
SS Publication
June 10, 2025 at 08:37 PM
ଆଇଡିଆ ବକ୍ସ ଥିମ୍ _ ଚା କପ୍ ଆଉ ଚିଠି
ଶୀର୍ଷକ_ ନୀଳ ଲଫାପା ର ନୀଳ ନୟନା
ଅରଣ୍ୟ...
ଅରଣ୍ୟ...
ଶୁଣ ଅରଣ୍ୟ...!!
ଏମିତିରେ ଆମେ ଆଜି ସନ୍ଧ୍ୟାରେ ଦେଖା ସାକ୍ଷାତ ହେଇ ପାରିଥାଆନ୍ତେ ..!
_ ଆମେ ନୁହେଁ ନମିତା , ତୁମେ ..!
_ କିନ୍ତୁ କାହିଁକି ଅରଣ୍ୟ ?
_ ଏଇ ଶୋଭାନୀୟ ସନ୍ଧ୍ୟାର ମନୋରମ ଲଗ୍ନରେ ମୁଁ ନିଜପାଇଁ ବଞ୍ଚେ ଆଉ ମୋର କଠିନ ହୃଦୟଟା ଛଟପଟ ହୁଏ ଏହି ଦୁନିଆଁ ପାଇଁ ।
_ ଉଫ...! ବହୁତ ଶୀଘ୍ର ତୁମେ ମୋତେ ଏଇ ଦୁନିଆରେ ସାମିଲ କରିଦେଲ ଅରଣ୍ୟ । ଆଉ ଏଇ ସୁନେଲି ସନ୍ଧ୍ୟାର ମନୋରମ ଲଗ୍ନରେ ତୁମେ ଅସ୍ତଗାମି ସୂର୍ଯ୍ୟର ଅନ୍ତିମ କ୍ଷଣ କୁ ଚନ୍ଦ୍ରମାର ଶୀତଳ ମନୋରମ ଜ୍ୟୋତ୍ସ୍ନା ରେ ପରିବର୍ତ୍ତନ କରିଦେଲ । ଏତେ ଶୀଘ୍ରତା ତ ସମୟର ସେହି ସାରଣୀ ରେ ନାହିଁ ଅରଣ୍ୟ । କଣ ତୁମେ ମୋତେ ଏତେ ବିଶ୍ୱାସ କର ..!
କଣ ତୁମେ ମୋତେ ସତରେ ଭୁଲି ପlରିନ?
ଆଛା ବାବା...! ଏବେ ଗୋଟେ କଥା କୁହ , ତୁମେ ଜାଣିଛ ଯେ ମୋତେ ସିଗାରେଟ୍ ଦେଖିଲେ ଛିଡା ମାଡେ ତଥାପି ତୁମେ ସିଗାରେଟ୍ ର ଅନ୍ତିମ କଶ କୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ .?
_ ଦୂରେଇ ରୁହ ନମିତା । କିଏ କହିଲା ତୁମ ଏମିତି ମୋ ପାଖକୁ ଲାଗି ଲାଗି ଛିଡା ହେବାକୁ । ଏଇ ସିଗାରେଟ୍ ମୋର ପ୍ରଥମ ପ୍ରେମିକା । ଆଉ ତୁମେ କୁହ ନମିତା କିଏ କଣ ତାର ପ୍ରଥମ ପ୍ରେମିକା କୁ ଭୁଲି ପାରେ ?
_ ଖୁଁ...ଉଁ ! ଖୁଁ...ଉଁ ..
_ କହିଥିଲି ନାଁ ତୁମକୁ ଯେ ଦୂରେଇ ରୁହ ବୋଲି କିନ୍ତୁ ତୁମେ କଣ ମୋ କଥା କେବେ ଶୁଣିଛ ନାଁ ଶୁଣିବ.? ବଡ଼ ବଦମାସ ତୁମେ ନମିତା ।
_ ହୁଁ ... ଜାଣିଛି । ତୁମେ ଚାହୁଁ ନାହିଁ ଯେ ମୋର କିଛି ହେଇଯାଉ ଆଉ ପୁଣି ବାବୁଙ୍କ ରୁକ୍ଷତା ରେ ବି' ପ୍ରେମ ଲୁଚି ରହିଛି ..!! ( ହାତକୁ ଟାଣି ଧରି) ଆସ ଅରଣ୍ୟ ଆଜି ତୁମେ, ତୁମର ଏଇ ପ୍ରେୟସୀ ନୀଳ ନୟନା ନମିତାଙ୍କୁ ଏକାଗ୍ର ଚିତ୍ତରେ ଆବୋରି ନିଅ ...!
ଆସ ପ୍ରିୟତମ ...!
ଆସ ମୋ ପ୍ରାଣ ବନ୍ଧୁ ..!
ଆସ ରସିକ ଶିରୋମଣି ..!
ଏ କଣ ଅରଣ୍ୟ , ତୁମେ ମୋର ହାତକୁ ଛିଞ୍ଚାଡି ଦେଲ । ଯାହାର ଟିକିଏ ସ୍ପର୍ଶ ପାଇବାକୁ ତୁମେ ବ୍ୟାକୁଳ ହେଉଥିଲ ଆଜି ତୁମ ଦେହରେ ତା'ରି ସ୍ପର୍ଶରେ ତୁମେ ବ୍ୟାକୁଳ ହେଇଗଲ ।
_ ତୁମ ହୃଦୟ ଜାଣିଛି ନମିତା , ମୁଁ ତୁମର ପ୍ରେମର ତୁଷlର୍ତ୍ତ , ବ୍ୟାକୁଳ ଏକ ଚାତକ ପକ୍ଷୀ ଥିଲି ନାଁ କି ତୁମ ଦେହର ବାସ୍ନା ରେ ଜର୍ଜରିତ ଏକ କାମାତୁର ମଣିଷ ...!
_ ଏଇ ଦୁନିଆଁ ଜଣେନି ଅରଣ୍ୟ ତୁମ ପ୍ରେମର ପବିତ୍ରତା କେତେ ? ଏଇ ଦୁନିଆ ଯାହା ଦେଖେ ସେ ତାର ଗୁଣ ଗରୀମା ବଖାଣି ଥାଏ।
_ ଦୁନିଆର ଚିନ୍ତା ମୋର ନାହିଁ ନମିତା .! ବୃଥା ଚିନ୍ତା କରିବାକୁ ମୋ ପାଖରେ ସମୟର ଅଭାବ ।
_ ତୁମେ ଭୁଲ କହୁଚ୍ଛ ଅରଣ୍ୟ ! ତୁମ ସ୍ମରଣ ଶକ୍ତି ବୋଧେ ହ୍ରାସ ପାଇଛି କାରଣ ତୁମେ ଏଇ ଦୁନିଆ ମଧ୍ୟରେ ଯାହା ସହିତ ସବୁ ସନ୍ଧ୍ୟାରେ ସମୟ ବିତାଇବାକୁ ଇଚ୍ଛା କରୁଥିଲ ମୁଁ ସେହି ନମିତା ଏବଂ ମୁଁ ଏଇ ସମାଜରେ ଅଛି । ମୁଁ ସାମାଜିକ ପ୍ରାଣୀ । ଆଉ ତୁମର ମଧ୍ୟ ମାନପଡ଼ିବା ଦରକାର ଯେ ସମୟ ଏବେ ...!
_ ଅବଶ୍ୟ ନମିତା । ଏତେ ସମୟ ମୁଁ ଯାହା ଚିନ୍ତାକରୁଥିଲି ବୋଧ ହୁଏ ମୋର ଚିନ୍ତନ ବଦଳେଇବାକୁ ପଡ଼ିବ ।
_ ହୁଁ ...! ଏଇଟା ହିଁ ସତ୍ୟ । ମୁଁ ବି କିଛି କମ ନୁହେଁ ଅରଣ୍ୟ । ତୁମର ପତ୍ନୀ ମୁଁ , ପ୍ରେମିକା ନୁହେଁ । ହଁ ପ୍ରେମିକା ଥିଲି କିନ୍ତୁ କେବେ କେଜାଣି ତୁମ ପ୍ରେମରେ ମୁଁ ତୁମର ପତ୍ନୀ ହେଇ ସାରିଛି ଏବଂ ଏହା ମଧ୍ୟ ଜାଣିଛି " ନୀଳ ଲଫାପା ର ନୀଳ ନୟନା " ନମିତା ଆଜି ତାର ପ୍ରିୟ ପୁରୁଷ ଅରଣ୍ୟ ଙ୍କ ପତ୍ନୀ । ହଁ ଏଇ ଯୁଦ୍ଧ ମୋର ଏକା ନଥିଲା କିନ୍ତୁ ତୁମ ସହିତ ଏବଂ ତୁମ ସାଥିରେ ଯୁଦ୍ଧ କରି ଜିତିବାର ମଜ୍ଜା କିଛି ଅଲଗା ଅବଶ୍ୟ ...!!
_ ଆଛା ମୁଁ ମଧ୍ୟ ଦେଖିବାକୁ ଚାହିଁବି ଯେ ଏଇ ଯୁଦ୍ଧରେ କିଏ ହାରୁଛି ଏବଂ କିଏ ଜିତୁଛି..!
ପ୍ରେମ ନାଁ ପ୍ରତାରଣା..!
ବିଶ୍ୱାସ ନାଁ ଅଭିମାନ ..!
ଅରଣ୍ୟ ଏବଂ ନମିତା ଚାହିଁ ରହିଥିଲେ ସେହି ଦ୍ଵିତୀୟା ଜହ୍ନକୁ । ଆକାଶ ଟା ଧୀରେ ଧୀରେ ମେଘାଚ୍ଛନ୍ନ ହେଉଛି। ଶୀତଳ ସମୀରଣ ରେ ଅରଣ୍ୟ ବାବୁ , " ନମିତା ଙ୍କ କୋଳରେ ମୁଣ୍ଡ ରଖି ଶୋଇ ଯାଇଛନ୍ତି । ରାତ୍ରିର ବିଜନ ବେଳର ନୀର୍ଜ୍ଜନତା ରେ ମୁଣ୍ଡ ଉପରେ ଟିଁ- ଟିଆଁ ଚଢ଼େଇ ଟା ଉଡ଼ି ଆସି ବସିଗଲା ଛାତ ଉପରେ ଥିବା ପାଞ୍ଚହଜାର ଲିଟର ପାଣି ଟାଙ୍କି ଉପରେ । ଆମ୍ବ ଗଛର ଛାଇରେ କୋଇଲି ଟା କୁହୁ ତାନ ଦେଇ ତାର ସାଥୀ କୁ ଡାକି କହୁଛି ଏଇ ଶୁଣ ...!
ଦେଖ ନାଁ ...! କେତେ ସୁନ୍ଦର ଲାଗୁଚି ଏଇ ଦୁଇ ପ୍ରେମୀ ଯୁଗଳ । ଧନ୍ୟ ଏହି ଗୃହର ଛlତ ଯାହାର କୋଳରେ ଆଜି ଆଶ୍ରା ନେଇଛନ୍ତି ଦୁନିଆଁର ବିରଳ ପ୍ରେମୀ ।
ଅରଣ୍ୟ ନିଦରେ ଥିବା ବେଳେ ନମିତା ତାଙ୍କ ମୁଣ୍ଡକୁ ଧିରେ ଧିରେ ସାଉଁଳି କହୁଛନ୍ତି ତୁମେ ଏମିତି ମୋର ଶଙ୍ଖା ସିନ୍ଦୂର ରେ ଝଟକି ଥାଅ ଅରଣ୍ୟ । ମୁଁ କେବଳ ତୁମର ଆଉ ତୁମେ ମୋର । ଆମ ଦୁଇଜଣ ଙ୍କ ମଧ୍ୟରେ ତୃତୀୟ ର ସ୍ଥାନ ନାହିଁ ..!
ହଠାତ୍ ଅରଣ୍ୟ ନିଦରୁ ବାଉଳି ଚlଉଳି ହେଇ ଉଠିଲେ ଏବଂ ....!
ମାମା...!
ଏ ମାମା...!
ମୋର ଭୁଲ ହେଇ ଯାଇଛି ମାମା ।
ମୋତେ ତୁମେ କ୍ଷମା କର ମାମା। ମୁଁ ତୁମର ସେହି କୁଳାଙ୍ଗାର ପୁଅ । ଯାହାର ଟିକିଏ ଭଲପାଇବା , ସ୍ନେହ , ଆଦର ର ତୁମେ ଅପେକ୍ଷା କରି କରି ଏଇ ଦୁନିଆ ଛାଡ଼ି ଚାଲିଗଲ । ମୁଁ ମାନୁଛି, " ମୁଁ ଅପରାଧୀ କିନ୍ତୁ ମୋର ଛୋଟ ଭୁଲ ପାଇଁ କଣ ତୁମେ ଏତେବଡ଼ ଦଣ୍ଡ ଦେବ । ଆଜି ମନ ପଡୁଛି ମାମା ତୁମର ସେହି ଅମୃତ ବାଣୀ ।
ଆଜି ମନ ପଡୁଛି ତୁମର ସେହି ସ୍ନେହ ବୋଲା କଥା । ଆଜି ମଧ୍ୟ ତୁମ ଶେଷ ଚିଠି କୁ ମୁଁ ସାଇତି ରଖିଛି । ଆମ ଭାଇ ଭଉଣୀଙ୍କ ପାଇଁ ତୁମେ ଦୁଇଜଣ କେତେ କଷ୍ଟ ପାଇଛ ? କେତେ ଦହଗଞ୍ଜ ହେଉଛ ? କିନ୍ତୁ ଆମେ ତିନି ଜଣ କୁଳାଙ୍ଗାର ଆମର ଅମୂଲ୍ୟ ସମ୍ପଦା କୁ ହରାଇବା ପରେ ତାର ମୂଲ୍ୟବୋଧ ବୁଝିଛୁ।କିନ୍ତୁ ...
କିନ୍ତୁ କଣ ଅରଣ୍ୟ... ?
କଣ ହେଇଛି ତୁମର ? କାହିଁକି ତୁମେ ଏମିତି ଚିତ୍କାର କରୁଥିଲ ନିଦ୍ରାରେ ..!
ଅନନ୍ୟା..!
ତୁମେ ଏଠାରେ । କଣ ତୁମକୁ ନିଦ ଆସୁନି ଆଜି । ହଠାତ କିପରି ତୁମେ ମୋ ପାଖରେ ଆଜି .?
_ ହଁ ଅରଣ୍ୟ ...! ସବୁ ମୋର ଭୁଲ ।
ମୋ ପାଇଁ ତୁମେ ତୁମ ପ୍ରେମ କୁ ହରାଇଛ ।
ମୋ ପାଇଁ ତୁମେ ତୁମ ବାବା ଓ ମାମାଙ୍କୁ ଏବେ ମଧ୍ୟ ଝୁରି ହେଉଛ ? କିନ୍ତୁ କାହିଁକି ଅରଣ୍ୟ ଏହି ସିଗାରେଟ ଗୁଡ଼ା ଏତେ ପିଉଛ ?
କଣ ପାଇଁ ?
ଏବେ ତୁମେ ମୋତେ କୁହ , କଣ ତୁମେ ସାଇତି ରଖିଛ ..?
_ ସେ କିଛି ନୁହେଁ ଅନନ୍ୟା । ତିନୋଟି ଚିଠି ...!
_ ମାନେ ..!
_ ମୋ ଜୀବନର ଶେଷ ସମ୍ପତି । ଅମୂଲ୍ୟ ରତ୍ନ ।
_ କଣ ତୁମେ ମୋତେ କହିବ ନାହିଁ ?
_ ନିଶ୍ଚିନ୍ତ , କହିବି କିନ୍ତୁ ଶୁଣିବାକୁ ତୁମର ଧୈର୍ଯ୍ୟ ଅଛି ?
_ ହଁ ...! ନିଶ୍ଚିନ୍ତ ..!
ତେବେ ଅପେକ୍ଷା କର । ମୁଁ ତୁମକୁ ଦେଉଛି ସେ ଚିଠି ..!
ତା: ୧୦/୦୬/୨୦୨୫
ସା _ଉଦୟଗିରି ।।
ସ୍ନେହର ଅରୁ ,
ଧନ ରେ । ମୋର ଅନ୍ତିମ ସ୍ନେହ ନେବୁ । "ମୁଁ" ତୋର ମାଆ । "ତୁ" ମୋର କଲିଜା ର ଟୁକୁଡ଼ା । "ମା' ମୋ ପାଖରେ ଅଛି' । ଏକଥାଟା କହିଲା ବେଳେ ଏଇ ଜଗତର ସମସ୍ତ ଛୁଆମାନେ ଗୋଟେ ଗଡ଼ ଜିତିଯାଇଥିବାର ଆତ୍ମତୃପ୍ତିରେ ବିଭୋର ହେଉଥିଲେ । ମା'ର ପଣତକାନି ପୃଥିବୀ ଠାରୁ ମଧ୍ୟ ବିଶାଳ । ମା'ର ପଣତକାନି ତା'ପାଇଁ ନିରାପଦ ର ଆଶ୍ରୟସ୍ଥଳୀ । ଏ ସୂକ୍ଷ୍ମତତ୍ତ୍ୱକୁ ବିଚାରିଲେ "ମା' ମୋ ପାଖରେ ଅଛି' ନକହି ପୁଅ ଯଦି କହନ୍ତା "ମୁଁ ମା' ପାଖରେ ଅଛି', ଏକଥାଟା ଓଜନିଆ ଓଜନିଆ ଲାଗନ୍ତା କିନ୍ତୁ ଅରୁ ତୁ ଏକଥା ବୁଝିଲୁ ନାହିଁ କି ତୋ ଭାଇ ଅମୂଲ୍ୟ କି ଅତୁଲ ମଧ୍ୟ ବୁଝିଲେ ।
ଅରୁ ରେ , "ସେତେବେଳେ ମୋର ମନ ଦୁଃଖ ହେଇନଥିଲା ଯେତେବେଳେ ତୁମେ ତିନିଜଣ ଆମକୁ ଭାଗବାଣ୍ଟି ଚାରି ଚାରି ମାସ ରଖିବାକୁ ନିଷ୍ପତି ନେଲ। ଦୁଃଖ ଏବେ ବେଶୀ ଲାଗିଲା ଧନ । କାରଣ ତୁମେ ଏବେ ବଡ଼ ହେଲଣି। ତୁମ ର ଉଡିବାକୁ ଡେଣା ହେଲାଣି ଆଉ ମାଆ ର ପଣତ କାନି ଛୋଟ ହେଲା । ଆମ ଜୀବନର ସବୁ ଦୁଃଖ କଷ୍ଟକୁ ଭୁଲି ତୁମକୁ ଆମର ସର୍ବସ୍ବ ମାନି ନେଇଥିଲୁ କିନ୍ତୁ ଆଜି ...ତୁ କଣ କହିଲୁ ଅରୁ ..! ମାଆ ତୁ ମରି ଯାଆ ...! ମୁଁ ତୋତେ ସବୁବେଳେ କୁହେ " ଆରେ ଆନ , ବାଳିହା ମାଛର ନାକ କାନ " । କିନ୍ତୁ ତୁ ମୋର ଶବ୍ଦାର୍ଥ ବୁଝି ପାରିଲୁ ନାହିଁ ।
ମୁଁ ମରିଯିବି ନିଶ୍ଚିନ୍ତ । ସମୟ ସମସ୍ତଙ୍କର ଆସିବ । ଯେମିତି ତୋ ବାବାଙ୍କର ଆସିଥିଲା । ଅରୁ ମୁଁ ବହୁତ ରୋଗୀଣ ହେଇପlରେ କିନ୍ତୁ ମୋର ସ୍ମରଣ ଶକ୍ତି ଅଛି । ଆଜି ସକାଳେ ନମିତା ବାହାରକୁ ଯାଉଥିଲା , ମୁଁ ତାକୁ କହିଥିଲି ତୁମେ ଦୁହେଁ ଘରକୁ ଶୀଘ୍ର ଫେରିବ । ବୋହୂ କହିଲା କଣ ନାଁ ତୁମେ କଣ ପାଇଁ ଆମ ଉପରେ ବୋଝ ହେଇ ରହିଛ ? ତୁମ ପାଇଁ ଆମେ ନିଜର ପ୍ରାଇଭେସି ମେଣ୍ଟେନ କରିପାରୁନୁ । ତୁମ ପାଇଁ ନାଁ ପାର୍ଟି ରେ ଶାନ୍ତିରେ ରହୁଛୁ କି ଘରେ । ତାପରେ ତୋର ଆଜି ଜନ୍ମ ଦିନ ଥିଲା , ସବୁ ବର୍ଷ ଭଳି ମନ୍ଦିର ଯାଇ ପୂଜା କରିବା ପରେ , ମୁଁ ତୋ ପାଇଁ କିଛି ମିଠା ଓ ତୋର ପସନ୍ଦର ଖାଦ୍ୟ ରୋଷେଇ କରିଥିଲି। ସାଙ୍ଗ ହେଇ ଖାଇବାପାଇଁ । ତୋତେ ମଧ୍ୟ କହିଲି ଯେ ତୁ ଆଜି ଶୀଘ୍ର ଘରକୁ ଫେରିବାକୁ କିନ୍ତୁ ତୁ ମୋ କଥା ନବୁଝି କଣ କହିଲୁ ମାମା , ତୋର ପଛରୁ ଡାକିବା ଅଭ୍ୟାସ ଗଲା ନାହିଁ । ଆରେ ଅରୁ , ମାଆ ର ପଛରୁ ଡାକିବା କଣ ଏତେ ଅଶୁଭ ? ଛାଡ଼ ସେ କଥା , ତଥାପି ମୋ ମନରେ କଷ୍ଟ ହେଲା ନାହିଁ କିନ୍ତୁ ତୁ ଯେତେବେଳେ କହିଲୁ ଯେ ମାମା ମୋର ମନ ଅଛି ତୋର ଔଷଧ ଆଣିବା କଥା। ଦରମା ହେଉ ଆଣିବି । ଗୋଟେ ଦୁଇଦିନ ଔଷଧ ନଖାଇଲେ ତୁ ମରି ଯିବୁନି । ମୁଁ ଭାଙ୍ଗି ପଡ଼ିଲି । ଜୀବନରେ ହାରୀ ନଥିବା ବସୁନ୍ଧରା ଆଜି ସଂପୂର୍ଣ୍ଣ ହlରିଗଲା କାହିଁକି ଜାଣିଛୁ ଆଜି ତୋର ବାବା ନାହାଁନ୍ତି । ମୋ ପାଖରେ ମୋ ବାଘ ନାହିଁ । ମୋ ପାଖରେ ମୋ ବାପା କି ଭାଇ ନାହାଁନ୍ତି । ପ୍ରକୃତରେ ଜଣେ ସ୍ତ୍ରୀ ହିଁ ତାର ସ୍ୱାମୀର ସିନ୍ଧୁକ ରେ ଥିବା " ନୀଳ ଲଫାପା ର ନୀଳ ନୟନା " ଆଉ ସେ ସମସ୍ତଙ୍କ ଆଗରେ କେବଳ ତୁଚ୍ଛ ଗୋବର ଗଡିଆ। ହଉ ଛାଡ଼ ସବୁ କଥା ..! ତୋତେ ଭୁଲ ମୁଁ ଦେଉନି କାରଣ ମୁଁ ଆଜି ମୋର ଭୁଲ ପାଇଁ ପଶ୍ଚlତାପ କରୁଛି କାରଣ କଣ ଜାଣିବାକୁ ଇଚ୍ଛା ତୋର ହେବ କି ନାହିଁ ଜାଣିନି ତଥାପି କହୁଛି ଶୁଣ...! ଏହି ଚିଠି ପଢ଼ିବା ଭିତରେ ହୁଏତ ମୁଁ ଆଉ ନଥାଏ । ତୋ ଦ୍ଵାରା ଆଣିଥିବା ଔଷଧ ମଧ୍ୟ କାମରେ ଆସିବ ନାହିଁ । କିନ୍ତୁ ହୁଏତ ମୋର ଆଶୀର୍ବାଦ ରେ ତୋର ସଂସାର ଠିକ୍ ହେଇଯିବ ..!!
ସେଦିନ ଭଳି ନମିତା ଜାଗାରେ ମୁଁ ଥିଲି , ମୁଁ ଯେମିତି ନମିତାକୁ ବାରଣ କରିଥିଲି ଏବଂ ନମିତା ମୋତେ ସକାଳେ କହିଥିଲା ତୁମେ କଣ ପାଇଁ ଆମ ଉପରେ ବୋଝ ହେଇ ରହିଛ ? ତୁମ ପାଇଁ ଆମେ ନିଜର ପ୍ରାଇଭେସି ମେଣ୍ଟେନ କରିପାରୁନୁ । ତୁମ ପାଇଁ ନାଁ ପାର୍ଟି ରେ ଶାନ୍ତିରେ ରହୁଛୁ କି ଘରେ । ମୁଁ ତାପରେ ଶାଶୁ ଶ୍ବଶୁରଙ୍କ କଥାକୁ ପାଦରେ ଆଡେଇ ତୋର ବାପାଙ୍କୁ ଧରି ବାହାରକୁ ଆସିଲି । ତୁମେ ଭାଇ ଭଉଣୀ ଜନ୍ମ ହେଲ । ମୋର ସବୁ ପାର୍ଟି , ସଜବାଜ୍ଜ୍ଜ ଆସ୍ତେ ଆସ୍ତେ ଦୂରେଇଗଲା । ପରିସ୍ଥିତିର ଦାସ ମୁଁ ହେଲି । ଯୌଥ ପରିବାର , ଶାଶୁ , ଶଶୁର , ଦିଅର , ନଣନ୍ଦ ଅଳିଆ ବୋଲି ଯାହାକୁ ଭାବି ଆଡ଼େଇ ଦେଇଥିଲି ସେକଥା ଆଜି ଭାବୁଛି । ଅନେକ ସମୟ ରେ ମୋର ଇଚ୍ଛା ଥିଲା ପରିବାର ସହିତ ଏକାଠି ରହିବାକୁ କିନ୍ତୁ ତାହା ଆଉ ସମ୍ଭବ ହେଲା ନାହିଁ। ଯେମିତି ଅଙ୍ଗୁର ପେନ୍ଥାରେ ରହିଲେ ଭଲ କିନ୍ତୁ ଅଙ୍ଗୁର ଯଦି ଏକା ହୁଏ ତେବେ ତାକୁ କେହି ଦଳି ଚକଟି ଦିଏ ନଚେତ ସେ ପୋଚା ହୁଏ । କିନ୍ତୁ ପେନ୍ଥାରେ ରହିଲେ ତାର ମୂଲ୍ୟ ବଢ଼ିଥାଏ । ହେଲେ କଣ ହେବ ଭାଗ୍ୟର ଲିଖନ କୁ କିଏ ଟାଣି ଧରିବ । କର୍ମା ପୁଣି ଫେରିଥାଏ। ଯେମିତି ରୋଇବ ସେମିତି କାଟିବ । ଆମ ଭୁଲ ଏବେ ଆମେ ବୁଝି ପାରୁଛୁ। କିନ୍ତୁ ଅରୁ , ମୋ ଧନ ସଂପତ୍ତି , ତୁ ଏବଂ ତୋର ଭାଇ ଭଉଣୀ ଆମର ସବୁ କିଛି । ଅରୁ ଆଜି ତୋର ଜନ୍ମ ଦିନରେ ମାଆ ହାତ ରନ୍ଧା ଖାଦ୍ୟ ଖାଇବୁ ନଚେତ ଆଉ ଜୀବନରେ କେବେ ପାଇବୁ ନାହିଁ । ତୋର ଆଉ ଔଷଧ ଆଣିବା ଆବଶ୍ୟକ ନାହିଁ । ମୋର ଶେଷ ସମୟ ହେଲାଣି । ତୋ ବାପା ମୋତେ ଆରପlରିରେ ଥାଇ ଡାକୁଛନ୍ତି !
ବାପା , ମାଆ ଓ ଗୁରୁଜନ କେବେ କାହାର ଅପକାର କରନ୍ତି ନାହିଁ । ଆଶା ଓ ବିଶ୍ୱାସ ତୋତେ ଏହି ବିପତ୍ତି ନପଡୁ ।
ମୁଁ ଏବେ ଆସୁଛି ବାବୁ ।
ଅନ୍ତିମ ବିଦାୟୀ ଦିଏ ।
।।ଇତି ।।
ତୋ ମାମା ।
ଅନନ୍ୟା ଚିଠି ପଢ଼ି ଆଖିରେ ଆଖିଏ ଲୁହ ଏବଂ କୋହ ନେଇ କହିଲେ ତାପରେ କଣ ହେଲା ମାମା'ଙ୍କର ଅରଣ୍ୟ ?
_ କଣ ଆଉ ହେବ । ସେ ସେଦିନ ମୋ ଉପରେ ଅଭିମାନ କରି ସବୁଦିନ ପାଇଁ ଆରପାରିକୁ ଛାଡ଼ି ଚାଲିଗଲା ଅନନ୍ୟା ।
_ଆଉ ଦୁଇଟା ଚିଠି ଦିଅ ଅରଣ୍ୟ । ମୁଁ ଆଜି ସବୁକିଛି ପଢିବାକୁ ଚାହେଁ ।
ତା: ୨୩/୦୧/୨୦୧୮
ସା_ ଭୁବନେଶ୍ୱର
ପ୍ରିୟ ନୀଳ ନୟନା,
ବସୁନ୍ଧରା ..!
ମିତ ମୋର...!
ମୋର ପ୍ରାଣ ସଙ୍ଗିନୀ ...!
ଶୁଭେଚ୍ଛା ନେବ । ଆଶା ଓ ବିଶ୍ୱାସ ତୁମେ ବଡ଼ ପୁଅ ଅରଣ୍ୟ ପାଖରେ ଖୁବ୍ ଖୁସିରେ ଥିବ । ମୁଁ ମଧ୍ୟ ଏଠାରେ ସାନ ପୁଅ ଅତୁଲ ପାଖରେ ଖୁବ୍ ଖୁସିରେ ଅଛି ।
ଅତ୍ୟଧିକ କଥାବାର୍ତ୍ତା, ଅତ୍ୟଧିକ ଆସକ୍ତି, ଅତ୍ୟଧିକ ଆଶା ଏବଂ ଅତ୍ୟଧିକ ବିଶ୍ୱାସ....ପ୍ରାୟତଃ ଶେଷରେ ଜଣେ ବ୍ୟକ୍ତିକୁ ଆବଶ୍ୟକତା ଠାରୁ ଅଧିକ ଯନ୍ତଣା ଦେଇଥାଏ...।ଲୋକ ମାନେ କୁହନ୍ତି ଆସିଛି ଏକା ଯିବି ମୁଁ ଏକା କିନ୍ତୁ ସତ ଏଇଆ ଯେ,ଦୁଇ ଜଣ ଲୋକଙ୍କ ବିନା କେହି ଦୁନିଆଁକୁ ଆସନ୍ତି ନାହିଁ ଏବଂ ଚାରି ଜଣ ଲୋକଙ୍କ ବିନା କେହି ଦୁନିଆଁରୁ ଯାଆନ୍ତି ନାହିଁ ।
ଜୀବନ ଏମିତି ଏକ ରାସ୍ତା...ତୁମେ ଦୁଃଖରେ ଚାଲିଲେ ରାସ୍ତା ଲମ୍ବି ଲମ୍ବି ଯିବ ଆଉ ହସିକି ଚାଲିଲେ ରାସ୍ତା କେତେବେଳେ ସରିଯିବ ଜଣା ପଡ଼ିବ ନାହିଁ । ତୁମେ କେତେ ଖୁସିରେ ଅଛ ମୋ ଠାରୁ ଦୂରରେ ରହି କେବଳ ମୁଁ ଏବଂ ତୁମେ ଜାଣିଛ ? କଥାଟା ସାଧାରଣ ମନେ ହେଉଥିଲେ ବି ତା' ଭିତରେ ଗୋଟେ ହୀନ ମନ୍ୟତାର ମାନସିକତା ଲୁଚିରହିଛି, ଏକଥାକୁ ଟିକେ ତଳେଇକି ଦେଖିଲେ ବୁଝାପଡ଼ିବ । ବାପା ଆକାଶ ଠାରୁ ଉଚ୍ଚା । ବାପା, ପୁଅ ମୁଣ୍ଡ ଉପରର ଛତା ।ବୟସ ଚାପରେ ବାପା ମା'ଙ୍କର ଅଣ୍ଟା ଭାଙ୍ଗିଗଲାବେଳେ ପୁଅ ଭାବେ ବାପାମା' ଅସହାୟ ହୋଇଯାଇଛନ୍ତି । ଏ ବେଳରେ ଆମର ସହାୟତାର ଆବଶ୍ୟକତା ଅଛି । ଏ ଆମର କର୍ତ୍ତବ୍ୟ । ଏ କର୍ତ୍ତବ୍ୟ ଶବ୍ଦଟା "ଦୟା'ର ପ୍ରତିଶବ୍ଦ ନୁହେଁ ତ? ବୟସ ବଢ଼ିଲେ ସ୍ୱାମୀ-ସ୍ତ୍ରୀ ପରସ୍ପର ପ୍ରତି ବେଶୀ ଆକର୍ଷିତ ହୋଇଥାନ୍ତି । ଜୀବନସାରା ପିଲାମାନଙ୍କ ଭବିଷ୍ୟତ ଗଠନରେ ସମୟ ବିତେଇ ଦେଇଥିବା ଦି'ପ୍ରାଣୀ କେବେ ମନଖୋଲା ଅବକାଶ ପାଇନଥାନ୍ତି , ଆପଣା ଭିତରେ ଦୁଃଖ ସୁଖକୁ ବାଣ୍ଟିବାକୁ । କିନ୍ତୁ ଆଜି ଯେତେବେଳେ ସେ ଦାୟିତ୍ୱରୁ ସେମାନଙ୍କୁ ସାମୟିକ ମୁକ୍ତି ମିଳିଛି ଏବଂ ଶାରୀରିକ ଦୃଷ୍ଟିରୁ ସେମାନେ ଅବଶ ହୋଇପଡ଼ିଛନ୍ତି, ସେତେବେଳେ ସେମାନଙ୍କୁ ଅବସର ମିଳିଛି ଜୀବନଯାକର ସବୁ ଦୁଃଖସୁଖକୁ ଆପଣା ଭିତରେ ବାଣ୍ଟିବାକୁ ।ଠିକ୍ ସେହି ସମୟରେ ବଣ୍ଟନ ହୁଏ ବାପା ଓ ମାଆଙ୍କର ଦାୟିତ୍ଵ ନିର୍ବାହ କରିବ କିଏ ? ସମୟର ଶକ୍ତ ଚାପୁଡ଼ା ପଡ଼ିବାପରେ ସେମାନେ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି କିନ୍ତୁ ଏ ବୟସରେ ମା' ଯଦି ସାନପୁଅ ପାଖରେ ଭୁବନେଶ୍ୱର ରେ ରହେ ଏବଂ ଦିଲ୍ଲୀରେ ବଡ଼ପୁଅ ପାଖରେ ବାପା ରହନ୍ତି ତାହେଲେ ଯାତନା ଟା' ଦ୍ଵିଗୁଣିତ ହେଇ ବଢ଼ିଯିବା ସ୍ୱାଭାବିକ । ଖାଲି ମନେମନେ ଘଣି ହେବା ହିଁ ସାର ହୁଏ । ମନର କଥାକୁ କାହାକୁ କହି ହୁଏନା ବା ଏ କଥାକୁ ଗୁରୁତ୍ୱ ଦେଇ ଶୁଣିବାକୁ କେହି ନଥାନ୍ତି । ବାପା, ମା'ମାନେ ଯେଉଁଠି ରହିବେ ଗୋଟିଏ ଜାଗାରେ ରହିବେ, ଏକଥାକୁ ପୁଅମାନେ ବୁଝିବାକୁ ମଧ୍ୟ ନାରାଜ । ସେମାନେ ବୁଝନ୍ତି- ବାପାମା'ଙ୍କ ବାର୍ଦ୍ଧକ୍ୟର ଅସହାୟ ସମୟରେ ଆମେ ତାଙ୍କୁ ପାଖରେ ରଖି କର୍ତ୍ତବ୍ୟ ନୁହଁ ଦୟା କରୁଛୁ । ସମ୍ପତ୍ତି ଭାଗବଣ୍ଟl ହୁଏ , ବାପା ଓ ମା' ନୁହନ୍ତି । ଏକଥାକୁ ବିଦେଶରେ ଚାକିରି ବାକିରି କରି ରହୁଥିବା ପାଠଶାଠ ପଢୁଆ ପୁଅମାନେ ଗୁରୁତ୍ୱର ସହ ବିଚାରିନଥାନ୍ତି । ଯେତେବେଳେ ବାପାମା'ଙ୍କର ବଳ ବୟସ ଥିଲା ସେତେବେଳେ ସେମାନେ ସାଥିହୋଇ ପିଲାମାନଙ୍କର ବୋଝକୁ ଉଠାଉଥିଲେ । ନିଜପାଇଁ ଭାବିବାକୁ ସେମାନଙ୍କ ପାଖରେ ସମୟ ଅକୁଳାଣ ପଡୁଥିଲା । ଭୁବନେଶ୍ୱରରେ ମା' କି ଦିଲ୍ଲୀରେ ବାପା ପିଲାମାନଙ୍କ ପାଖରେ ରହିଲାବେଳେ ସେମାନଙ୍କର ଖାଇବାପିଇବା କି ସେବା ଚିକିତ୍ସାରେ କମି ରହୁନଥିଲା । ମାତ୍ର ସେମାନଙ୍କ ଭିତରେ ଥିବା ନିଃସଙ୍ଗତା ସେମାନଙ୍କୁ ସବୁ ମୁହୂର୍ତ୍ତରେ ଝୁଣି ଖାଉଥିଲା । ପୁଅବୋହୂ କେହି ଏ ନିଃସଙ୍ଗତାର ଯନ୍ତ୍ରଣାକୁ ବୁଝି ପାରୁନଥିଲେ । ସେମାନଙ୍କ ଭିତରେ ଗୋଟେ ଆତ୍ମତୃପ୍ତି ସେମାନଙ୍କ ଛାତିକୁ ଚଉଡ଼ା କରୁଥିଲା ଯେ , "ସେମାନେ ବାପା ଓ ମା'ଙ୍କୁ ପୋଷୁଛନ୍ତି, ପାଳୁଛନ୍ତି ଏବଂ କର୍ତ୍ତବ୍ୟ ନୁହେଁ ଦୟା କରୁଛନ୍ତି ।
ବସୁନ୍ଧରା ତୁମେ ଜାଣିଛ , ଘରେ ବିଦେଶୀ କୁକୁରକୁ ବି ଶ୍ରଦ୍ଧାର ସହ ପୋଷାଯାଏ କିନ୍ତୁ ଆଜିର ସମାଜରେ ବାପା ଓ ମା'ଙ୍କୁ ଅନାଥାଶ୍ରମ କୁ ପଠାଇ ଦିଆଯାଏ । ମୁଁ ଆଉ ଏହି ଦୂରତା ସହି ପାରୁନି । କାଲି ସକାଳ ଟ୍ରେନ ରେ ମୁଁ ଗାଁକୁ ଯିବି ନାହିଁ । କିଏ ଅଛି ସେଠାରେ ଯେ ଯିବି । ମୁଁ ଯାଉଚି ସେହି ପୁରୁଣl ଜାଗାକୁ ତୁମ ଅପେକ୍ଷାରେ ରହିବି । ମୁଁ ଜାଣିଛି ମୋର ନୀଳ ନୟନା ମୋତେ ଛାଡ଼ି ଆଉ ବେଶୀ ଦିନ ଏହି ଦୟାରେ ବଞ୍ଚିବାକୁ ଈଛା କରିବେ ନାହିଁ । ଆଛା ସବୁ କଥା ଛାଡ଼ । ତୁମେ କିନ୍ତୁ ସେହି ପୁରୁଣା ମରୁନ ରଙ୍ଗର ଶାଢ଼ୀ ପିନ୍ଧି ଆସିବ । ଆଉ ମୁଁ ବ୍ଲୁ ରଙ୍ଗର ଧୋତି ସହିତ ମରୁନ ରଙ୍ଗର କୁର୍ତ୍ତା ପିନ୍ଧିଆସିବି । ଆଜି ପୁଣି ଥରେ ଆମେ ଜୀବନକୁ ଜିଇଁବା । ପୁଣି ଥରେ ପରିଣତ ବୟସରେ ପ୍ରେମ କରି ଏଇ ଦୁନିଆଁ କୁ ଦେଖାଇ ଦେବା ପ୍ରେମର ମୂଲ୍ୟ କେତେ ?
ଆରେ ଶୁଣ ବସୁନ୍ଧରା ... ।
ଶେଷ କଥା କହିବାକୁ ଭୁଲିଗଲି ଯେ ...! ତୁମେ ଆଜି ଖୁବ୍ ସୁନ୍ଦର ଲା ଯେ । ଆଜି ମଧ୍ୟ ତୁମେ ସେହି ମୋର " ନୀଳ ଲଫାପା ର ନୀଳ ନୟନା " । ତୁମେ ତୁମ ହାତରେ " ଚା କପ୍ ଆଉ ଚିଠି " ନେଇ ଆସିବ ପୁଣି ଟିକେ ସବୁ ପଢ଼ି କିଛିଦିନ ବଞ୍ଚିଯିବା ।
ତୁମେ ଆଜି ବେଶୀ ମନପଡ଼ୁଛ , ବସୁନ୍ଧରା ।
ଏଇ ଶୁଣ... ପୁଅ ଅତୁଲ ଆସିଲାଣି । ମୁଁ ରଖୁଛି ଏବେ । କାଲି ସେଇଠି ଦେଖା ହେବ ।
!! ଇତି !!
ତୁମ ପ୍ରେମିକ ପ୍ରବର
ବିଦ୍ୟାସାଗର ।।
ଦ୍ଵିତୀୟ ଚିଠି ପଢ଼ିବାପରେ ଅନନ୍ୟା କହିଲେ , ଅରଣ୍ୟ ତେବେ ଏହି ତୃତୀୟ ଚିଠି ଟି କାହାର ? ଏବଂ ତାପରେ ବାବା କେଉଁଠି କି ଗଲେ। କାହା ପାଖକୁ ଗଲେ। ଏବେ ବାବା କେଉଁଠି ଅଛନ୍ତି ..! କଣ ତୁମେ ଆଜି ତୁମ ଜୀବନର ସବୁ ଦୁଃଖକୁ ମୋ ଅଣ୍ଟି ରେ ଢ଼ାଳି ମୁକ୍ତ ହେବାପାଇଁ ଇଚ୍ଛା କରିବନାହିଁ ? ମୋତେ କୁହ ଅରଣ୍ୟ ..? ମୁଁ ତୁମ ସ୍ତ୍ରୀ । ଶlତ ଦୀପ ଆଉ ଅଗ୍ନିର ପ୍ରଦିକ୍ଷଣା କରି ମୁଁ ଏଇ ଘରର ବଡ଼ ବୋହୂ ହେଇ ଆସିଛି । ମୁଁ ତୁମ ସ୍ତ୍ରୀ । ମୋତେ ତୁମ ଭଲପାଇବା ନହେଲେ ନାହିଁ କିନ୍ତୁ ତୁମ ତିରସ୍କାର ଟିକେ ଦିଅ । ତାକୁ ମୁଁ ରାମଚନ୍ଦ୍ର ଙ୍କ କଠଉ ଭଳି ପୂଜା କରି ଏଇ ଜୀବନ ବିତାଇ ଦେବି । ନାଁ ତୁମକୁ କିଛି ମାଗିଛି ନା ଭବିଷ୍ୟତ ରେ କେବେ ମାଗିବି।
ନାଁ... ଅନନ୍ୟା । ମୋତେ ତୁମେ କ୍ଷମା କର । ତୁମର ସବୁ ଦୁଃଖ କଷ୍ଟ ମୋତେ ଦେଇ ତୁମେ ଆଜାଦ ପକ୍ଷୀ ଭଳି ଉଡ଼ି ବୁଲ ନୀଳ ଗଗନ ରେ ଏକ "ନୀଳ ଲଫାପା " ହେଇ । ତଥାପି ତୁମେ ଯଦି ମନରେ କଷ୍ଟ ନପାଇବ ତେବେ ମୁଁ ତୁମକୁ ମୋର ଏଇ " ନୀଳ ଲଫାପା ର ନୀଳ ନୟନା" ନମିତାଙ୍କ ଶେଷ ସ୍ମୃତି କୁ ତୁମକୁ ଦେବି ତାପରେ ତୁମେ ତାକୁ ନେଇ ନିଜ ହାତରେ ନଷ୍ଟ କରିବ କି ସାଇତି ରଖିବ ତାହା ତୁମେ ନିଷ୍ପତି କରିବ ।
ତା: ୧୮/୦୧/୨୦୨୩
ଓଲ୍ଡ ଟାଉନ , ଭୁବନେଶ୍ୱର ।
ପ୍ରିୟେଶୁ ଅରଣ୍ୟ ,
ମୋର ମନ ଓ ହୃଦୟର ଦେବତା
ମୋର ପ୍ରାଣେଶ୍ୱର ହୃଦ ଚନ୍ଦନ
ତୁମେ ମୋର କୃଷ୍ଣ , ମୁଁ ତୁମର ରାଇ ।
ଆଶା ଓ ବିଶ୍ୱାସ ଯେ ନୀଳ ଗଗନ ର ନୀଳ ଚଢ଼େଇ ରୂପରେ ଉଡ଼ି ଉଡ଼ି ଆସୁଥିବା " ନୀଳ ଲଫାପା ର ନୀଳ ନୟନା" ର ଭକ୍ତିପୂତ ପୁଷ୍ପାଞ୍ଜଳୀ କୁ ସାଦରେ ଗ୍ରହଣ କରିବ ।
ଆଶା ଓ ବିଶ୍ୱାସ ଯେ କୁଶଳ ମଙ୍ଗଳ ରେ ଥିବ । ମୋ ମାତା ରାଣୀ ଉଗ୍ରତାରା ତୁମକୁ ଘଣ୍ଟ ଘୋଡେ଼ଇ ରଖିଥିବେ । ଅବର୍ତ୍ତନୀୟ ପବିତ୍ରତା ଓ ବିଶ୍ଵାସର ବଉଳ ବାସ୍ନା ସହିତ ମିଳନର ବସନ୍ତ ନେଇ ,ସ୍ନେହ ପ୍ରେମ ଓ ମମତାର ଆବେଗମୟ ଝଙ୍କାର ନେଇ ଭିଜା ଭିଜା ମାଳୟର ଶିହରଣ ତଥା ସୀମାହିନ ସମର୍ପଣ ନେଇ ଯାଉଥିବା ମୋର ଏହି " ନୀଳ ଲଫାପା "କୁ ସାଦରେ ଚୁମ୍ବନ ପ୍ରଦାନ କରି ହୃଦୟରେ ସାଉଁଟି ରଖିବ ବୋଲି ଆଶା ଓ ଭରସା ।
ଅରଣ୍ୟ , ଏଇ ନୀଳ ଲଫାପାରେ ପ୍ରlଚୂର୍ଯ୍ୟର ବାର୍ତ୍ତା ନାହିଁ କି ପ୍ରେମ ଫଗୁଣର କମନୀୟ ଶାନ୍ତି । ଏଇ ନୀଳ ଲଫାପା ରେ ଅଛି କେବଳ କ୍ଲାନ୍ତିର ଅସୀମ ଅlବେଗମୟ ସ୍ପର୍ଶ । ନାଁ ଅଛି କଳ୍ପନାର ଇନ୍ଦ୍ରଜାଲ ନାଁ ଅଛି ଅପୂର୍ବ ପୂଳକର ଉନ୍ମାଦନା । ସ୍ପନ୍ଦନ ର ଅଲଂଘନୀୟ ଦୀପଶିଖା କୁ ଅତିକ୍ରମକରି ରିମ୍ ଝିମ୍ ସ୍ବପ୍ନ ବିଭୋରିତ ମୋ ପ୍ରିୟତମ ଙ୍କ ପ୍ରlଣରେ ବିପୁଳ ଅଭିନନ୍ଦନର ପ୍ରୀତିଭରା ପସରା ଖୋଲିଯାଉ।
ଅରଣ୍ୟ , ଚିଠି ଲେଖିବାର କାରଣ ଏହିକି ଯେ , ମୁଁ ତୁମ ଦୋଷୀ । ତୁମ ପ୍ରେୟସୀ ଏବଂ ପତ୍ନୀର ଅଭିନୟ କରିବାରେ ହୁଏତ ତୁମକୁ ଖୁସି ଦେଇଥାଏ କିନ୍ତୁ ଆଜି ଦୁଃଖର ସହିତ ଲେଖିବାକୁ ପଡ଼ୁଚି ଏକ ବ୍ୟଥିତ ହୃଦୟର କଥା । ମୁଁ କଥା ଦେଇ କଥା ରଖି ପାରିଲି ନାହିଁ ।
ଏକ ବନ୍ଧନ ଯାହା ଅଜାଣତରେ ଏକ ଅମୂଲ୍ୟ ବନ୍ଧନରେ ପରିଣତ ହୁଏ...ତାହା ହେଉଛି ସ୍ନେହ।
ଏକ ବନ୍ଧନ ଯାହା ହୃଦୟରୁ ଯାତ ହୁଏ ତାହା ହେଉଛି ପ୍ରେମ ।
ଏକ ବନ୍ଧନ ଯାହା ସ୍ବପ୍ନ ସହିତ ଜଡିତ ହୁଏ ତାହା କେବଳ ଅମୂଲ୍ୟ ପ୍ରେମ । ଯାହା କେବଳ ପତି ଏବଂ ପତ୍ନୀଙ୍କ ମଧ୍ୟ ରେ ହୁଏ । ଚନ୍ଦନ, କର୍ପୂର ଆଦିକୁ ଜାଳିଲେ ସେମାନଙ୍କର ସୁଗନ୍ଧ ବ୍ୟାପକ ହୁଏ । ନ ହେଲେ ସେମାନଙ୍କର ସୁଗନ୍ଧ କେବଳ ରଖା ଯାଇଥିବା ସ୍ଥାନ ମଧ୍ୟରେ ସୀମିତ ରହେ । ସୁଗନ୍ଧିତ ପଦାର୍ଥର ଆହୁତି ଆମକୁ ଏହି ପ୍ରେରଣା ଦେଇଥାଏ ଯେ, ଆମେ ଆମର ଆନ୍ତରିକ ସଦ୍ଭାବନା ଏବଂ ସତ୍ ପ୍ରବୃତ୍ତିକୁ ସୁପ୍ତ ଅବସ୍ଥାରେ ପଡି ରହିବାକୁ ନଦେଇ ତାକୁ ଦୀପ୍ତିମାନ ଏବଂ ତେଜସ୍ୱୀ କରିବା କିନ୍ତୁ ଯେତେବେଳେ ସମ୍ପର୍କରେ ସ୍ଵାର୍ଥ ହାସଲ ହେଇଯାଏ, ସେତେବେଳେ ଛାଡି ଚାଲିଯିବାର ଗୋଟେ ନୂଆ ବାହାନା ସ୍ରୁଷ୍ଟି ହୋଇଯାଏ ଯାହାର ନାମ ହେଉଛି ପରିସ୍ଥିତି । ଏବଂ ସେହି ପରିସ୍ଥିତି ରେ ଆଜି ମୁଁ ବନ୍ଧା । ମୋର ଶତ ଚେଷ୍ଟା ପରେ ମଧ୍ୟ ମୁଁ ମୋର ବାପା ଓ ମାଆ ଙ୍କୁ ବୁଝାଇବାକୁ ସକ୍ଷମ ହେଲି ନାହିଁ । ସେମାନେ ଅନ୍ୟତ୍ର ମୋର ବିବାହ ସ୍ଥିର କରିଛନ୍ତି। ଆସନ୍ତା ଫେବୃୟାରୀ ମାସ ୨୪ ତାରିଖରେ ମୋର ଶୁଭ ବିବାହ ବୈଦିକ ରୀତିରେ ଅନୁଷ୍ଠିତ ହେବ । ତେଣୁ ମୁଁ ତୁମ ସହିତ ଆଉ ଏହି ସମ୍ପର୍କ କୁ ଅବ୍ୟାହତ ରଖି ପାରିବି ନାହି ।
"ନୀଳ ଲଫାପା "ର ନୀଳ ନୟନା ନମିତାକୁ କ୍ଷମା କରି ତୁମେ ତୁମର ନୂଆ ଜୀବନ ଆରମ୍ଭ କରିବ ବୋଲି ଆଶା ଓ ବିଶ୍ୱାସ । ମୁଁ କାଲି ତୁମର ଥିଲି , ଆଜି ମଧ୍ୟ ତୁମର ଅଛି ଏବଂ ଭବିଷ୍ୟତ ରେ ତୁମର ରହିବି ସତ କିନ୍ତୁ ମୋର ଏଇ ରକ୍ତ ମାଂସ ରେ ଗଢା ଶରୀର ତୁମଠାରୁ ଚାଲିଯିବ ଅନେକ ଦୂରକୁ । ନା କେବେ ଫେରିବାର ସମ୍ଭାବନା ଅଛି ନାଁ ରହିବ । ମୋତେ ତୁମେ କ୍ଷମା କରିବ ପ୍ରିୟବର । ମୁଁ ତୁମର ସଂପୂର୍ଣ୍ଣ ହେଇପlରିଲି ନାହିଁ ।
ମୋତେ ଭୁଲିଯିବ । ଏହି ମୋର ତୁମ ଶ୍ରୀଚରଣ ରେ ନିବେଦନ ।
।। ଇତି ।।
ତୁମର ପ୍ରାଣ ପ୍ରିୟା
ନମିତା ।
ଚିଠି ପଢ଼ିସାରିବା ପରେ ଅନନ୍ୟାଙ୍କ ଆଖିରେ ଲୁହ ଭରିଯାଇଛି । ପୂର୍ବ ଆକାଶରେ କୁଆଁ ତାରା ଆଖି ମିଟିକା ମାରି କହୁଛି ହେ ଅନନ୍ୟା । ଏଇ ଅରଣ୍ୟ କେବଳ ଅନନ୍ୟା ର । ନମିତା ର ନୁହେଁ । ତୁ ସବୁଦିନ ପାଇଁ ହଜେଇ ଦିଏ ଏହି" ନୀଳ ଲଫାପା "କୁ କାରଣ ଆଜିର ଦିନରେ ତୁ ତୋର ପ୍ରେମ ପାଇସାରିଛୁ। ଆଜିର " ନୀଳ ଲଫାପା ର ନୀଳ ନୟନା " କେବଳ ତୁ ...!
ତୁ ଅନନ୍ୟା ...!
କଣ ଭାବୁଛୁ ଏତେ , ସକାଳର ପହିଲି କିରଣ ପଡ଼ିବା ପୂର୍ବରୁ ଉଡେଇ ଦିଏ ଏଇ " ନୀଳ ଲଫାପା " କୁ...!!
।। ସମାପ୍ତ ।।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।