
SS Publication
June 21, 2025 at 05:13 PM
ନୀଳ ଲଫାପା
ISBN 978-93-48626-35-6
_:
ନୀଳ ଲଫାପା କେବଳ ଗୋଟିଏ ଚିଠି ନୁହେଁ। ସେ ପ୍ରେମ ,ବିରହ, ଉତ୍କଣ୍ଠା, ଆବେଗ ଓ ମିଳନର ପ୍ରତିଛବି ଟିଏ। ଯୁବସୁଲଭ ଗୁଣ ମନକୁ ରୋମାଞ୍ଚଭରା କରିଲାପରେ ପ୍ରେମର ବାହକ ଚିଠି,ମିଳନର ବାସ୍ନାରେ ବାସ୍ନାୟିତ ତା’ର ଦେହ ଭାରି ଭାରି ଶବ୍ଦରେ ଓଜନିଆ ହୋଇଉଠେ। କେତେବେଳେ ଦୁଇପଦରେ ସରୁଥିଲା ତ କେତେବେଳେ ବଢ଼ୁଥିଲା ତା’ର କଳେବର। ଜୋଛନା ହାତରେ ନୀଳଜହ୍ନ ପାଖକୁ ଲେଖିଥିବା ନୀଳ ଲଫାପା ର ସେଇ ପ୍ରିତୀ ଭିଜା ଚିଠିର ଭାବକୁ ଲେଖନୀ ରେ ତୋଳି ଧରିବାକୁ ଆଜିର ଏହି ଉନ୍ମାଦନା ।
ରାଧାର ଭାବ ଆଉ ଯଶୋଦା ର ମନ ନେଇ ନୀଳମଣି ପାଖକୁ ନୀଳ ଲଫାପା ରେ ପତ୍ରଟିଏ ଲେଖିବାର ଆଜିର ଉଦ୍ଦେଶ୍ୟ...
ଜନ୍ମଭୂମି ରୁ କର୍ମ ଭୂମିକୁ ଆସୁଥିବା ସ୍ନେହ ପ୍ରେମ ଭଲପାଇବା ର ପ୍ରତୀକ ର ପତ୍ର ଏବଂ ଜୀବନରୁ ଯୌବନ...କୁ ଫେରୁଥିବା ନୂତନ ସମ୍ଭାବନା କୁ ଚିଠିଟିଏ କରି ନୀଳ ଲଫାପାରେ ସଜେଇ ଭାବକୁ ଭାବନା ରେ ମଜ୍ଜାଇ କାହାର ଉତ୍ତରକୁ ଅପେକ୍ଷା କରିବାର ସୁଖଦ ଅନୁଭବ ଆଜିର...
ବିତି ଯାଇଥିବା ଦିନ ହଜି ଯାଇଥିବା ମନକୁ ସ୍ମୃତିର ଫୁଲ ତୋଡାରେ ସଜେଇବାର ଅନାବିଳ ଆନ୍ତରିକତା ରେ ଭରପୁର ପ୍ରେମ ପ୍ରିତୀ ସାଥି ର କଥାକୁ ଶବ୍ଦ ରେ ରଙ୍ଗାୟିତ କରିବାର ଅହେତୁକ ଦୁର୍ବଳତା ରେ ଭରା ଆଜିର ନୀଳ ଲଫାପା।
ଅସାର ହେଇ ଯାଉଥିବା ଜୀବନ ରେ ଆଶାର ପ୍ରଦୀପ ପ୍ରଜ୍ଜ୍ଵଳିତ କରିବାର ଅନାବିଳ ପ୍ରଚେଷ୍ଟାକୁ ଲେଖିନୀରେ ସଜେଇ ଈଶ୍ଵରଙ୍କୁ ପତ୍ରଟିଏ ଲେଖିବାର ପ୍ରୟାସ ଟିଏ ମାତ୍ର...
ଦୁଃଖରେ ପାହି ନଥିବା ରଜନୀ, ଅନ୍ଧାର ରେ ହାତ ଛାଡିଦେଇଥିବା ସଜନୀ, ଆଉ ତେଲ ଲୁଣ ସଂସାର ର ଅକୁହା କଥାକୁ ପୂର୍ଣ୍ଣ କରି ପାରୁଥିବା ନୀଳ ଲଫାପା ରୁ ମିଳିଥିବା କିଛି ଖଟା ମିଠାର ସମିଶ୍ରଣ ଭାବ ଭାବନା ରେ ଭରା ଆଜିର ଏ ପତ୍ର ଲେଖା..." ନୀଳ ଲଫାପା"
ଏହି ସଂଙ୍କଳନ " ନୀଳ ଲଫାପା " ଟି ନିଶ୍ଚୟ ଆଜିର କିଶୋର କିଶୋରୀ ମାନଙ୍କୁ ସହଜରେ ଆକର୍ଷିତ କରିପାରିବ ବୋଲି ଆମର ଆଶା ଏବଂ ବିଶ୍ୱାସ।
ଅଦ୍ୟ ଇଂରାଜୀ ମସିହା ୨୦୨୫ ରେ କେହି ଜଣେ "ଚିଠି" ବିଷୟରେ ଆଲୋଚନା କଲେ ଆଲୋଚନା କରିବାକୁ ଯାଉଥିବା ଲୋକ ଅପେକ୍ଷା, ଶୁଣିବାକୁ ଥିବା ଲୋକମାନଙ୍କର ମନୋଭାବ ବଦଳିଯାଉଛି। ସେମାନଙ୍କ ମନରେ, କହିବାକୁ ଯାଉଥିବା ଲୋକଟି ହୁଏତ ଏବେଠୁ ଚାଳିଶ ବର୍ଷ ପୂର୍ବରୁ ଜନ୍ମହୋଇଛି ଏବଂ ତା ଅତୀତ ପୃଷ୍ଠାଗୁଡ଼ିକ ମନେପଡୁଛି ଏବେ। "ଚିଠି" ଏବେ ହଜିଯାଇଛି। ତା ସହିତ ସେ ହଜାଇ ନେଇ ଯାଇଛି ସେ କାଳି କଲମ ଆଉ କାଳି ଦୂଆତ।
ସେ ଚିଠି ଯୁଗ ହଜିଯାଇଛି ସତ ହେଲେ ଅଭୁଲା ଚିଠି ଲେଖା।, ଆହାଃ ଥିଲା କେତେ ଭାବନାରେ ପୂର୍ଣ୍ଣ। କେତେବେଳେ ଦୁଃଖଦ ଖବର ପଢି ଝରୁଥିବା ଆଖିର ଲୁହ ନିଜକୁ ପୁଣି ବୁଝାଉଥିଲା ତ’ ପୁଣି ବେଳେବେଳେ ଖୁସି ଖବର ପଢି ମୁଖମଣ୍ଡଳର ଭାବାବେଗ ସେହି ଚିଠି ଦେଖିପାରୁଥିଲା ଆଇନାର ଅବତାର ହୋଇ। ପ୍ରେମିକ ହେଉ ଅବା ପ୍ରେମିକା ରାତିରେ ଝର୍କାରେ ପଡୁଥିବା ଜହ୍ନ ଆଲୁଅରେ ସେ ଚିଠିଗୁଡ଼ିକ କେତେଥର ପୁନରାବଲୋକନ କରି ଜ୍ୟୋସ୍ନାରେ ହଜୁଥିଲେ, ହସୁଥିଲେ, ରାତିତମାମ ଅନିଦ୍ରା ବିତାଉଥିଲେ ଅଜଣା ସ୍ଵପ୍ନରାଇଜରେ ।
ଆଜି ଚିଠିବାଲା ଆସୁଛି ସତ ହେଲେ ସେ ସେହି ଚିଠିଗୁଡ଼ିକୁ ଆଉ ନେଇ ଆସୁନାହିଁ ଯେଉଁଥିରେ ଦୂରେ ରହୁଥିବା ଲୋକ ତା ପରିବାର, ସାଙ୍ଗସାଥି, ସମ୍ପର୍କୀୟଙ୍କ ସହିତ ବାଣ୍ଟିପାରୁଥିବା କିଛି ଦିନଚର୍ଯ୍ୟା, କିଛି ଉପଦେଶ, କିଛି ଆଶୀର୍ବାଦ ତା’ ସହିତ କିଛି ନିଜର ଅକୁହାକଥାର ଲେଖାଥିବା ଧାଡିଗୁଡିକ। ସେ ଲେଖାଗୁଡ଼ିକ ପୋଷ୍ଟକାର୍ଡ ହେଉ ଅବା ଅନ୍ତର୍ଦେଶୀୟ ପତ୍ରରେ ଅବା ଲେଖାଥିବା ଲଫାପାରେ।
ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲେପଟପ୍, କମ୍ପୁଟର ପୁଣି ଇଣ୍ଟରନେଟ ଜଗତ ଲାଗି ଏବେ ସବୁକିଛି ହାତପାହାନ୍ତାରେ ମିଳିଯାଉଛି ସତ ହେଲେ ସେ ଅଙ୍ଗେନିଭାଇ ଥିବା ଚିଠିଗୁଡ଼ିକର ସୁନେଲୀ ମୁହୁର୍ତ୍ତର ଅନୁଭବ ଏବଂ ଅବସ୍ଥାନ କିଛି ଅନନ୍ୟ। ସେହି ସୁନେଲୀ ମୁହୁର୍ତ୍ତର କିଛି ଅଂଶ ଆପଣମାନଙ୍କ ପରି ସମସ୍ତ ପାଠକ ପାଠିକାମାନଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପୁସ୍ତକ "ନୀଳ ଲଫାପା"। ଏଥିରେ ଲେଖାଥିବା ସବୁ ଚିଠିଗଳ୍ପ ଲେଖିଥିବା ଲେଖିକା ଓ ଲେଖକମାନଙ୍କର ପ୍ରୟାସ ସେହି ସୁନେଲୀ ଅତୀତ ସହିତ ନିଜର କିଛି ସମୟ ବିତାଇବାକୁ, ହଜିଯିବାକୁ ସେହି ଝଲମଲ ଚିଠିଯୁଗରେ। ସେ ହଜିଯାଇଥିବା ସ୍ନେହବୋଳା ଚିଠିର ଅତୀତ ପୃଷ୍ଠାଗୁଡ଼ିକର ଉପରେ ଅବଲୋକନ ଏବଂ ସେ ଚିଠି ଯୁଗର କାହାଣୀଗୁଡ଼ିକର ଉଜ୍ଜୀବିତ କରିବାର ଛୋଟିଆ ପ୍ରୟାସ ଏ "ନୀଳ ଲଫାପା"। ହୃଦୟର ଅବ୍ୟକ୍ତ ବେଦନାକୁ ସହଜରେ ପରିପ୍ରକାଶ କରି ପାରୁଥିବା ମାଧ୍ୟମ ଟି ହେଉଛି ଚିଠି, ଆଜିର ଇ-ମେଲ୍, ମୋବାଇଲ୍ ଯୁଗରେ ବି ବେଳେ ବେଳେ ଜୀବନ ଟା ଅସହାୟ ଲାଗେ, ଆଉ ଏ ମନ ଖୋଜେ ଅନ୍ତରଙ୍ଗ ସାଥି ଟିଏ, ଆଉ ଯେବେ ତା ଠିକଣା ପାଇଯାଏ...ସେବେ, ବ୍ୟକ୍ତ କରିବସେ ନିଜର ଅସହାୟତା, ଦୁଃଖ କ୍ଲେଶ, ପ୍ରିତୀ ସାଥି, ଏବଂ ଜୀବନ ତମାମ ର ଅକୁହା କାହାଣୀ। ସେମିତି ଦରଦୀ ମନର ଭାଷାକୁ, ଅକୁହା ପ୍ରେମର ନିଶାକୁ,ହଜିଥିବା ସମୟ ଆଉ ଆସୁଥିବା ଭବିଷ୍ୟତ ର ବାର୍ତ୍ତା କୁ ନେଇ ଆଜିର ସଙ୍କଳନ " ନୀଳ ଲଫାପା"
ବିଶେଷ ସୂଚନା : ଏହି ସଂକଳନ ଟି ସମ୍ପୂର୍ଣ କାଳ୍ପନିକ ଓ ମନଗଢନ କାହାଣୀ ଉପରେ ଆଧାରିତ। ସମସ୍ତ ସାହିତ୍ୟିକମାନେ କେବଳ ପାଠକଙ୍କ ମନୋରଞ୍ଜନ ପାଇଁ ଏପରି କାହାଣୀ ପ୍ରସ୍ତୁତ କରିଛନ୍ତି। ତେଣୁ କାହାଣୀ ପଢ଼ି ଯଦି କେହି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେଥିପାଇଁ ସଂକଳକ ଓ ଗାଳ୍ପିକମାନେ ଦାୟୀନୁହନ୍ତି।
✍ ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।।
ମୋ_୯୦୨୩୭୭୫୨୩୮
