
SS Publication
June 10, 2025 at 09:01 AM
ଅତର ଲଗା ଚିଠି
ଉଣେଇଶ ଶହ ସତୁରୀ ମସିହା କଥା। ମୁଁ ସେତେବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁ ଥାଏ। ଆମ ଗାଁ ମଧୁପୁର ଏକ ନିପଟ ମଫସଲ ଗାଁ। ଛୋଟ ଗାଁ ଟିଏ। ଦେଢ ଶହ ପରିବାର ବସବାସ କରିଥାନ୍ତି । ଲୋକ ସଂଖ୍ୟା ପ୍ରାୟ ଛଅ ଶହ।ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ରୁ ଦୁଇ କିଲୋମିଟର ଦୂର କାଞ୍ଚନପୁର ରେ ଗୋଟିଏ ନିମ୍ନ ପ୍ରାଥମିକ ବିଦ୍ୟାଳୟ। ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଥିଲା। ଆଉ ଗାଁ ଠାରୁ ପାଞ୍ଚ କିଲୋମିଟର ଦୂର କଲ୍ୟାଣପୁର ରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଉ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଥାଏ। ଯିବା ପାଇଁ ଗମନା ଗମନ କିଛି ସୁବିଧା ନ ଥାଏ। ପାଦରେ ଚାଲି ବିଦ୍ୟାଳୟ କୁ ଯିବାକୁ ହୁଏ। ଆମ ଗାଁ ମଧୁପୁର ରେ ଜଣେ ଶିକ୍ଷକ ନାମ ଶ୍ୟାମ ସୁନ୍ଦର ସାହୁ ରହି କାଞ୍ଚନ ପୁର ନିମ୍ନ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁ ଥିଲେ।ସେତେବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା ଚାକିରୀ ମିଳି ଯାଉ ଥିଲା। ସିଏ ସେହି ସପ୍ତମ ପାସ କରି ଶିକ୍ଷକତା କରୁଥିଲେ।ସିଏ ଆମ ଗାଁର ଲୋକ ନୁହଁ। ଆଠ ମଲିକ ଅଞ୍ଚଳ ର।ଆମ ଗାଁ ର ଜଣକ ଘରେ ରହୁ ଥିଲେ। ଗାଁରେ ଶିକ୍ଷିତ ଙ୍କ ସଂଖ୍ୟା ବହୁତ କମ। ସେତେବେଳେ ଶ୍ୟାମ ସୁନ୍ଦର ବାବୁ ଆମ ଗାଁର ଉଚ୍ଚ ଶିକ୍ଷିତ। ଗାଁ ରେ ପ୍ରତ୍ୟେକ କଥାରେ ତାଙ୍କର ପରାମର୍ଶ କରୁଥିଲେ। ସେଥିରେ ପୁଣି ସେ ଗାଁ ବିଦ୍ୟାଳୟ ର ଶିକ୍ଷକ। ଗାଁ ର ଭଗବତ ଘରେ ଗାଁ ର ଛୋଟ ଛୋଟ ପିଲା ମାନଙ୍କୁ ଟିଉସନ କରୁଥିଲେ।ଗାଁରେ କାହାର ଦେହ ପା ଖରାପ ହେଲେ ସାହୁ ମାଷ୍ଟ୍ରଙ୍କ ନିକଟକୁ ଯାଉ ଥିଲେ। ସିଏ କବିରାଜ ଭାବରେ ଆମ ଗାଁରେ କାହିକି ଆଖ ପାଖ ଗାଁ ରେ ବେସ୍ ଜଣାଶୁଣା।ସରକାରୀ ଅଫିସରେ କିଛି ଦରଖାସ୍ତ ଦେବାର ହେଲେ ଲୋକେ ତାଙ୍କୁ ଲେଖିବାକୁ କହୁଥିଲେ। ଲୋକେ ଆଶ୍ଚର୍ଯ୍ୟ ହେଉ ଥିଲେ ମାଷ୍ଟ୍ର ଙ୍କ ଛୋଟ ମୁଣ୍ଡରେ ଏତେ ଗୁଡିଏ ବିଦ୍ୟା ଆଉ ବୁଦ୍ଧି ଆସିଲା କୋଉଠୁ...??
ବୟସ ତାଙ୍କର ପାଖା ପାଖି ତିରିଶ। ମଧ୍ୟମ ଉଚ୍ଚ ଦେହର ରଙ୍ଗ ହାଣ୍ଡି ପରି କଳା,ଲଣ୍ଡିତମୁଣ୍ଡ, ମୁହଁର ଦାନ୍ତ ଦିଟା ଆଗକୁ ବାହାରିଯାଇ ବହୁତ ବିକୃତ ଦେଖା ଯାଆନ୍ତି। ବାବୁ ସେ ପର୍ଯ୍ୟନ୍ତ ଅବିବାହିତ ଥିଲେ। ଏଡେ ଅସୁନ୍ଦର ବ୍ୟକ୍ତି କୁ କିଏ ବା ଝିଅ ଦେବ.....??
କୋଉ ଝିଅ ବାହା ହେବାକୁ ରାଜି ହେବ......??
ସାହୁ ବାବୁ ଙ୍କ ଝିଅ ଦେଖା ଭିତରେ ଭିତରେ ଚାଲି ଥାଏ.....
ସାହୁ ବାବୁଙ୍କର ପ୍ରବଳ ଆଳୁ ଦୋଷ......
ସବୁ ବେଳେ ଝିଅ ଙ୍କ ଉପରେ ନଜର.......
ଝିଅ ଟିଏ ଦେଖିଲେ ସତେ ଯେମିତି ତାକୁ ଗିଳିଗଲା ଭଳିଆ ଚାହାଣୀ ରେ ଜଳ ଜଳ କରି ଅନାଉ ଥାନ୍ତି......
ନହେବ ବା କିପରି.....??
ଆଉ କାମ ବାସନା କାହାର ବା ନାହିଁ......??
ସମସ୍ତ ଙ୍କର ଭିତରେ କାମ ର ପ୍ରବଳ ଇଚ୍ଛା ରହିଛି......
ତା ବାହାରେ ଅନେକ ଦିନରୁ ସେ ଝିଅ ମାନଙ୍କ ପଛରେ ଗୋଡାଇ ଗୋଡାଇ ବ୍ୟର୍ଥ ପ୍ରେମିକ ସାଜି ତାଙ୍କ ଆଉ ଧୈର୍ଯ୍ୟ ନାହିଁ.....
ସେତେବେଳେ ଆମେ ଚାରିଜଣ ପିଲା ଗାଁ ରେ ପାଠ ପଢୁଥିଲୁ।
ସବୁ ଦିନ ପାଦରେ ଚାଲି ଚାଲି ଯାଇ ପାଠ ପଢିବା କେତେ ଯେ କଷ୍ଟ ଭୁକ୍ତଭୋଗୀ ଏକା ଜାଣିଛି........
ଆମେ ଚାରିଜଣ ଭିତରୁ ତିନି ଜଣ ପୁଅ ଆଉ ଜଣେ ଝିଅ.....
ଝିଅ ଟି ଆମ ଗାଁର ପଧାନ ଘର ଝିଅ କସ୍ତୁରୀ.....
ଦେଖିବାକୁ ବହୁତ ସୁନ୍ଦର। ଗୋଟିଏ ଚାଉଳରେ ଗଢା। ପଧାନ ଘର ବୋଇଲେ ଆମ ଗାଁ ରେ କାହିକି ଆଖ ପାଖ ପାଞ୍ଚ ଖଣ୍ଡ ଗାଁରେ ଧନୀ ଭାବରେ ତାଙ୍କର ନାଁ ଅଛି। ଦୁଇ ଶହ ଏକର ଚାଷ ଜମି ପୂର୍ବ ପୁରୁଷ ଅମଳରୁ ରହି ଆସିଛି। କସ୍ତୁରୀ ଗୋଟିଏ ବୋଲି ଝିଅ। ଅତି ଗେଲ ବସରରେ ବଢି ଆସୁଛି।
ସିଏ ଆମ ସହ ପାଠ ପଢୁ ଥାଏ.......
ମୁଁ ଆଉ ଅନ୍ୟ ଦୁଇ ଜଣ ସାଙ୍ଗ ରମେଶ, ସୁରେଶ ଆଉ କସ୍ତୁରୀ ନବମ ଶ୍ରେଣୀରେ ସେହି କଲ୍ୟାଣ ପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟ ରେ ପାଠ ପଢୁ ଥିଲୁ......
ଆମ ଚାରି ଜଣ ଭିତରୁ ମୁଁ ଭଲ ପାଠ ପଢୁଥିଲି ତେଣୁ ସମସ୍ତେ ମୋତେ ଭଲ ପାଉଥିଲେ। ସେହି ଭଲ ପାଇବା ଭିତରେ ବି ପ୍ରଛନ୍ନ କାରଣ ଅଛି। ତାହାହେଲା ସେ ତିନି ଜଣଙ୍କୁ ଅଙ୍କ କଷି ଆସୁନ ଥିଲା। ସବୁ ଦିନେ ମୋ ଅଙ୍କ ଖାତାରୁ କପି କରି ଶ୍ରେଣୀରେ ସାର୍ ଙ୍କୁ ଦେଖାଉ ଥିଲେ।ନ ଦେଖାଇ ପାରିଲେ ତ ବେତ ମାଡର ମାନ ଚିତ୍ର ପିଠିରେ ଅଙ୍କନ ହୋଇ ଯାଉଥିଲା।
ତେଣୁ ମୋର ସବୁ କଥାକୁ ସେମାନେ ମାନୁ ଥିଲେ।
ସାଙ୍ଗ ରମେଶ ର ଘର ସାହୁ ମାଷ୍ଟ୍ର ଙ୍କ ବସାକୁ ଲାଗି କରି ରହି ଥାଏ.....
ସକାଳୁ ଶେଜରୁ ଉଠିବା କ୍ଷଣି ସାହୁ ବାବୁଙ୍କର ସହ ତାର ଦେଖା ହୁଏ।
ମୁଁ ଶ୍ରେଣୀରେ ସମୟେ ସମୟେ ଖେଚଡାମି କରି ଥାଏ ଯଥା କାହାର ବେଗ ଲୁଚାଇ ଦେବା,କାହାର ବହି ଉପରେ କଣ ସବୁ ଲେଖି ଦେବା, କାହାର କଲମ ଫିଙ୍ଗି ଦେବା ଇତ୍ୟାଦି। ସେଇଥିପାଇଁ ଅନେକ ବାର ସାର୍ ଙ୍କ ଠାରୁ ମାଡ ବି ଖାଇଛି.....
ମୋର ମନେ ଅଛି ଥରେ ହାଇ ସ୍କୁଲରେ ପଢିବା ବେଳେ ସ୍କୁଲର ବଗିଚାରେ ଫୁଟି ଥିବା ଫୁଲ ଛିଣ୍ଡାଇ ଦେଲି ଯେ ହେଡ୍ ସାର୍ ଦି ହାତିଆ ବେତରେ ଗାଇ ଗୋରୁ ଙ୍କୁ ବାଡେଇ ଲା ଭଳି ମୋତେ ବାଡେଇ ଥିଲେ।
ସାହୁ ମାଷ୍ଟ୍ର ଙ୍କ ନଜର ସବୁବେଳେ କସ୍ତୁରୀ ଉପରେ ଥାଏ।
ଚାହୁଁ ଥାନ୍ତି ସେ କେମିତି କସ୍ତୁରୀ କୁ ହାତେଇ ନିଅନ୍ତେକି.... ?
ତାଙ୍କର ଜୀବନ ଟା ଧନ୍ୟ ହୋଇ ଯାଆନ୍ତା......
ହେଲେ କହିବେ ବା କାହାକୁ....... ??
କହିଲେ କଣ କସ୍ତୁରୀ ର ବାପା ରାଜି ହେବେ.....??
ତାଙ୍କର ଯୋଉ ଚେହେରା କସ୍ତୁରୀ କଣ ରାଜି ହେବ....??
କାମାନଳରେ ଜଳି ଜଳି ଜୀବନ ଟା ତାଙ୍କର ବରବାଦ ହୋଇ ଗଲା.....
ସେଥିପାଇଁ ଭଗବାନ ଙ୍କୁ ବହୁତ ନିନ୍ଦା କରନ୍ତି ମାଷ୍ଟ୍ରେ......
ଭଗବାନ ଅଭିମାନ କରି କହନ୍ତି ତାଙ୍କୁ ବୃଥା ଜନ୍ମ ଦେଇ ଦହଗଞ୍ଜ କରି ମାରୁ ଛନ୍ତି......
ବାପା ମାଁ ଙ୍କୁ ନିନ୍ଦା କରିବାକୁ ପଛାନ୍ତି ନାହିଁ......
ଗୋଟିଏ କୁତ୍ସିତ କଦାକାର ପୁଅ ତ ଜନ୍ମ କଲେ.....
ସେଥିରେ ପୁଣି ନାଁ ଦେଲେ କଣ ନା ଶ୍ୟାମ ସୁନ୍ଦର........
ଶ୍ୟାମସୁନ୍ଦର ଶ୍ରୀକୃଷ୍ଣ ଙ୍କ ଷୋହଳ କଳା ଭିତରୁ ଖାଲି ଗୋଟିଏ କଳା ଅର୍ଥାତ୍ ଦେହର କଳା ରଙ୍ଗ ହିଁ ସେ ଲାଭ କରିଛନ୍ତି......
ଆଉ ତାଙ୍କର କୌଣସି କଳା ଲାଭ କରି ନାହାନ୍ତି......
ପ୍ରେମ ମୟୀ ରାଧା ସମେତ ଷୋଳ ସହସ୍ର ଗୋପବାଳି ତ ଶ୍ୟାମ ସୁନ୍ଦର ଙ୍କ ପ୍ରେମରେ ପଡିଥିଲେ......
ହେଲେ କେହି ଜଣେ ହେଲେ ବି ଶ୍ୟାମ ସୁନ୍ଦର ମାଷ୍ଟ୍ର ଙ୍କ ପ୍ରେମରେ କଣ ପଡୁଛନ୍ତ.....??
ମାଷ୍ଟ୍ରେ ଦେଖୁଛନ୍ତି ତାଙ୍କର ଆଖି ଆଗରେ ଝିଅ ଗୁଡାକ ରଙ୍ଗୀନ ପ୍ରଜାପତି ଭଳି ଘିରି ଘିରି ହୋଇ ଘୁରି ବୁଲୁଛନ୍ତି.........
ଆଖିପାଣି ଆଖିରେ ମାରି ସିଏ ଜଳକା ହୋଇ ଚାହିଁ ଥାଆନ୍ତି ........
ଆଉ ମାଷ୍ଟ୍ରେ କସ୍ତୁରୀ ପଛରେ ଲୁଙ୍ଗୁରୁ ପୁଙ୍ଗୁରୁ ହେବା ପ୍ରାୟ ସମସ୍ତେ ଲକ୍ଷ କରୁ ଥାନ୍ତି.......
ସେଇଠି ମୁଁ ଗୋଟିଏ ଚଗଳାମି ଖେଳ ଆରମ୍ଭ କରି ଦେଲି.....
ମୋର ସାଙ୍ଗ ରମେଶ କୁ କହିଲି କସ୍ତୁରୀ ନାମରେ ଗୋଟିଏ ପ୍ରେମ ପତ୍ର ଲେଖି ସାହୁ ମାଷ୍ଟ୍ର ଙ୍କ ନିକଟକୁ ଡାକ ଯୋଗେ ପଠାଇବା ପାଇଁ.......
ଆଉ ରମେଶର ମୋ କଥା ଅମାନ୍ୟ କରିବାକୁ କଣ ଚାରା ଅଛି..... ??
ମନା କଲେ ଅଙ୍କ ଖାତା ଦେବା ବନ୍ଦ କରି ଦେବି.....
ସିଏ ରାଜି ହୋଇ ଗଲା........
ପ୍ରେମ ଚିଠି ଲେଖା ଆରମ୍ଭ ହେଲା.......
ମୁ ଡାକିଲି ସିଏ ଲେଖିଲା......
ସାହୁ ସାର୍!
ମୋର ନମସ୍କାର ନେବେ। ମୁଁ କସ୍ତୁରୀ ଆପଣଙ୍କ ପାଖକୁ ମୋର ଏହି ପ୍ରଥମ ପ୍ରେମ ପତ୍ରଟି ଲେଖୁଛି ଆଉ ମୋର ବିଶ୍ବାସ ଆପଣ ପ୍ରତ୍ୟାଖ୍ୟାନ ନ କରି ସାଦରେ ନିଶ୍ଚୟ ଗ୍ରହଣ କରିବେ।ଅନେକ ଦିନରୁ ମୁଁ ଭାବୁଛି ଆପଣଙ୍କ ନିଜର ହୋଇ ଯିବା ପାଇଁ। ହେଲେ ଆମ ପରିବାର କଟକଣା ମୋତେ ପ୍ରତିବନ୍ଧକ ସୃଷ୍ଟି କରୁଛି। ସୌନ୍ଦର୍ଯ୍ୟ ତ ଦ୍ରଷ୍ଟା ର ନେତ୍ରରେ ଥାଏ। ମୋ ଆଖିରେ ଆପଣ କନ୍ଦର୍ପ ପରି ସୁନ୍ଦର। ଆପଣଙ୍କ କଥା ଭାବି ଭାବି ଆଖିକୁ ନିଦ ନାହିଁ ଆଉ ପେଟକୁ ବି ଭୋକ ନାହିଁ। ଦିନ ରାତି ଆପଣଙ୍କୁ ଭାଳି ହେଉଛି।ଶୟନେ ସ୍ବପନେ ଜାଗରଣେ ମୋର ସମ୍ମୁଖରେ ଭାସି ଯାଉଛି ଆପଣଙ୍କ ସୁନ୍ଦର ମୁଖମଣ୍ଡଳ।ଜ୍ବଳନ୍ତ ପାବକ ମଧ୍ୟରେ ପତିତ ଚର୍ମଖଣ୍ଡ ପରି ମୋର ଶର୍ବାଙ୍ଗ ଶରୀର ଆପଣଙ୍କ ବିରହାନଳରେ ଦଗ୍ଧିଭୁତ ହେଉଛି। ମୋ ଉପରେ ପ୍ରେମାଳିଙ୍ଗନ ର ବାରି ଶିଞ୍ଚନ କରି ତାହା କଣ ପ୍ରଶମିତ କରିବେ ନାହିଁ?
ମୋତେ କଣ ନିରାଶ କରିବେ। ଆଉ ମୋତେ ପ୍ରତ୍ୟୁତ୍ତରେ ଚିଠି ଦେବାକୁ ଚେଷ୍ଟା କରିବେ ନାହିଁ। କଲେ ଧରା ପଡିଯିବା। ମୁଁ ଆଗରୁ ଜାଣେ ଆପଣଙ୍କ ଦେହର ଦୁର୍ଗନ୍ଧ ପରାହତ କରିବା ପାଇଁ ସର୍ବଦା ପରଫ୍ୟୁମ ବ୍ୟବହାର କରିଥାନ୍ତି.......
ତେଣୁ ମୋର ଏହି ଅତର ଗୋଳା ଚିଠି ଆପଣଙ୍କୁ ପ୍ରେମ ନିବେଦନ କରି ପଠାଉଛି। ମୋତେ ଲୁକା ଛପା ଭେଟି ବାକୁ ଚେଷ୍ଟା କରିବେ। ଆପଣ ଏହି ବିରହିଣୀ ର ଆକୁଳ ନିବେଦନ ଆପଣ ନିଶ୍ଚୟ ଗ୍ରହଣ କରିବେ ବୋଲି ମୋର ଆଶା ଆଉ ବିଶ୍ବାସ । ଆପଣଙ୍କ ନିଭୃତ ଦର୍ଶନ ଅପେକ୍ଷା ରେ ରହିଲି। ଇତି।
ଆପଣଙ୍କର ପ୍ରେମ ପାଗଳିନୀ
କସ୍ତୁରୀ
ଲେଖି ସାରି ଚିଠି ଆଉ ଲଫାପା ଉପରେ ଅତର ଗୋଳାଇ ଡାକ ବାକ୍ସରେ ନେଇ ଗଳାଇ ଦେଲେ। ଦୁଇ ତିନି ଦିନ ପରେ ଡାକ ବାଲା ନେଇ ଅତର ଗୋଳା ଚିଠି ନେଇ ସାହୁବାବୁ ଙ୍କୁ ହସ୍ତାନ୍ତର କଲା। ଏମିତି ଅତର ବୋଳା ଚିଠି କେବେ କାହାକୁ ଡାକ ବାଲା ଦେଇ ନ ଥିଲା।ସିଏ ବି ମହା ଖୁସ୍।ଚିଠିଟି ର ମହକ ରେ ତାର ହାତ ପାପୁଲି ମହକି ଯାଉଥାଏ।ନେଇ ସାହୁ ବାବୁଙ୍କୁ ଦେଇ କହିଲା ସାର୍ କିଛି ଗୋଟିଏ ଶୁଭ ଆଉ ଆନନ୍ଦର ଚିଠି ହୋଇ ଥିବ। ମୋର ବକ୍ସିସ୍ ଦିଅନ୍ତୁ। ସାହୁ ବାବୁ ମହା ଆନନ୍ଦରେ ଦଶ ଟଙ୍କା ଡାକ ବାଲା ହାତକୁ ବଢେଇ ଦେଲେ। ବସାରେ ନେଇ ତର ବର ହୋଇ ସଙ୍ଗେ ସଙ୍ଗେ ଚିଠି ଟି ଖୋଲି ପଢି ପକାଇଲେ। ଚିଠି ଟି ପଢି ସାହୁ ବାବୁଙ୍କର ଆନନ୍ଦ କହିଲେ ନ ସରେ। ହୃତ୍ ସ୍ପନ୍ଦନ ବଢିଗଲା। ଭାବି ପାରିଲେ ନାହିଁ ସ୍ବପ୍ନ ନା ବାସ୍ତବ। ଆକାଶ କଇଁଆ ଚିଲିକା ମାଛ ଆସି ନିଜେ ଧରା ଦେଇଛି। ଆକାଶର ଚାନ୍ଦ ସତେ ଯେପରି ହାତରେ ଖସି ପଡିଛି।ତାଙ୍କର ସ୍ବପ୍ନ ସୁନ୍ଦରୀ ନିଜେ ଆସି ତାଙ୍କ ସମୀପରେ ଉପଗତ.......
ଠାକୁରଙ୍କୁ ଦଣ୍ଡ ପ୍ରଣାମ କରି ପକାଇଲେ ସାହୁ ବାବୁ.......
ଅଜସ୍ର ଧନ୍ୟବାଦ ରେ ପୋତି ପକାଇଲେ ଠାକୁର ଙ୍କୁ .......
ଅନେକ ରଙ୍ଗୀନ ଭାବନା ମାନସ ପଟ୍ଟରେ ଚଳଚିତ୍ର ପରି ଉଦ୍ଭାସିତ ହୋଇ ଉଠିଲା........
ସୁନ୍ଦରୀ କସ୍ତୁରୀ ସହ ସଂଖା ସିନ୍ଦୂର ପିନ୍ଧାଇ ବିବାହ ବନ୍ଧନରେ ଛନ୍ଦି ହେବ......
ଚଉଠି ରାତିର ରଜନୀଗନ୍ଧା ଶେଯରେ ଅବଗୁଣ୍ଠନା ବତୀ ଅଭିସାରିକା ସାଜିବ ରୂପସୀ କସ୍ତୁରୀ.......
ଆଉ ଶ୍ୟାମ ସୁନ୍ଦର ଛପି ଛପି ତା ପାଖକୁ ଆସିବେ......
ଆଉ କସ୍ତୁରୀ ର ମଉନ ବ୍ରତ ଭାଙ୍ଗି ଦୀପକୁ ସାଖି ରଖି ସାତ ଜନ୍ମ ସାଥି ଭାବରେ ଗ୍ରହଣ କରିବେ.........
ପରସ୍ପର ବାହୁ ବନ୍ଧନରେ ଛନ୍ଦି ହୋଇ ବିନିଦ୍ର ମଧୁ ଯାମିନୀ କଟାଇବେ.....
ଆନନ୍ଦାଶ୍ରୁ ପୂର୍ଣ୍ଣ ନେତ୍ରରେ ନିଜକୁ ନିଜେ କହିବାକୁ ଲାଗିଲେ ଧନ୍ୟବାଦ ପ୍ରଭୁ ଶ୍ୟାମ ସୁନ୍ଦର ମୋର ଅଭିମାନ ଭରା ମନ୍ତବ୍ୟକୁ ସହିନ ପାରି ମୋତେ ତୁମର ସମ୍ମୋହନ ନାରୀ ଆକର୍ଷଣ କଳା କୁ ପ୍ରଦାନ କରି ଦେଲ ପ୍ରଭୋ.......
ତୁମର ଅପାର କରୁଣା.........
ଏମିତି ଅନେକ ଅତର ବୋଳା ଚିଠି ପଠାଇ ଚାଲିଲୁ ସାହୁ ବାବୁଙ୍କୁ........
ଦିନେ ଗୋଟିଏ ଚିଠିରେ ଲେଖିଥିଲୁ ମୁହଁ ସଞ୍ଜ ବେଳେ ଗାଁ ମୁଣ୍ଡ ଆମ୍ବ ତୋଟା ରେ କସ୍ତୁରୀ ସହିତ ସାକ୍ଷାତ କରିବାକୁ......
ସାହୁ ବାବୁ ଛାନିଆଁ ହୋଇ ଆମ୍ବ ତୋଟା କୁ ଦଉଡିଲେ ଆଉ ନିରାଶ ହୋଇ ଫେରିଲେ.....
ଏମିତି ବିଭିନ୍ନ ସ୍ଥାନ ସାହୁ ବାବୁ ଦଉଡୁ ଥାନ୍ତି ଆଉ ନିରାଶ ହୋଇ ଫେରୁ ଥାନ୍ତି........
କସ୍ତୁରୀ ସାହୁ ବାବୁ ଙ୍କୁ କେବେ ଅନାଉ ନ ଥାଏ......
ହେଲେ ସାହୁ ବାବୁ ତାହା ଲକ୍ଷ କରି ପାରନ୍ତି ନି........
ଲାଜ ଆଉ ଭୟରେ କସ୍ତୁରୀ ତାଙ୍କୁ ଅନାଉ ନି ବୋଲି ସାହୁ ବାବୁ ଭାବି ନିଅନ୍ତି.......
ସାହୁ ବାବୁଙ୍କର ବ୍ୟସ୍ତ ବିଚଳିତ ଦେଖି ଆମର ଆନନ୍ଦ କହିଲେ ନ ସରେ.......
କସ୍ତୁରୀ ର ଏ ସବୁ କିଛି ଜଣା ନାହିଁ.........
ଆମର କାଣ୍ଡ କାରନାମା ସାହୁ ବାବୁ ଜାଣିବେ କିମିତି.....??
ଦିନେ ଏକ ଭୟଙ୍କର ଖେଳ ଖେଳିଲୁ.......
ରମେଶ ମୁଣ୍ଡରେ ଏତେ ବୁଦ୍ଧି କାହିଁ .......??
ସବୁ ଚିଠି ତ ମୁ ଡାକେ ଆଉ ରମେଶ ଲେଖେ......
ମୋର ହାତ ଲେଖା ପ୍ରମାଣ କାହଁ ରଖିବି.....??
ଧରା ପଡ଼ିଲେ ରମେଶ ଧରା ପଡିବ.......
ଶେଷ ଅତର ଗୋଳା ଚିଠିରେ ସାହୁବାବୁଙ୍କୁ ଲେଖିଲୁ ଆପଣ ଭୟ କରିବାର କିଛି କାରଣ ନାହିଁ.......
ମୁଁ ତ ତୁମର ଜୀବନସଙ୍ଗିନୀ ହେବାକୁ ସ୍ଥିର କରିଛି.......
ତୁମର କେହି କିଛି କରି ପାରିବେ ନାହିଁ.......
ମିଆଁ ବିବି ରାଜି ତୋ କ୍ୟା କରେଗା କାଜି.....
ତୁମେ କାଲି ସଞ୍ଜବେଳେ ମୋତେ ଯୋଉଠି ଦେଖିବ ମୋର ହାତ ଧରି ପକାଇବ......
ଘରେ ଜଣାଇ ବାକୁ ମୋତେ ଭୟ ଲାଗୁଛି......
ତୁମେ ସର୍ବସାଧାରଣ ରେ ମୋର ପାଣି ଗ୍ରହଣ କଲେ ତୁମ ସହିତ ବାହା ନ କରି ଯିବେ କୁଆଡେ......??
ଶ୍ୟାମସୁନ୍ଦର ତ କସ୍ତୁରୀ ପ୍ରେମରେ ପାଗଳ......
ମାଗଣାରେ ରାଧାନାଥ ରାୟ ଲେଖି ଛନ୍ତି.....
' ଅଙ୍ଗ ଦହଇ ଯାର ଅନଙ୍ଗ ବାଣ
ଚେତନ ଅଚେତନ ତାର ସମାନ '
କସ୍ତୁରୀ ପ୍ରେମରେ ସାହୁ ବାବୁ ଅନ୍ଧ ହୋଇ ସ୍ପଷ୍ଟ ଦିବାଲୋକରେ କସ୍ତୁରୀ ହାତ ଧରି ପକାଇଲେ........
ପଧାନ ପରିବାର ଉତ୍ୟକ୍ତ ହୋଇ ବାଡି ଠେଙ୍ଗା ଧରି ଆସି ଶ୍ୟାମ ସୁନ୍ଦର ଙ୍କୁ ଉତ୍ତମ ମଧ୍ୟମ ସେକି ଦେଇ ଗଲେ ଆଉ ଥାନା ରେ ନେଇ ଜିମା ଦେଲେ.....
ଥାନା ହାଜତରୁ ନେଇ ଜେଲ ରେ ଭରି ଦେଲେ.....
ଚାକିରି ଟା ତାଙ୍କର ସସପେଣ୍ଡ ହୋଇ ଉଡିଗଲା........
ଆମେ ରମେଶ ଆଉ ମୁଁ ଭଗବାନଙ୍କୁ ଡାକୁ ଥିଲୁ ପ୍ରଭୋ ଦୟାକର ଯେପରି ଆମେ ଧରା ନ ପଡୁ.......
(ଏହି ଲେଖା ଟି ମୋର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଉପସ୍ଥାପନାରେ କିଛି ଭୁଲ ଥିଲେ ଦୟାଗୁଣ ରେ ମାର୍ଜନା କରିବେ)
***************ସମାପ୍ତ**************
ଶ୍ରୀ କମ୍ଭୁଧର ସୁନା,
ଅଵସର ପ୍ରାପ୍ତ ପ୍ରବନ୍ଧକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍,
ଗ୍ରା.ଵାଘମାରୀ, ବୀରମହାରାଜପୁର,
ଜି.ସୁବର୍ଣ୍ଣପୁର।
ମୋ ୭୦୭୭୭୩୪୨୭୮.