PDF MARKET
PDF MARKET
June 11, 2025 at 05:31 AM
*🌟କ୍ଷୁଦ୍ର ଗଳ୍ପ 🌟* ଏହା ମୋର ଆଖି ଦେଖା କଥା। କଥାଟି ଆଜିର ନୁହେଁ। ଅନେକ ବର୍ଷ ତଳର। ଏଇ ବୋଧେ ଜୁଲାଇ କିମ୍ବା ଅଗଷ୍ଟ ମାସର ଗୋଟେ ସନ୍ଧ୍ୟା ବେଳ। ଗାଁ ବସ୍ ମୋତେ ଛକରୁ ଛାଡି ଦେଇ କେତେବେଳୁ ଗଲାଣି। ପ୍ରଚଣ୍ଡ ବର୍ଷା ହେତୁ ମାଗୁ ଦାଦା ଚା ଦୋକାନରେ ସେମିତି ଠିଆ ହେଇ ଥାଏ। ଯେହେତୁ ବର୍ଷା ଛକ ବି ଲୋକ ଶୂନ୍ୟ। ଅପେକ୍ଷା କରି ଥାଏ,କେତେବେଳେ ଏ ବର୍ଷା ଛାଡ଼ିବ ଆଉ ମୁଁ ଘରକୁ ଯିବି। ହଠାତ୍ ନଜର ପଡିଲା ରାସ୍ତା ମଝିରେ ଠିଆ ହେଇ ଥିବା ବାଛୁରୀ ଉପରେ। ମୂଷଳ ଧାରାରେ ବର୍ଷା କିନ୍ତୁ ଏ ବାଛୁରୀ କାହିଁକି ଠିଆ ହେଇ ରହିଛି ରାସ୍ତା ମଝିରେ ? ଉତ୍ତର ଖୋଜିବା ପୂର୍ବରୁ ହୁସ ହୁସ୍ କହିଲି। କାଳେ ବାଛୁରୀ ଆର ପାଖ ଦୋକାନ ଟିଣ ତଳକୁ ଚାଲିଯିବ। ପଶୁପକ୍ଷୀଙ୍କ ପ୍ରକୃତି ବର୍ଷା ଆସିଲେ ସେମାନେ ଆଶ୍ରା ଖୋଜନ୍ତି କିନ୍ତୁ ଏ ପଶୁ ପକ୍ଷେ ବ୍ୟତିକ୍ରମ କାହିଁକି ? ମୋର ବାଛୁରୀ ଘଉଡେଇବାର ଅନେକ ବିଫଳ ପ୍ରଚେଷ୍ଟା ଦେଖି ମାଗୁ ଦାଦା କହିଲେ। ଥାଉ ଆଉ କିଛି କରନି। ତୁ ଯେତେ କହିଲେ ବି ସେ ଯାଇ ପାରିବନି। ମୁଁ ପଚାରିଲି କାହିଁକି ? ଆରେ ତାର ଗୋଡ଼ ଭାଙ୍ଗି ଯାଇଛି। ଦାଦା କହିଲେ । କେମିତି ? କଣ ଆଜି ଗୋଠରେ ଗାଇଙ୍କ ଭିତରେ ସୀଙ୍ଘ ଲଢ଼ାଲଢି ହେଉଥିଲା ? ମୁଁ ପଚାରିଲି। ଆରେ ନା ନା। କଥା କଣ କି !! ଏଇଟା ଇଶର(ଈଶ୍ୱର) ଭାଇର ଅଣ୍ଡିରା ବାଛୁରୀ ଟେ। କ୍ଷୀର ପିଇବା, ଛାଡ଼ିବା ସମୟ ହେଇ ଗଲାଣି। ଆଜି ବର୍ଷା ପାଇଁ ସବୁ ଗୁହାଳରେ ବନ୍ଧା ହେଇ ଥିଲେ। କେମିତି ଭୂଲରେ ଫିଟି ଯାଇ ସବୁ କ୍ଷୀର ପିଇ ଦେଇଛି। ଇଶର ଭାଇ ସକାଳେ ଗାଈ ଦୁହ୍ନିଲା ବେଳକୁ ଦେଖେ ତ, ବାଛୁରୀ ସବୁ ପିଇ ଦେଇଛି। ସେଇଠୁ ରାଗିକି ଗାଈ ଖୁଣ୍ଟ ପିଟା ପିଟଣା ଏତେ ଜୋରରେ ପିଙ୍ଗିଲା ଯେ ବାଛୁରୀର ଗୋଡ଼ ଭାଙ୍ଗିଗଲା। ତୁ ତ ଜାଣିଛୁ ଅଣ୍ଡିରା ବାଛୁରୀକୁ ମା କ୍ଷୀର ପିଇବାକୁ ଦିଆ ଯାଏ ନାହିଁ । ସେଥି ପାଇଁ ସେ ରୋଗୀଣା। ସେଥିରେ ତାକୁ ପିଟି ପିଟି ଆଣି ଛକରେ ଛାଡି ଦେଇ ଗଲା। ବିଚରା ଚାଲି ପାରୁନି। ଘୁଷୁରୀ ଘୁଷୁରୀ ଚାଲିଛି। ତା ଉପରେ ହାଡ଼ ଭଙ୍ଗାର ଯନ୍ତ୍ରଣା। ପେଟରେ ଭୋକ। ପୁଣି ପିଠିରେ ମାଡ଼। ସକାଳୁ ସେମିତି ଠିଆ ହେଇଛି। ନା ଯାଇ ପାରୁଛି। ନା ଖାଇ ପାରୁଛି। ନା ଯନ୍ତ୍ରଣା ସହି ପାରୁଛି।ବୋଧେ ହୁଏ ଅପେକ୍ଷା କରିଛି। ମରଣ କୁ। *✍️ LEXBHAI*
😢 🙏 ❤️ 19

Comments