଦା ରୁ କିଛି ଗୋଟାଇଲା ବେଳେ ଯଦି ପୋଲିସ ଦେଖିନେବ, ପୁଣି ଚୋର ଭାବି ଉତ୍ତମ ମଧ୍ୟମ ଦେବ, କୁକୁର ଯଦି ଗୋଡ଼େଇବ l ସରି ରେ ଫୁଲଭଉଣୀ, , ତୁ ତ ଜାଣିଛୁ ସାଂସାରିକ ମଣିଷ ଟା ମୁଁ, ତୋତେ ଉଦ୍ଧାର କରୁ କରୁ କାଳେ ମୋ ଜୀବନ ବିପଦ ରେ ପଡ଼ିଯିବ l ଏତେ ତ୍ୟାଗ କେମିତି କରିପାରିବି କହିଲୁ ଭଉଣୀ, ତୁ ସିନା ତ୍ୟାଗ ର ଆନନ୍ଦ ନେଇପାରୁ ହେଲେ ମୁଁ ସାଧାରଣ ମଣିଷ ଟା ରେ, ଖରାପ ଭାବିବୁନି l ହଉ ଭଉଣୀ ତେଣେ ମୋ ସ୍ତ୍ରୀ ଉଠିଲାଣି, ସେ ଯଦି ଦେଖି ପକେଇବ ରାତି ଗୋଟେ ବେଳେ କାହାପାଖକୁ ଚିଠି ଲେଖୁଛି... ତାହେଲେ ଗଲା ପୁଣି ରାତିସାରା ଟ୍ୟୁସନ ଚାଲିବ l ରଖୁଛି ସମୟ ସୁବିଧା ଦେଖି ତୋତେ ଉଦ୍ଧାର କରିବି, ମୋ ଚିଠି ପଢି ମନକୁ ବୁଝେଇ ଦେବୁ l କଣ କରିବା କହ ଏଇତ ଜୀବନ ରେ ଭଉଣୀ ଏଠି କେବେ ଫୁଲ ବି ପଥର ସମାନ l
ଇତି
ତୋର ଜଣେ ମଣିଷ ବନ୍ଧୁ l